ବିରୋଧୀ ଦଳ ଉପନେତାଙ୍କ ବିୟୋଗରେ ସ୍ତବ୍ଧ ଓଡିଶା

Spread the love

ଭୁବନେଶ୍ବର:  ବିରିଷ୍ଠ ରାଜନେତା, ବିରୋଧି ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। କିଡନୀ ଜନିତ ରୋଗରେ ଦୀର୍ଘ ୧ ମାସ ଧରି ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ୬୧ ବର୍ଷ ବୟସରେ ବିଷ୍ଣୁଙ୍କ ଅକାଳ ବିୟୋଗରେ ସମସ୍ତେ ସ୍ତବ୍ଧ। ରାଜନେତା ସହ ଲେଖକ, କବି ଓ ଜଣେ ସାମ୍ୱାଦିକ ଭାବେ ବେଶ୍ ଜଣାଶୁଣା ବିଷ୍ଣୁଙ୍କ ବିୟୋଗରେ ସବୁ ମହଲରୁ ଶୋକସନ୍ତପ୍ତ ପରିବାରକୁ ସମବେଦନାର ସୁଅ ଛୁଟିଛି।

 ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୬୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କୀଡନି ଜନିତ ରୋଗରେ ଦୀର୍ଘ ମାସେ ହେଲା ଏମ୍ସ ଆଇସିୟୁରେ ଚିକତ୍ସାଧୀନ ଥିଲେ। ଡାକ୍ତରଙ୍କ ସକଳ ଚେଷ୍ଟା ସତ୍ତ୍ୱେ ସୋମବାର ସକାଳ ୭ଟା ୪୫ରେ ସବୁଦିନ ଲାଗି ଆଖି ବୁଜିଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

ବିଷ୍ଣୁଙ୍କ ବିୟୋଗ ଖବର ପାଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କର କଲ୍ୟାଣକାରୀ କାର୍ଯ୍ୟ ସବୁବେଳେ ସ୍ମରଣୀୟ ହୋଇରହିବ ବୋଲି ଶୋକବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି, ଜଣେ ସ୍ନେହୀ, ଅମାୟିକ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ଦକ୍ଷ ସଂଗଠକ ଭାବେ ଦଳର ସଂଗଠନକୁ ମଜଭୁତ କରିବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ତାଙ୍କ ବିୟୋଗ କେବଳ ବିଜେପି ପାଇଁ ନୁହେଁ, ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି। ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତିବିଶେଷ ଏମ୍ସ ଯାଇ ବିଷ୍ଣୁଙ୍କ ଶେଷଦର୍ଶନ କରିଛନ୍ତି।

ବିଷ୍ଣୁଙ୍କ ଅକାଳ ବିୟୋଗରେ ଧାମନଗରରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ପରଲୋକ ଖବର ପାଇ ବାସଭବନରେ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ଜମିଛି। ବିଷ୍ଣୁଙ୍କ ଭଳି ନେତାଙ୍କୁ ହରାଇ ସମସ୍ତେ ମର୍ମାହତ ହୋଇଛନ୍ତି। ବିଷ୍ଣୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଧାମନଗରରୁ ନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ହୋଇଛି।

ବିଷ୍ଣୁ ସେଠୀ। ଏକାଧାରରେ ଜଣେ ସାମ୍ୱାଦିକ, ସାହିତ୍ୟିକ, ଲେଖକ, କବି ଓ ରାଜନେତା। ତାଙ୍କର ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି କହିଲେ ଭୁଲ୍ ହେବନି।

ସତ୍ୟବ୍ରତ ପ୍ରଧାନ ଓ ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *