ଶ୍ୟାମସୁନ୍ଦରପୁର ସମବାୟ ସମିତିରେ ଅଚଳାବସ୍ଥା, ଆର୍ଥିକ କାରବାରକୁ ସଚଳ କରାଯିବା ଦାବିରେ ଚାଷୀଙ୍କ ଧାରଣା

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିରେ ସଭାପତି ଓ ସମ୍ପାଦକ ବିବାଦକୁ ନେଇ ଦୀର୍ଘଦିନ ହେବ ସମବାୟ ସମିତିରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଯାହାକୁ ନେଇ ଉଚ୍ଚ କର୍ତ୍ତୃପକ୍ଷ ସମବାୟ ସମିତିର ଆର୍ଥିକ କାରବାରକୁ ବନ୍ଦ କରି ଦେଇଛନ୍ତି । ଯାହାଫଳରେ ସମବାୟ ସମିତି ଅଚଳ ହୋଇପଡ଼ିଛି । ଚାଷୀମାନେ ସମବାୟ ସମିତିରୁ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିସରରେ ବୋର୍ଡ଼ ସଦସ୍ୟ ଓ ଚାଷୀମାନେ ଧାରଣା ଦେବା ସହିତ ସମବାୟ ସମିତି ଆର୍ଥିକ କାରବାରକୁ ତୁରନ୍ତ ସଚଳ କରିବାକୁ ଦାବି କରିଥିଲେ । ଶୁକ୍ରବାର ସମବାୟ ବ୍ୟାଙ୍କ ପରିସରରେ ସମବାୟ ବ୍ୟାଙ୍କ ଅଧିନରେ ସମିତିମାନଙ୍କର ଉନ୍ନତି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମବାୟ ସମିତିର ସଭାପତି ଓ ସମ୍ପାଦକମାନେ ଯୋଗ ଦେବାକୁ ଥିଲାବେଳେ ସମ୍ପାଦକମାନେ ବୈଠକକୁ ବର୍ଜନ କରିଥିଲେ । ତେବେ ଶ୍ୟାମସୁନ୍ଦରପୁର ସମିତିର ଅଚଳାବସ୍ଥାକୁ ନେଇ ବୋର୍ଡ଼ ସଦସ୍ୟ ଓ ଚାଷୀ ବୈଠକକୁ ଆସିଥିବା ଭଦ୍ରକ-ବାଲେଶ୍ୱର ସମବାୟ ବ୍ୟାଙ୍କ ସଭାପତି ଗଣେଶ ପ୍ରସାଦ ମହାପାତ୍ର, ସମ୍ପାଦକ ଅଶୋକ କୁମାର ଦାସ, ଜିଲା ଉପନିବନ୍ଧକ ସଦାନନ୍ଦ ବେହେରା, ଜିଲା ସହକାରୀ ଉପନିବନ୍ଧକ ସତ୍ୟପ୍ରକାଶ ସେଠୀ, ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ପ୍ରମୁଖଙ୍କୁ ଶ୍ୟାମସୁନ୍ଦରପୁର ସମବାୟ ସମିତିକୁ ସଚଳ କରିବା ଦିଗରେ ପଦକ୍ଷେପ ନେବାକୁ ଅଡ଼ିବସିଥିଲେ । ସମିତିର ବୋର୍ଡ଼ ସଦସ୍ୟ ଓ ଚାଷୀ ବ୍ୟାଙ୍କ ପରିସରରେ ଦୀର୍ଘ ୩ଘଣ୍ଟା ଧରି ଧାରଣାରେ ବସିବା ପରେ ସମବାୟ ବ୍ୟାଙ୍କର କର୍ତ୍ତୃପକ୍ଷ ସେମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ । ଶ୍ୟାମସୁନ୍ଦରପୁର ସମିତିର ବୋର୍ଡ଼ ସଦସ୍ୟ ଓ ଚାଷୀ ଆଲୋଚନାରେ ଯୋଗ ଦେଇ ସମ୍ପାଦକ କାଳନ୍ଦୀ ଚରଣ ଦାସଙ୍କୁ ବେଆଇନ ଭାବେ ନିଲମ୍ବନ କରାଯାଇଥିବା ବେଳେ ସମିତିର ଆର୍ଥିକ କାରବାରକୁ ବନ୍ଦ କରିଦିଆଯିବାରୁ ଚାଷୀମାନେ ଋଣ ନେଣ ଦେଣ କରିପାରୁନାହାନ୍ତି । ଏଥି ସହିତ ସରକାରୀ ସୁବିଧା ସୁଯୋଗରୁ ଚାଷୀମାନେ ବଂଚିତ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଭଦ୍ରକ-ବାଲେଶ୍ୱର ସମବାୟ ବ୍ୟାଙ୍କ ସଭାପତି ଗଣେଶ ପ୍ରସାଦ ମହାପାତ୍ର ଆସନ୍ତା ୭ଦିନ ମଧ୍ୟରେ ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମିତିର ଆର୍ଥିକ କାରବାରକୁ ସଚଳ କରାଯିବ ବୋଲି ପ୍ରତିଶ୍ରୁତି ଦେଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସମିତିର ବୋର୍ଡ଼ ସଦସ୍ୟ ଲକ୍ଷ୍ମଣ ଦାସ, ସୁବାଶିଷ ଦାସ, ରାଜୀବ ରାଉତ, ମୂରଲୀଧର ମଳିକ, ରମାକାନ୍ତ ଦାସ ଓ ସୁରେନ୍ଦ୍ର ଦାସ ଏବଂ ଚାଷୀ ଅକ୍ଷୟ ଦାସ, ଦେବେନ୍ଦ୍ର ପ୍ରଧାନ, ଅଭୟ ଦାସ, ଅମୂଲ୍ୟ କୁମାର ଦାସ, ପୁରସ୍ତମ ରାଉତ, ପଞ୍ଚାନନ ଦାସ, ନରେନ୍ଦ୍ର ମଳିକ, ବିଦ୍ୟାଧର ରାଉତ, ରାଜେନ୍ଦ୍ର ଦାସ, ସର୍ବେଶ୍ୱର ଲେଙ୍କା ପ୍ରମୁଖଙ୍କ ସହିତ ବହୁ ଚାଷୀ ଧାରଣାରେ ବସିଥିଲେ । ସୂଚନା ଯୋଗ୍ୟ ଯେ, ସମିତିର ସଭାପତି ଭୀମସେନ ପ୍ରଧାନ ସମ୍ପାଦକ ଶ୍ରୀ ମଲ୍ଲିକଙ୍କୁ ବେଆଇନ ଭାବେ ନିଲମ୍ବନ କରିବା ପରେ ସମ୍ପାଦକ ଶ୍ରୀ ମଲ୍ଲିକ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ବୋର୍ଡ଼ ସଭ୍ୟମାନେ ସଭାପତି ଶ୍ରୀ ପ୍ରଧାନଙ୍କୁ ବହିସ୍କାର କରି ଦେବା ସହ ସମ୍ପାଦକଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଥିଲେ । ଏହି ଘଟଣାକୁ ନେଇ ସମିତିରେ ବିବାଦୀୟ ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ସେହିପରି ନିଶ୍ଚନ୍ତପୁର ସେବା ସମବାୟ ସମିତିରେ ସଭାପତି ସମ୍ପାଦିକା ଗୀତାଞ୍ଜଳି ଦାସଙ୍କୁ ନିଲମ୍ବନ କରିବା ପରେ ସେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଯାହାକୁ ନେଇ ସେହି ସମିତିରେ ମଧ୍ୟ ବିଶୃଙ୍ଖଳା ଦେଖା ଦେଇ ବୈଠକ ହୋଇପାରୁନାହିଁ । ଏହାକୁ ନେଇ ଶୁକ୍ରବାର ସମିତିର ବୋର୍ଡ଼ ସଦସ୍ୟମାନେ ଉପସ୍ଥିତ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ କର୍ତ୍ତୃପକ୍ଷ ତୁରନ୍ତ ଏହାର ସମାଧାନ କରିବା ପାଇଁ ଶାଖା ପରିଚାଳକ ଶ୍ରୀ ପୁହାଣଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *