ସର୍ଗିପାଲି ଗଣଦୁଷ୍କର୍ମ, ହତ୍ୟା ମାମଲା : ସଠିକ୍ ତଦନ୍ତ ଓ ନ୍ୟାୟ ଦାବୀରେ ଜୁନ ୨୨ ରେ୧୨ ଘଂଟିଆ ବଲାଙ୍ଗିର ବନ୍ଦ ପାଳନ

Spread the love

ବଲାଙ୍ଗିର : ରାଜ୍ୟରେ ଦଳିତ ମହିଳାମାନଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଉଛି । ହେଲେ ପୀଡିତାଙ୍କ ପରିବାରଙ୍କୁ ନ୍ୟାୟ ମିଳିବା ତ ଦୂରର କଥା ନ୍ୟାୟ ପାଇଁ ଅନେକ ପୀଡିତାଙ୍କ ପରିବାର ବିଭିନ୍ନ ଜାଗାକୁ ଯାଇ ନୟନ୍ତ ହୋଇଗଲେଣି । ତେବେ ଏହାକୁ ନେଇ ଗତକାଲି ସ୍ଥାନୀୟ ମାରୱାଡି ସେବା ସଦନଠାରେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ ସବିତା ନନ୍ଦ ଉପସ୍ଥିତ ରହି ମହିଳାଙ୍କ ହକ୍ ପାଇଁ ଓ ନ୍ୟାୟ ପାଇଁ ପଶ୍ଚିମ ଓଡିଶା ମହିଳା ସଂଗଠନ ସବୁ ସମୟରେ ଆଗେଇ ଆସି ଲଢେଇ କରୁଥିବା ବେଳେ ସମଗ୍ର ରାଜ୍ୟରେ ମହିଳାମାନଙ୍କୁ ବିଶେଷ ଭାବରେ ଦଳିତ ମହିଳାମାନଙ୍କୁ ଗଣଦୁର୍ଷ୍କମ ପରେ ହତ୍ୟା କରାଯାଉଛି । ଆଜି ପର୍ଯ୍ୟନ୍ତ ଜଣଙ୍କୁ ମଧ୍ୟ ନ୍ୟାୟ ମିଳିପାରିନାହିଁ । ପିପିଲି, ବରଗଡ, ଢେଙ୍କାନାଳ, କୋରାପୁଟରେ ଅନେକ ଦଳିତ ମହିଳାମାନଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ତେବେ ଏଥିରୁ ବଲାଙ୍ଗିର ଜିଲ୍ଲା ମଧ୍ୟ ବାଦ ପଡିନାହିଁ । ଦିଲ୍ଲୀର ନିର୍ଭୟା ଘଟଣାରୁ ମଧ୍ୟ ଭୟଙ୍କର ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲିର ସ୍ନେହଲତା ଛତ୍ରିଆ ଘଟଣା । ଏହି ଘଟଣାକୁ ଆଜି ୮ ବର୍ଷ ପୂରିଲା । ହେଲେ ଏଯାଏଁ ନ୍ୟାୟ ମିଳି ପାରିନଥିବା କହି ଘଟଣାର ସିବିଆଇ ତଦନ୍ତ ଦାବୀ କରିଥିଲେ ଶ୍ରୀମତୀ ନନ୍ଦ ।

ଅନ୍ୟପଟେ ବଲାଙ୍ଗିର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦ ମୃତ୍ୟୁ ଘଟଣା ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟମୟ ହୋଇରହିଛି । ସେହିପରି ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ସଠିକ୍ କାର୍ଯ୍ୟାନୁଷ୍ଠାନ ଓ ବଙ୍ଗୋମୁଣ୍ଡାର ପୂଜା ଜୈନ ହତ୍ୟା ଘଟଣାର ପର୍ଦ୍ଦାଫାସ୍ ହୋଇପାରି ନାହିଁ । ଯାହାକୁ ଗୁରୁତ୍ୱ ଦେଇ ଘଟଣାର ସଠିକ୍ ତଦନ୍ତ କରିବା ସହ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିବା ଦାବୀରେ ପଶ୍ଚିମ ଓଡିଶା ମହିଳା ସଂଗଠନ ଆସନ୍ତା ଜୁନ୍ ୨୨ରେ ୧୨ ଘଂଟିଆ ବଲାଙ୍ଗିର ବନ୍ଦ ପାଇଁ ନିଷ୍ପତି ନେଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂଗଠନର ସଭାନେତ୍ରୀ ଶ୍ରୀମତୀ ନନ୍ଦ ।

Leave a Reply

Your email address will not be published. Required fields are marked *