ଆରବଳୀର ପରିଭାଷାକୁ ନେଇ ଉଠିଛି ବିବାଦ

ଆରାବଳୀ ହିଲ୍ସକୁ ବିବାଦକୁ ନେଇ ନିଜ ଆଡ଼ୁ ସଂଜ୍ଞାନ ନେଲେ ସୁପ୍ରିମକୋର୍ଟ। ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣୀ କରିଛନ୍ତି। ନିଜେ ଦେଇଥିବା ରାୟ ଉପରେ ଲଗାଇଲେ ରୋକ୍। ଖନନକୁ ନେଇ ସରକାରଙ୍କୁ ମାଗିଲେ ସ୍ପଷ୍ଟିକରଣ। ଆରାବଳୀ ପର୍ବତମାଳାର ପରିଭାଷା ଓ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତାପ୍ରକଟ କରିଛନ୍ତି। ଅନେକ ଟେକ୍ନିକ ପ୍ରଶ୍ନ ଉପରେ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଏବେକାର ପରିଭାଷାରୁ ପରିବେଶ ସଂରକ୍ଷଣର ସୀମା ସଙ୍କୁଚିତ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ସିଜେଆଇ। ଆରାବଳୀ ରେଞ୍ଜର ନୂଆ ପରିଭାଷାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ମଞ୍ଜୁରୀକୁ ନେଇ ଉଠିଥିଲା ବିବାଦ। ଶହେ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ପାହାଡ଼ ଆରାବଳୀ ପର୍ବତଶୃଙ୍ଖଳା ଅଧୀନରେ ଆସିବନି। ଶହେ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ପାହାଡ଼କୁ କେବଳ ଆରାବଳୀର ମାନ୍ୟତା ମିଳିବ। ଏ ସବୁ ପାହାଡ଼ରେ ଖଣି ଉତ୍ତୋଳନ ଲାଗି ଲିଜ୍ ଦିଆଯାଇପାରିବ ବୋଲି ସୁପ୍ରିମକୋର୍ଟ ଦେଇଥିଲେ ଆଦେଶ। କେନ୍ଦ୍ର ପରିବେଶ ମନ୍ତ୍ରାଳୟ ନଭେମ୍ୱର ୨୦ରେଲ କରିଥିବା କମିଟି ସୁପାରିଶକୁ ମୋହର ମାରିଥିଲେ ସୁପ୍ରିମକୋର୍ଟ। ପରିବେଶବିତ୍ ଓ ବିରୋଧୀ ଆଶଙ୍କା କରିଥିଲେ ଯେ, ଏଭଳି ରାୟ ଫଳରେ ହରିଆଣା, ଗୁଜରାଟ, ଦିଲ୍ଲୀ ରାଜସ୍ଥାନକୁ ପରିବ୍ୟାପ୍ତ ଆରାବଳୀ ପର୍ବତ ଶୃଙ୍ଖଳାର ପ୍ରାୟ ୯୦ ପ୍ରତିଶତ ଅଂଶ ବାଦ୍ ପଡ଼ିପାରେ। ଆରାବଳୀର ଅସ୍ତିତ୍ୱ ସଂକଟରେ ପଡ଼ିବ। ଖନନ ଗତିବିଧି ଲାଗି ଜୈବବିବିଧତା ନଷ୍ଟ ହେବ। ଜଳ, ଖାଦ୍ୟ ସୁରକ୍ଷା ସହ ଜଳବାୟୁ ସନ୍ତୁଳନ ଉପରେ ଗଭୀର ପ୍ରଭାବ ପଡ଼ିବ। ଏହି ରାୟକୁ ନେଇ ଦିଲ୍ଲୀ, ରାଜସ୍ଥାନ, ହରିଆଣାରେ ବିରୋଧ ହୋଇଥିଲା। କେନ୍ଦ୍ର ପରିବେଶ ମନ୍ତ୍ରୀ କହିଥିଲେ, ଏହାକୁ ନେଇ ବିରୋଧୀ ଭ୍ରମ ସଞ୍ଚାର ସୃଷ୍ଟି କରୁଛନ୍ତି। ଆରାବଳୀର ସଂରକ୍ଷଣ ଓ ସୁରକ୍ଷା ନେଇ ସରକାର ସଂକଳ୍ପବଦ୍ଧ। ବିବାଦ ବଢ଼ିବା ପରେ ଡିସେମ୍ୱର ୨୪ରେ ଆରାବଳୀରେ କୌଣସି ପ୍ରକାର ଖନନକୁ ନେଇ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର। ପୁରା ଆରାବଳୀଲ ପର୍ବତଶୃଙ୍ଖଳାରେ କୌଣସି ନୂଆ ଖନନ ଲାଗି ଲିଜ୍ ଜାରି ହେବନି।

୬୯୨ କିଲୋମିଟର ଲମ୍ୱା ଆରାବଳୀର ଉଚ୍ଚତା ୧୭୨୭ ମିଟର। ଆରାବଳୀର ୮୦ ପ୍ରତିଶତ ଅଂଶ ରାଜସ୍ଥାନରେ ରହିଛି। ଶେଷରେ ସୁପ୍ରିମକୋର୍ଟ ନଭେମ୍ୱରରେ କମିଟି ସୁପାରିଶ କ୍ରମେ ଦେଇଥିବା ରାୟକୁ ସ୍ଥଗିତ ରଖିଲେ। ଜାନୁଆରୀ ୨୧ରେ ଏହାର ପରବର୍ତ୍ତୀ ଶୁଣାଣୀ କରିବେ। ଆରାବଳୀ ପାହାଡ଼କୁ ନେଇ ନୂଆ ସର୍ଭେ ଓ ଷ୍ଟଡ଼ି ଲାଗି ନୂଆ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି କମିଟି ନିରପେକ୍ଷ ଓ ବୈଜ୍ଞାନିକ ଯାଞ୍ଚ କରିବ। ସୁପ୍ରିମକୋର୍ଟ କହିଛନ୍ତି, ଆରାବଳୀର ଶହେ ମିଟର ଉଚ୍ଚତାରୁ କମ୍ ପାହାଡ଼ରେ ଖନନକୁ ନେଇ ଅଧିକ ସ୍ପଷ୍ଟତା ଆସିବା ଜରୁରୀ।

ଆରବଳୀର ପରିଭାଷାକୁ ନେଇ ଉଠିଛି ବିବାଦ। ଦେଖିବାର କଥା, ଏ ବିବାଦ ଆଗକୁ କି ମୋଡ଼ ନେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *