ହାବସପୁରୀ କଳାକୁ ବଞ୍ଚାଇବା ପାଇଁ ନିଆରା ପ୍ରୟାସ

Spread the love

କଳାହାଣ୍ଡି: କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ ପିନ୍ଧିବେ ହାବସପୁରୀ କପଡ଼ାର ୟୁନିଫର୍ମ । ବୁଡି ଯାଉଥିବା ହାବସପୁରୀ କଳାକୁ ବଞ୍ଚାଇବା ପାଇଁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ହାବସପୁରୀ ଶାଢୀର ପ୍ରଚାର ପ୍ରସାର ପାଇଁ ସରକାର ଆଗ୍ରହ ଦେଖାଇନଥିବା ବେଳେ, ହାବସପୁର ଶାଢୀ ତିଆରି କରୁଥିବା ବୁଣାକାର ନିଜର ରୋଜଗାର ହରାଇ ବସୁଥିଲେ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ହାବସପୁରୀ କପଡାର ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବୁଣାକାରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି ।

ପଶ୍ଚିମଓଡିଶାରେ ବରପାଲି ଶାଢୀ, ସୋନପୁରୀ ଶାଢୀ, ବାନ୍ଧ ଶାଢୀ, ଓ ସମ୍ବଲପୁରୀ ଶାଢୀ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ସେଥି ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ହାବସପୁରୀ ଶାଢୀ ମଧ୍ୟ  ଜିଲ୍ଲା , ରାଜ୍ୟ, ଦେଶ ତଥା ଦେଶ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛି ସତ, କିନ୍ତୁ ଏବେ ଧିରେ ଧିରେ ଲୋପ ପାଇବାକୁ ବସିଛି। ବର୍ତ୍ତମାନ ବିଭିନ୍ନ ଶାଢ଼ୀ ବଜାରକୁ ଆସିବା ଯୋଗୁଁ ହାତବୁଣା ଶାଢ଼ୀର ଚାହିଦା କମିବାକୁ ଲାଗିଲା । ଜିଲ୍ଲାରେ ଉନବିଂଶ ଶତାବ୍ଦୀରେ  ଲୋକମାନେ ହାବସପୁରୀ ଶାଢ଼ୀ ବୁଣାକାମ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଭୁଲିଆ ସମ୍ପ୍ରଦାୟର ଲୋକେ ଏହାକୁ କୌଳିକ ବୃତ୍ତି ହିସାବରେ ଗ୍ରହଣ କରିଥିଲେ । ବୁଣାକାର ମାନେ ବେପାର କମିଯିବାରୁ ଶାଢ଼ୀବୁଣା ଛାଡି  ଅନ୍ୟ କାମ କରି ପରିବାର ପ୍ରତିପୋଷଣ କଲେ । ଫଳରେ ହାବସପୁରୀ ଶାଢ଼ୀ ଆଉ ବଜାରରେ ଦେଖିବାକୁ ମିଳୁନାହିଁ । ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ଡ଼ ସଞ୍ଜୟ ଶତପଥି ଓ ଡିଜାଇନର ସୁଜିତ ମେହେର ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ବିଶ୍ବ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ହାବସପୁରୀ କପଡାର ଡ୍ରେସ କୋଡ ପରିଧାନ କରିବେ।  ଶହ ଶହ ଛାତ୍ର ଛାତ୍ରୀ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି।

ବର୍ତ୍ତମାନ ହାବସପୁରୀ ଶାଢ଼ୀ ହାତ ଗଣତି କିଛି ଗ୍ରାମରେ କମ ମାତ୍ରାରେ ବୁଣାଯାଉଛି ।  ୧୯୫୧ମସିହାରେ ହାବସପୁରୀ ଶାଢ଼ୀ ଦିଲ୍ଲୀର ପ୍ରଦର୍ଶନୀ ପଡ଼ିଆରେ ଭାଗ ନେଇ ବେଶ ଆଦୃତ ହୋଇଥିଲା । ତେବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ୟୁନିଫର୍ମ ପ୍ରଚଳନ ପାଇଁ ପ୍ରୟାସ ଆରମ୍ଭ  କରିଛନ୍ତି । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ନିଜ  ହାତରେ ନୂଆ ୟୁନିଫର୍ମ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ।  ଏହାଦ୍ବାରା କାରିଗର ବହୁଳ ଭାବରେ ଉପକୃତ ହେବେ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି l

ଓଡ଼ିଶାରେ ବୟନ ଶିଳ୍ପକୁ ସରକାର ଅଣଦେଖା କରୁଥିବାରୁ ହାବସପୁରୀ ଶାଢ଼ୀ ଏବେ ଲୋପ ପାଇବାକୁ ବସିବାକୁ ଥିବା ବେଳେ, କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ଏହି ନିଆରା ପ୍ରୟାସ  ବୁଣାକାରଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଛି।  

କୈଳାଶ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *