ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ନିଜର ସମସ୍ୟା ଜଣାଇବାକୁ ଆସିଥିବା ଜଣେ ଛାତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ଖୋଦ ଜିଲ୍ଲାପାଳ ମଧ୍ୟ ତାର କଥାକୁ ମନଧ୍ୟାନ ଦେଇ ଶୁଣିବା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ, ସୋମବାର ଥିଲା କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି। ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦୁଇଶହରୁ ଅଧିକ ଅଭିଯୋଗ ଦାଖଲ କରାଯାଇଥିବାବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ସ୍କୁଲ ବନ୍ଦ କରି ଆସି ପହଞ୍ଚିବା ଚର୍ଚ୍ଚାର ବିଷୟ ହୋଇଛି। ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ କେଶପଦର ଗାଁର ବବଲୁ ବାଗ ନାମକ ଏହି ଛାତ୍ର ଜଣକ ଆଜି ସ୍କୁଲ ଛୁଟି କରି ବିଶ୍ୱନାଥପୁର ଆସିବା ସହିତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ଦେଇଥିଲା। ଦାବି ଅନୁଯାୟୀ, ପିଲାଟିର ନାଁ ବବଲୁ ବାଗ। ସେ ପିଲାଟି ଦିନରୁ ନିଜ ମାକୁ ହରାଇଥିବାବେଳେ ବର୍ଷକ ତଳୁ ତାର ବାପାଙ୍କ ମୃତ୍ୟୁ ଘଟିଛି। ସେହିଦିନରୁ ବାପ- ମାଆ ଛେଉଣ୍ଡ ବବଲୁ ନିଜ ଆଇ ପାଖରେ ଆଶ୍ରୟ ନେଇଛି। ବୃଦ୍ଧା ଆଇ ନିଜର ଭତ୍ତା ଟଙ୍କା, ଚାଉଳ ବ୍ୟତୀତ ମାଗିଯାଚି ନିଜର ନାତିକୁ ପୋଷିବା ସହିତ ପୋଖରୀବନ୍ଧ ସ୍କୁଲରେ ପାଠ ପଢାଉଛି। ତେବେ ବବଲୁ ନିଜ ସାଙ୍ଗସାଥିଙ୍କଠାରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମ୍ପର୍କରେ ଶୁଣି ନିଜେ ଅଭିଯୋଗ ଦାଖଲ କରିବାକୁ ପହଂଚିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାପାଳ ବବଲୁର କଥା ଶୁଣିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ରଙ୍କୁ ତାର ଅଭିଯୋଗ ସମ୍ପର୍କରେ ତଦନ୍ତ ସହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶଶାଙ୍କ ପାତ୍ର ଗାଁ ଗସ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସେହିପରି କେହିଜଣେ ବଦାନ୍ୟ ବ୍ୟକ୍ତି ତାକୁ ନୂଆ ସାଇକେଲଟିଏ କିଣିଦେଇଥିବା ଜଣାପଡିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now