ଅମୃତ ଯୋଜନାରେ ନୂଆ ରୂପ ନେବ ବାରିପଦା ରେଳଷ୍ଟେସନ

ବାରିପଦା : ବାରିପଦା ରେଳ ଷ୍ଟେସନର ଉନ୍ନତିକରଣ ନେଇ ରବିବାର ବାରିପଦା ସ୍ଥିତ ରେଳ ଷ୍ଟେସନ ପରିସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସସିଂରେ ଯୋଡି ହୋଇ ଶିଳାନ୍ୟାସ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ଓ ରେଳ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଯୋଡି ହୋଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମୃତ ଭାରତ ଯୋଜନାରେ ଉକ୍ତ ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ୧୭ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତିକରଣ ହେବ। ବାରିପଦା ଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ. ବିଶେଶ୍ଵର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡଃ. ବୁଢାନ ମୁର୍ମୁ, ଖଡ଼ଗପୁର ଡିଭିଜନ ଡିଆରଏମ କେ.ଆର. ଚୌଧୁରୀ, ବରିଷ୍ଠ ଡିସିଏମ ଓଁମ ପ୍ରକାଶ ଚରଣ, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଦେଶର ସମୁଦାୟ ୫୦୮ଗୋଟି ରେଳ ଷ୍ଟେସନରେ ଉନ୍ନତିକରଣ ନେଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏଥିରେ ଓଡ଼ିଶାର ୫୭ଗୋଟି ରେଳ ଷ୍ଟେସନ ଥିବା ବେଳେ ବାରିପଦା ରେଳ ଷ୍ଟେସନ ମଧ୍ୟ ଯୋଡି ହୋଇଛି।

ମୟୁରଭଞ୍ଜ ଗଡଜାତ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନ ସମୟରେ ନିର୍ମାଣ ହୋଇଥିବା ରେଳପଥ ଓ ବାରିପଦା ରେଳ ଷ୍ଟେସନ ବହୁ ବର୍ଷର ପୁରୁଣା ହୋଇଥିବା ବେଳେ ଷ୍ଟେସନ୍ ର ରୂପରେଖ ବଦଳିବାକୁ ଯାଉଛି । ଅତ୍ୟାଧୁନିକ ଢାଞ୍ଚାରେ ବିଲଡିଂ ନିର୍ମାଣ ହେବ। ଯାତ୍ରୀମାନଙ୍କ ସୁବିଧା ସୁଯୋଗ ପାଇଁ ସମସ୍ତ ବ୍ୟବସ୍ଥା ରହିବ। ବାରିପଦା ରେଳ ଷ୍ଟେସନରେ ୧୨ ମିଟର ଫୁଟ ଓଭରବ୍ରିଜ, ବିଦ୍ୟୁତ, ସିଗନାଲ ବ୍ୟବସ୍ଥା, ଆଲୋକୀକରଣ, ପାର୍କିଂ ଓ ସୌର ଶକ୍ତି ଆଦିର ବ୍ୟବସ୍ଥା ରହିବ।

ଆଜିର ଏହି ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ଦେଶାତ୍ମବୋଧକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ବାଦାମପାହାଡ ଓ ବେତନଟୀ ରେଳ ଷ୍ଟେସନ ମଧ୍ୟ ସାମିଲ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *