ଓଡ଼ିଶା

ତୁଟୁନି ଆବାସ କଳି

() ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଅଭିଯୋଗ ଦାଖଲର ଅବଧି ଶେଷ ହୋଇଛି । ଆଉ ତା ସହ ତାଲିକାରୁ ବାଦ ପଡିଥିବା ଲୋକଙ୍କ ରୋଷ ପଦାକୁ ଆସିଛି । ଆଶାୟୀ ହିତାଧିକାରୀ ରାସ୍ତାକୁ ଓହ୍ଲାଇବା ସହ ବିଭିନ୍ନ ସ୍ଥାନରେ ପଞ୍ଚାୟତ ଓ ବ୍ଲକ ଅଫିସ ଘେରାଉ କରିଛନ୍ତି। ଯେଉଁଥିରେ ବିରୋଧୀ ବି ସାମିଲ ହୋଇଛନ୍ତି। ଆବାସ ତାଲିକା ଓ ସେଥିରେ ସ୍ୱଚ୍ଛତାର ଅଭାବକୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି ।

ସରିଲା ଡେଡଲାଇନ । ତୁଟିଲାନି ବିବାଦ । ଯିଏ ପାଇଲେ ଖୁସି, ଆଉ ଯିଏ ବାଦ ପଡ଼ିଲେ ସେମାନେ ନିରାଶ । ପିଏମ ଆବାସକୁ ନେଇ ପ୍ରତି ଗାଁରେ ଅସନ୍ତୋଷର ନିଆଁ କୁହୁଳୁଛି ଓ ସ୍ଥାନୀୟ ରାଜନୀତିକୁ ତାହା ଉଷ୍ଣ କରିଛି। ମଙ୍ଗଳବାର ସରିଛି ଆବାସ ପାଇଁ ଅଭିଯୋଗ ଦାଖଲର ଅବଧି । ଅନେକ ସ୍ଥାନରେ ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ ହୋଇ ତାଲିକାରୁ ବାଦ ପଡ଼ିଥିବା ପରିସ୍ଥିତିକୁ ବିବାଦୀୟ କରିଛି । ଅସନ୍ତୁଷ୍ଟ ଲୋକ ରାସ୍ତାକୁ ଓହ୍ଲାଇବା ସହ ଜୋରଦାର ପ୍ରତିବାଦ କରିଛନ୍ତି ।

ସେପଟେ ବିରୋଧୀ ଏହାକୁ ପ୍ରସଙ୍ଗ କରି ସ୍ୱର ଶାଣିତ କରିଛନ୍ତି । ଜଳେଶ୍ୱରରେ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ ସହ ସରକାରଙ୍କ ବିରୋଧରେ ନାରାବାଜି ହୋଇଛି । ସେହିପରି ଶେଷ ଦିନରେ ବାଙ୍କି ପଞ୍ଚାୟତକୁ ଅଭିଯୋଗ କରିବା ପାଇଁ ଆସି ଫର୍ମ ନପାଇ ସାଧାରଣ ଲୋକଙ୍କୁ ଫେରିବାକୁ ପଡିଛି । ଯାହାକୁ ନେଇ ଶହ ଶହ ଲୋକ ପଞ୍ଚାୟତ ଘରେ ତାଲା ପକାଇ ଦେଇଥିଲେ । ସମାନ ଚିତ୍ର ଧାମନଗରରେ ମଧ୍ୟ ଦେଖିବାକୁ ମିଳିଛି ।  ସେପଟେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଥୁଆପଡ଼ି ଗ୍ରାମ ପଞ୍ଚାୟତରେ ମଧ୍ୟ ତାଲା ପକାଇଛନ୍ତି ସାଧାରଣ ଲୋକ । ଏପଟେ ଚାଳଛପର ଘର ଥିବା ଲୋକଙ୍କ ବଦଳରେ ଦଳୀୟ ଲୋକଙ୍କୁ ଘର ମିଳିଥିବା ଅଭିଯୋଗ ଆଣି ମାଲକାନଗିରିର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି । ସେହିପରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପିରିଜିପୁର ପଞ୍ଚାୟତରେ ୩୯ ଜଣ ଲୋକ ଅନଲାଇନରେ ଅଭିଯୋଗ କରିଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ । 

ସେପଟେ ବୁଧବାର ରାଜ୍ୟର ସବୁ ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ପତ୍ର ଦେବ ବିଜେପି । ଏହାସହ ଆଗକୁ ବିଧାନ ସଭା ଘେରାଉ କରିବ ବୋଲି ଦଳ କହିଛି । ସେହିପରି କଂଗ୍ରେସ ମଧ୍ୟ ସପ୍ତାହେ ମଧ୍ୟରେ ଗାଁରୁ ନେଇ ରାଜଧାନୀ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିରୋଧରେ ଅନ୍ଦୋଳନ ଜୋରଦାର କରିବା ପ୍ରକ୍ରିୟା ଆରମ୍ଭ କରିସାରିଛି । ସେପଟେ ବିରୋଧିଙ୍କୁ କଡା ଜବାବ ଦେଇଛି ଶାସକ ଦଳ । ଯଦି ଯୋଗ୍ୟ ହିତାଧିକାରୀ ଘର ପାଇ ନଥିବାର ତଥ୍ୟ ବିରୋଧିଙ୍କ ପାଖରେ ଅଛି ତାହା ସାର୍ବଜନୀନ କରନ୍ତୁ ବୋଲି ଆହ୍ୱାନ ଦେଇଛି ଦଳ ।

ତେବେ ଅଭିଯୋଗର ଅବଧି ସରିଲା ହେଲେ ଘର କଳି ତୁଟିଲା ନାହିଁ । ଲୋକଙ୍କୁ ଘର ମିଳୁ କି ନାହିଁ ଏପଟେ ବିଜେପି ଗାଁ ଗାଁରେ ଆନ୍ଦୋଳନ ସହ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟର ଲଗାଇ ଧନ୍ୟବାଦ ଦେବାକୁ ଯୋଜନା କରୁଥିବା ବେଳେ ବିଜେଡି ମଧ୍ୟ ବିଜେପିକୁ ଚେକ୍ ଦେବାପାଇଁ ଫୁଲଦମରେ ପ୍ରସ୍ତୁତ ହେଉଛି ।

Leave a Reply

Your email address will not be published.

Back to top button