କୁଆଖାଇ ନଦୀରେ ବୁଡି ୪ ଛାତ୍ର ମୃତ

Spread the love

ଭୋଜି କରିବାକୁ ଯାଇଥିବା ବେଳେ କୁଆଖାଇ ନଦୀରେ ବୁଡି ୪ ଛାତ୍ର ମୃତ । ଏଭଳି ଅଘଟଣ ଘଟିଛି ବାଲିଅନ୍ତା ଥାନା ନିକଟ ବଇଁଚୁଆ ଧବଳାହାର ନିକଟରେ । ଗତକାଲି ଅପରାହ୍ଣରେ ୪ ଜଣ ଛାତ୍ର ନଦୀରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଛାତ୍ରଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳୁ ୨ ଛାତ୍ରଙ୍କ ମୃତଦେହ ଦମକଳ ବାହିନୀ ଉଦ୍ଧାର କରିଛି । ମୃତ ଛାତ୍ରମାନେ ହେଲେ ଝାଡ଼ଖଣ୍ଡ ଜାମ୍ସେଦପୁରର ଆରିଆନ୍ ମିଶ୍ର(୨୫) ଓ କଟକର କୁମାର ଅବିନାଶ, ବାଲେଶ୍ବରର ରୋହିତ ପରିଡ଼ା(୨୪) ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ(୨୩) । ଭାଗ୍ୟବଶତଃ ସେମାନଙ୍କ ମଧ୍ରୁ ଜଣେ ବଞ୍ଚିଯାଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତକାଲି ଅଟଳାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ୯ ଜଣ ଛାତ୍ର ଧବଳାହାର ନିକଟସ୍ଥ ନଦୀପଠା ଜଙ୍ଗଲ ଭିତରେ ଭୋଜି କରୁଥିଲେ । ଭୋଜି ସରିବା ପରେ ସେମାନଙ୍କ ମଧ୍ୟରୁ ୪ ଛାତ୍ର କଲେଜକୁ ଫେରିଯାଇଥିଲେ ଓ ଅନ୍ୟ ୫ ଜଣ କୁଆଖାଇ ନଦୀରେ ଗାଧୋଇବାକୁ ରହି ଯାଇଥିଲେ । ତେବେ ନଦୀର ଗଭୀରତା ଅଧିକ ଥବବା ସେମାନେ ଜାଣିପାରିନଥିଲେ । ଫଳରେ ଅସାବଧାନତାବଶତଃ ଆଗପଛ ହୋଇ ପାଣିକୁ ଯିବା ବେଳେ ଗଭୀର ଜଳ ଗଣ୍ଡରେ ପଡିଯାଇଥିଲେ । ସେମାନେ ପହଁରା ଜାଣିନଥିବାରୁ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନେ ବୁଡି ଯାଉଥିବାର ଦେଖି ଜଣେ ଛାତ୍ର ଚିତ୍କାର କରି ଡାକିବାରୁ ନିକଟରେ ନଦୀରେ ମାଛ ଧରୁଥିବା କିଛି ଲୋକ ଧାଇଁ ଆସି ଖୋଜା ଖୋଜି କରି ୨ ଛାତ୍ରଙ୍କୁ ପାଣିରୁ କାଢି ଆଣିଥିଲେ ମଧ୍ୟ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା ।

ପରେ କିଛି ସ୍ଥାନୀୟ ଯୁବକ ମାଛ ଧରାଳିଙ୍କ ସହ ମିଶି ଅନ୍ୟ ୨ ଜଣଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇନଥିଲେ । ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଓ ପୁଲିସ ସେଠାରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପ୍ରାୟ ୨ ଘଣ୍ଟା କାଳ ଖୋଜିଥିଲେ ବି ନିଖୋଜ ଛାତ୍ରଦ୍ବୟଙ୍କ ପତ୍ତା ମିଳିନଥିଲା। ଆଜି ସକାଳୁ ଦମକଳ ବାହିନୀ ଦୁଇ ଛାତ୍ରଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *