ଓଡ଼ିଶା

ଜାଲି ଦିବ୍ୟାଙ୍ଗ ପ୍ରମାଣପତ୍ରରେ କଲେଜରେ ଆଡମିଶନ

ଜାଲି ଦିବ୍ୟାଙ୍ଗ ପ୍ରମାଣପତ୍ର ବଳରେ କଲେଜରେ ଆଡମିଶନ ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। କେବଳ ବିଜେବି କଲେଜ କାହିଁକି, କୌଣସି କଲେଜରେ ବି ଏମିତି ଘଟଣା ଘଟିଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ସେପଟେ ପୁଲିସ ଏହାର ତନାଘନା ଆରମ୍ଭ କରିଥିଲା ବେଳେ ବିଜେବି କଲେଜ କର୍ତ୍ତୃପକ୍ଷ ୮ଟି ଜିଲ୍ଲାର ସିଡିଏମଓଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି।
ଦିବ୍ୟାଙ୍ଗଙ୍କ ଲାଗି ଉଦ୍ଦିଷ୍ଟ ସିଟ୍କୁ ହାଇଜାକ। ସଂରକ୍ଷଣ ସାଙ୍ଗକୁ ନା ଲେଖା ବି ମାଗଣା। ହଷ୍ଚେଲରେ ରହିବାରେ ଅଗ୍ରାଧିକାର ବି। କଳବଳେ ସିଡିଏମଓ ଅଫିସରୁ ଜାଲି ଦିବ୍ୟାଙ୍ଗ ପ୍ରମାଣପତ୍ର ହାତେଇ ଆଡମିଶନ ନେଇଥିବା ବିଜେବି କଲେଜର ୮ ଛାତ୍ରଛାତ୍ରୀଙ୍କୁ ଧରିବା ପରେ ଏବେ କର୍ତ୍ତୃପକ୍ଷ ଏହାକୁ ବ୍ୟାପକ କଲେଣି। ଗଲା ତିନୋଟି ଶିକ୍ଷାବର୍ଷରେ ନାଁ ଲେଖାଇଥିବା ୧୦୨ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ ରିପୋର୍ଟ ୨୩ ଜିଲ୍ଲାର ସିଡିଏମଓଙ୍କୁ ମଗାଇଥିଲେ। ତେବେ ୧୫ଟି ଜିଲ୍ଲାରୁ ରିପୋର୍ଟରେ ୮ ଜଣଙ୍କୁ ଧରା ହୋଇଛି। କିନ୍ତୁ ବାକି ୮ଟି ଜିଲ୍ଲାର ରିପୋର୍ଟ ଏବେ ବି ଆସିନଥିବାରୁ ପୁଣି ଥରେ ରିପୋର୍ଟ ଦେବାକୁ ରିମାଇଣ୍ଡର ପଠାଯାଇଛି। ସେପଟେ ଏତଲା ପରେ କମିଶନରେଟ ପୁଲିସ ବି ତନାଘନା ଆରମ୍ଭ କରିଛି।ଆଇପିସିର ଧାରା ୪୨୦, ୪୬୫, ୪୬୮ ଓ ୪୭୧ରେ ମାମଲା ରୁଜୁ କରିଛି I ଅଭିଯୁକ୍ତ ୮ ଛାତ୍ରଛାତ୍ରୀଙ୍କୁ ଡାକି ଜେରା କରିବାକୁ ଚିନ୍ତା କରିଛି। କାରଣ ଏଭଳି ସାଙ୍ଘାତିକ ଅପରାଧ ଲାଗି ମେଧାବୀ ବିଦ୍ୟାର୍ଥୀ ବଞ୍ଚିତ ହୋଇଛନ୍ତି। ଆଉ ଏଭଳି କାରସାଦିକୁ ବରଦାସ୍ତ କରାଯିବନି ବୋଲି ଚେତେଇ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଘଟଣାକୁ ନେଇ ବିଭାଗୀୟ ତର୍ଜମା କରିବା ସହ ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ପ୍ରଥମେ ଭଦ୍ରକ କଲେଜରେ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଆଡମିଶନ ଘଟଣା ଖୋଳୁ ଖୋଳୁ ଏହାର ଚେର ବିଜେବି କଲେଜ ଯାଏ ଲମ୍ୱିଥିବା ଜଣାପଡ଼ିଛି। ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜରେ ପଢୁଥିବା ଦିବ୍ୟାଙ୍ଗ ପ୍ରମାଣପତ୍ର ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ ଉଚ୍ଚଶିକ୍ଷା ସଚିବ।

Leave a Reply

Your email address will not be published.

Back to top button