ଆରମ୍ଭରୁ ଅସହଯୋଗ

Spread the love

() ଆରମ୍ଭରୁ ଅସହଯୋଗ ମୁଦ୍ରାରେ ରହିଲେ ବିରୋଧୀ। ଆଗ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ସରକାର ଗୃହରେ ସ୍ପଷ୍ଟିକରଣ ରଖନ୍ତୁ। ତା ପରେ ଯେଉଁ କଥା। ଏପରିକି ରାଜ୍ୟପାଳଙ୍କ ଅଭିଭାଷଣ ଆଗରୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ହଟ୍ଟଗୋଳ କରିଥିଲେ ବିରୋଧୀ। ଫାଇଭ-ଟି ସଚିବ ଓ ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ସଂପୃକ୍ତି ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା। ଆଉ କଂଗ୍ରେସ ବି କହିଛି, ପୁରା ପ୍ରକରଣ ପଛରେ ବଡ଼ ଷଡଯନ୍ତ୍ର ଅଛି। ବିଜେଡି କହିଲା, ଆଇନ ତା ବାଟରେ ଯାଉଛି। ଆଉ ଏହି ପରିବେଶ ଭିତରେ ଏଣ୍ଟ୍ରି ମାରି ରାଜନୀତି କରନ୍ତୁନି ବୋଲି ଅପିଲ୍ କରିଛନ୍ତି ନବଙ୍କ ଝିଅ ଦିପାଳୀ।

ବିଧାନସଭାର ପ୍ରଥମ ଦିନ। ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଲା। କିନ୍ତୁ ରାଜ୍ୟପାଳ ନିଜ ଅଭିଭାଷଣ ଆରମ୍ଭ ଆଗରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ସରକାରଙ୍କଠୁ ଜବାବ ଲୋଡ଼ିଥିଲେ। ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି। ତେବେ ଗୃହର ଅନ୍ୟ ସଦସ୍ୟଙ୍କ ସମେତ ସାଧାରଣ ଜନତା କେମିତି ସୁରକ୍ଷିତ ରହିବେ। ରାଜ୍ୟପାଳ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ। ଏ ନେଇ ସରକାର ଜବାବ ରଖନ୍ତୁ। କିନ୍ତୁ ରାଜ୍ୟପାଳ ନିଜ ଅଭିଭାଷଣ ପଢ଼ିବା ଆରମ୍ଭ କରିବାରୁ କଂଗ୍ରେସ ସଭ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି ସହ ପୋଡ଼ିଅମ ତଳେ ଧାରଣା ଦେଇଥିଲେ। କଂଗ୍ରେସ ସହ ବିଜେପି ସଭ୍ୟ ବି ସ୍ୱର ମିଳାଇଥିଲେ। ଆଉ ରାଜ୍ୟପାଳ କର୍ଣ୍ଣପାତ ନ କରିବାରୁ ବିଜେପି ସଭ୍ୟ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଧାରଣା ଦେଇଥିଲେ। ଆଉ ଏତିକିବେଳେ ବିରୋଧୀ ଦଳ ନେତା ବିସ୍ଫୋରକ ବୟାନ ଦେଇଥିଲେ। ହତ୍ୟାର ୪ ଦିନ ଆଗରୁ ଫାଇଭ-ଟି ସଚିବ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିତରେ କଥାବାର୍ତ୍ତାର ଫୋନ କଲ ରେକର୍ଡ ଯାଞ୍ଚ ହେଉ। ଓଡ଼ିଶା କ୍ରାଇମବ୍ରାଞ୍ଚ କରିପାରିବନି। ସେଥିଲାଗି ସିବିଆଇ ତଦନ୍ତ ହେଉ।

କେବଳ ଏତିକି ନୁହେଁ। ଶୋକ ପ୍ରସ୍ତାବ ଆଗତ ବେଳେ ବିରୋଧୀ ଦଳ ନେତା ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ବେଳେ ବି କହିଥିଲେ, ନବ ଦାସଙ୍କୁ ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟା କରାଯାଇଛି। ଆଉ ଏହାର କାଉଣ୍ଟରରେ ଶାସକ ଦଳ କହିଛି ଯେ, ବିରୋଧୀ ଦଳ ନେତା ମାନସିକ ସନ୍ତୁଳନ ହରେଇସାରିଛନ୍ତି। ତାଙ୍କ ନାଁରେ ୧୬ଟି ଅପରାଧିକ ମାମଲା ରହିଛି। ତାଙ୍କଠୁ ଅଧିକ କଅଣ ଆଶା କରାଯାଇପାରେ। ସେପଟେ ବାପାଙ୍କ ମୃତ୍ୟୁକୁ ନେଇ ରାଜନୈତିକ ପ୍ରସଙ୍ଗ କରାନଯାଉ ବୋଲି ନିବେଦନ କରିଛନ୍ତି ନବ ଦାସଙ୍କ ଝିଅ। ବାପା ଗଲା ପରେ ମୁଖ୍ୟମନ୍ତ୍ରୀ ବାପା ପରି ଛିଡ଼ା ହୋଇଛନ୍ତି। ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଆରମ୍ଭରୁ ସରକାରଙ୍କୁ ଅକଳରେ ପକାଇବାକୁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ। ପୁଲିସ ଗୁଳିରେ ନବ ଦାସଙ୍କ ଭଳି ହାଇପ୍ରୋଫାଇଲ ନେତାଙ୍କ ମର୍ଡରକୁ ନେଇ ବିରୋଧୀ ବିଧାନସଭାରେ ହୁଲସ୍ତୁଲ କରୁଥିଲା ବେଳେ ପରିବାରର ଏଣ୍ଟ୍ରି ଏହି ରଣନୀତିକୁ କେତେ ପ୍ରଭାବିତ କରିବ, ଦେଖିବାକୁ ରହିଲା।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *