ଓଡ଼ିଶାଦୁର୍ନୀତି ଓ କାଣ୍ଡ

ଭିତ୍ତିପ୍ରସ୍ତରର ଦୀର୍ଘ ୩୨ ବର୍ଷ ପରେ ବି ଶେଷ ହେଉନି କାମ

ଯାଜପୁର: ବର୍ଷେ କି ଦୁଇ ବର୍ଷ ନୁହେଁ । ଭିତ୍ତିପ୍ରସ୍ତରର ଦୀର୍ଘ ୩୨ ବର୍ଷ ପରେ ବି ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ରାସ୍ତା କାମ । ୧୯୯୦ ମସିହାରେ ଆରମ୍ଭ ହୋଇଥିବା ଯାଜପୁର ଛନ୍ଦାମୁଣ୍ଡ ବିସିଜେ ହାଇସ୍କୁଲଠାରୁ ବଡ କୁଆଁଲ ପ୍ରକଳ୍ପ କାମ ଶେଷ ହୋଇପାରିନାହିଁ । ଫଳରେ ଲୋକେ ନାହିଁନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଥମେ କାମ ଆରମ୍ଭ କରିଥିବା ବେଳେ ଏବେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରାଯାଇଛି । ଏହାର କାମ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

୯୦ ଦଶକରେ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ପ୍ରକଳ୍ପ ଆଜି ବି ଅଧାପନ୍ତରିଆ ହୋଇପଡିରହିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏ ହେଉଛି ଯାଜପୁର ବିଂଝାରପୁର ବ୍ଲକ ଛନ୍ଦାମୁଣ୍ଡ ବିସିଜେ ହାଇସ୍କୁଲ ଛକ ଠାରୁ ବଡ କୁଆଁଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୃଶ୍ୟ । ମାତ୍ର ୧୨ କିଲୋମିଟର ରାସ୍ତା କାମ ବିଗତ ୩୨ ବର୍ଷ ଭିତରେ ଶେଷ ହୋଇପାରିନାହିଁ । ଫଳରେ ଲୋକେ ମାଟି ରାସ୍ତାରେ ଯାତାୟାତ କରୁଛନ୍ତି । ବର୍ଷା ଦିନେ ଏହି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ । ବାରମ୍ବାର ଦାବି କଲେ ଏହି ରାସ୍ତା ନିର୍ମାଣ ହେଉନଥିବାରୁ ଏହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମୋଟ ୧୨ କିମି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କରାଯିବା ପାଇଁ ସ୍ଥିର ହୋଇଥିଲା । ସେଥି ମଧ୍ୟରେ ପୋଲ ଏବଂ ରାସ୍ତା ମିଶାଇ ୮ କିଲୋମିଟର କାମ ସରିଛି । କିନ୍ତୁ ବାକି ୪ କିଲୋମିଟର ରାସ୍ତା ଜମି ଅଧିଗ୍ରହଣ ସମସ୍ୟା ପାଇଁ ଅଟକି ରହିଛି । ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରି ଠିକାଦାର ପାର ହୋଇଯାଇଥିବା ବେଳେ ଏହି ପୋଲକୁ ସଂଯୋଗ କରୁଥିବା ରାସ୍ତା କାମ ସରିପାରିନି । ଏନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁପଂଳ ମିଳୁନାହିଁ । ସେପଟେ ପୂର୍ବରୁ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିଲା । ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏହା ହୋଇପାରିନଥିଲା । ସେଥିପାଇଁ ଏହି ପ୍ରକଳ୍ପକୁ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରାଯାଇଛି ଏବଂ ଏହାର କାମ ଶିଘ୍ର ଆରମ୍ଭ ହେବ ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

୧୨ କିଲୋମିଟର ରାସ୍ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲାଗିଲାଣି ୩୨ ବର୍ଷ । ଆଗକୁ କେତେ ବର୍ଷ ଲାଗିବ ଏହି ରାସ୍ତା ସମ୍ପୂର୍ଣ୍ଣ ହେବା ପାଇଁ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

 ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button