ଚାଲାଣ ବେଳେ ୪୭ ଦାଦନ ଶ୍ରମିକ ଉଦ୍ଧାର

ଟିଟିଲାଗଡ: ଦାଦନ ଚାଲାଣ ବେଳେ ଟିଟିଲାଗଡ଼ ପୋଲିସ ଦ୍ୱାରା ଚଢାଉ। ଟିଟିଲାଗଡ଼ ଗୁଲମୀ ଜଙ୍ଗଲ ରାସ୍ତାରେ ପାଟ୍ରୋଲିଙ୍ଗ ସମୟରେ ଚଢାଉ କରି ୪୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଟିଟିଲାଗଡ଼ ପୋଲିସ । ଶ୍ରମିକଙ୍କ ମଧ୍ୟରେ ୨୨ ଜଣ ପୁରୁଷ ୧୨ଜଣ ମହିଳା ଥିବାବେଳେ ୧୩ଜଣ ଶିଶୁ ଥିବା ଜଣାପଡିଛି ।
ଟିଟିଲାଗଡରୁ ଦାଦନ ଚାଲାଣ ଏକ ନିୟମିତ ପ୍ରକ୍ରିୟା। ନୂଆଖାଇ ପରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଦଲାଲଙ୍କ ପ୍ରରୋଚନାରେ ଲୋକେ ବାହାର ରାଜ୍ୟକୁ ଯାଇଥାନ୍ତି। ଟିଟିଲା ଗଡ ପୁଲିସ ଗୁଲମୀ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ପିକଅପ ଭ୍ୟାନ ସହ ଦୁଇଟି ବଲେରୋରେ କିଛି ଲୋକ ଯାଉଥିବା ଦେଖିବାକୁ ପାଇଥିଲା। ଗାଡି ଅଟକାଇ ପଚରାଉଚରା କରିବାକୁ ଚେଷ୍ଟା କରିବା ବେଳେ ଗାଡିରୁ ଦାଦନ ସର୍ଦ୍ଦାର ଗାଡିରୁ ଓହ୍ଲାଇ ଚମ୍ପଟ ମାରିଥିଲା।
ଗାଡିରେ ୪୭ ଶ୍ରମିକ ଆନ୍ଧ୍ର ପ୍ରଦେଶକୁ ଯାଉଥିଲେ।ସେମାନଙ୍କୁ ମୋଟା ଅଙ୍କର ପ୍ରରୋଚନା ଦେଇ ଦାଦନ ସର୍ଦ୍ଦାର ୩ଟି ଗାଡିରେ ସେମାନଙ୍କୁ ଟିଟିଲାଗଡ ଷ୍ଟେସନକୁ ନେଉଥିଲା। ଷ୍ଟେସନରୁ ସେମାନେ ଟ୍ରେନ ଯୋଗେ ଆନ୍ଧ୍ର ପ୍ରଦେଶ ଯାଇଥାନ୍ତେ। କିନ୍ତୁ ପୁଲିସ ହାବୁଡରେ ପଡିଥିଲେ ସମସ୍ତେ। ପୁଲିସ ଶ୍ରମିକଙ୍କୁ ନିଜ କବଜାକୁ ନେବାରେ ସକ୍ଷମ ହୋଇଥିବା ବେଳେ କିନ୍ତୁ ସର୍ଦ୍ଦାର ଫେରାର ମାରିଛି।
ପୁଲିସ ସମସ୍ତ ଶ୍ରମିକଙ୍କୁ ଥାନାକୁ ଆଣି ସେମାନଙ୍କୁ ପଚରା ଉଚରା କରିବା ପରେ ସେମାନଙ୍କ ଗାଁକୁ ପଠାଇଦେଇଛି।