ରୌପ୍ୟ ଜୟନ୍ତୀରୁ ୨୪ ପାଇଁ ବିଜେଡିର ରଣନୀତି

Spread the love

() ରୌପ୍ୟ ଜୟନ୍ତୀରୁ ୨୪ ପାଇଁ ରଣନୀତି କଲା ବିଜେଡି। ୨୫ ବର୍ଷରୁ ୨୨ ବର୍ଷ ନିରନ୍ତର ଶାସନ କ୍ଷମତାରେ ଥିବା ଦଳ ୨୪ରେ ବି ନିଜର ସେବା ମନ୍ତ୍ର ଲାଗି ପୁଣି ଜନତାଙ୍କ ଆଶୀର୍ବାଦରୁ କ୍ଷମତାରେ ବସିବ ବୋଲି ଆଶା ରଖିଛି। ଓଡ଼ିଶାର ବିକାଶର ସଂକଳ୍ପ ନେଇ ପୁରୀ ତାଳବଣିଆ ପଡ଼ିଆରୁ ଫେରିଛନ୍ତି ନେତା ଓ କର୍ମୀ। ଆଉ ଦଳର ସୁପ୍ରିମୋ ତ କହିଛନ୍ତି, ମା ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ପର୍ଯ୍ୟନ୍ତ କାମ କରିବ।

୧୯୯୭ରେ ଜନ୍ମ ହେବା ପରେ ବିଜେଡିର ଅସ୍ତିତ୍ୱକୁ ନେଇ ଉଠିଥିବା ଅନେକ ଆକଳନ, ଆଶଙ୍କା, ଉପହାସ ଓ ପରିହାସକୁ ପଛକୁ ଠେଲିଦେଇ ଆଗେଇ ଚାଲିଛି ଦଳ। ମହିଳା ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ୱ ଦେଇ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିପାରିଥିବା ଦଳ ଓ ଏହାର ସୁପ୍ରିମୋଙ୍କ ଭାବମୂର୍ତ୍ତି ହିଁ ଦଳକୁ କ୍ରମାଗତ ସଫଳତା ଦେଇଚାଲିଛି। ପୁରୀ ତାଳବଣିଆ ପଡ଼ିଆରେ ଦଳର ରୌପ୍ୟଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାନେ ଚାହିଁଲେ ବିଜେଡି ଆହୁରି ଶହେ ବର୍ଷ ରହିବ। ଓଡ଼ିଶା ଲାଗି କାମ କରିବାକୁ ଚାହୁଁଥିବା ବର୍ଗ ବିଜେଡିରେ ମିଶନ୍ତୁ ବୋଲି ଅପିଲ୍ କରିଛନ୍ତି ନବୀନ।

ସେପଟେ ସେବା ହିଁ ପ୍ରତିଷ୍ଠା ଦିବସର ପ୍ରତୀକ ବୋଲି କହିଛନ୍ତି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ନବୀନଙ୍କ ନମ୍ରତା, ଶାଳୀନତା ଓ ଅମାୟିକ ବ୍ୟବହାରରୁ ବିରୋଧୀ କିଛି ଶିଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଅରୁଣ। ବିଜୁ ଆଦର୍ଶ ଓ ନବୀନିଜିମ୍ ଏହି ଦୁଇଟି ମନ୍ତ୍ରରେ ଦଳକୁ ଆଗେଇନେବାକୁ ପଡ଼ିବ ବୋଲି କହିଛନ୍ତି ଅତନୁ। ଆଉ ପାଦେ ଆଗେଇଯାଇ ସୌମ୍ୟ କହିଛନ୍ତି, ବିଶ୍ୱଗୁରୁ ହେବାକୁ ମନ ବଳାଉଥିବାରୁ ବିଶ୍ୱଗୁରୁ ହେବାକୁ ହେଲେ ମୋଦି ଗୁରୁମନ୍ତ୍ର ଓଡ଼ିଶାରୁ ନିଅନ୍ତୁ।

ସେପଟେ ପ୍ରତିଷ୍ଠା ଦିବସ ମଞ୍ଚରୁ ପ୍ରମିଳା କହିଥିଲେ, ଦଳେ ଭାରତ ଗଢ଼ିବା ଓ ଦଳେ ଭାରତ ଯୋଡ଼ିବାରେ ଲାଗିଛନ୍ତି। କିନ୍ତୁ ବିଜେଡି ଲାଗି ଓଡ଼ିଶା ବିକାଶ ମୁଖ୍ୟ ଏଜେଣ୍ଡା ଓ ୨୪ରେ ପୁଣି ଥରେ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ପରିଶ୍ରମ କରିବାକୁ ହେବ ବୋଲି ଆହ୍ୱାନ ଦେଇଛନ୍ତି। ଆଉ ବିଜୁ ଆଦର୍ଶରେ ଦଳ ଚାଲୁଛି କି ନାହିଁ, ପ୍ରତିଷ୍ଠା ଦିବସରେ ଆତ୍ମସମୀକ୍ଷା ଜରୁରୀ ବୋଲି ମନେ ପକାଇଦେଇଥିଲେ ପ୍ରସନ୍ନ।

୨୫ ବର୍ଷ ତଳେ ଏକ ଆଞ୍ଚଳିକ ଦଳ ଭାବେ ମୁଣ୍ଡ ଟେକିଥିବା ବିଜେଡି ଆଜି ଜନ ଆନ୍ଦୋଳନରେ ପରିଣତ ହୋଇଛି। ନବୀନଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ସଫଳତାର ବଡ଼ ଚାବିକାଠି ହୋଇପାରେ। କିନ୍ତୁ ଏହା ସହ ଦଳର ସଠିକ୍ ରଣନୀତି ଓ ଶୃଙ୍ଖଳା ବି ସମାନ୍ତରାଳ ଭାବେ ବଡ଼ ମାପକାଠି ଭାବେ ପ୍ରତୀୟମାନ ହୋଇଆସୁଛି।

କେଦାରନାଥ ଦାସ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *