ଫେବୃଆରୀ ୧୩ରୁ ବଜେଟ୍ ଅଧିବେଶନ

ଫେବୃଆରୀ ୧୩ରୁ ବିଧାନସଭାର ବଜେଟ୍ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ୧୩ରୁ ୨୧ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୭ରୁ ଏପ୍ରିଲ ୫ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଫେବୃଆରୀ ୧୪ ଓ ୧୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଫେବୃଆରୀ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ। ମାର୍ଚ୍ଚ ୧୦ରୁ ୨୮ ଯାଏଁ ବଜେଟ୍ ଉପରେ ଆଲୋଚନା ହେବ। ମାର୍ଚ୍ଚ ୨୯ରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ଚଳିତ ଅଧିବେଶନରେ ବିରୋଧୀଙ୍କ ଗଠନମୂଳକ ପରାମର୍ଶ ଉପାଦେୟ ହେବ ବୋଲି ଆଶା କରିଛନ୍ତି ବାଚସ୍ପତି। ଅଧିବେଶନ ଆଗରୁ ସର୍ବଦଳୀୟ ବୈଠକ ବସିବ। ତେବେ ବିରୋଧୀଙ୍କ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ବାଚସ୍ପତି।

ସେପଟେ ବିରୋଧୀ ବି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲେଣି। ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ଯେମିତି ପ୍ରଶ୍ନ ନ ଉଠେ, ସେଥିଲାଗି ଆସନର ଗାରିମା ବଜାୟ ରଖିବାରେ ସେତିକି ଅନୁରୂପ ପଦକ୍ଷେପ ନେବା ବି ଦରକାର ବୋଲି ପରାମର୍ଶ ଦେଇଛନ୍ତି। କଟନିଛଟନି, ମିଲର ମନମାନି, ଚାଷୀ ଆତ୍ମହତ୍ୟା, ରାସନ କାର୍ଡ କେଳେଙ୍କାରୀ, ଦରବୃଦ୍ଧି, ଡାଇରିଆ ମୃତ୍ୟୁ,  ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନବ ଦାସ ହତ୍ୟାକାଣ୍ଡର ପୁରୁଣା ଫର୍ଦ୍ଦ, ଅନାସ୍ଥା ଭୋଟ ଆଗରୁ ପ୍ରତିଶୋଧପରାୟଣ ରାଜନୀତି, ରାଜଧାନୀ ରାଜରାସ୍ତାରେ ମୁଣ୍ଡକାଟ, ମହାନଦୀ ଜଳବିବାଦ, ପୋଲାଭରମରୁ ନେଇ ମାଳ ମାଳ ପ୍ରସଙ୍ଗକୁ ଗଣ୍ଠି କରିବ ବିରୋଧୀ। ନୂଆ ସରକାର କହି ନିଜର ଉତ୍ତରଦାୟିତ୍ୱରୁ ଆଉ ଖସିପାରିବେନି ମୋହନ ସରକାର। ନାଁ ଓ ରଙ୍ଗ ବଦଳାଇ ଲୋକଙ୍କୁ ଭୂଆଁ ବୁଲାଉଥିବା ସରକାରର ଗୋହି ଖୋଳିବାକୁ ଚିଠା ପ୍ରସ୍ତୁତ କଲେଣି ବିରୋଧୀ। ଆଉ ବିରୋଧୀଙ୍କ ସବୁ ପ୍ରଶ୍ନକୁ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛି ଶାସକ ଦଳ। ବଜେଟ୍ ଅଧିବେଶନ ସୁରୁଖୁରୁରେ ଚାଲିବ ନା ବିରୋଧୀଙ୍କ ହଟ୍ଟଗୋଳରୁ ବାଧା ଉପୁଜିବ। ଶାସକ ଓ ବିରୋଧୀଙ୍କ ସହଯୋଗ, ସମନ୍ୱୟରୁ ଲମ୍ୱା ସମୟ ଧରି ଚାଲିବାକୁ ଥିବା ବଜେଟ୍ ଅଧିବେଶନ ଶାନ୍ତିଶୃଙ୍ଖଳାରେ ସରିବ ବୋଲି ସମସ୍ତେ ଆଶାବାଦୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *