ଭୁବନେଶ୍ୱର: ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏହାକୁ ନେଇ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେପି । ଆଜି ଏକ ପ୍ରେସମିଟ୍ରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ବିମାନବନ୍ଦରରେ ବିଜେଡି ନେତା ଯେଭଳି ଆଚରଣ କଲେ ତାହା କଣ ନବୀନ ବାବୁଙ୍କ ଜୀବନବ୍ୟାପୀ ସାଧନା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ବ୍ୟତୀତ ନିଶାସକ୍ତ ବିଜେଡି ନେତାଙ୍କ ଦ୍ବାରା ବିମାନର ପାଇଲଟ ଅତିଷ୍ଠ ହୋଇପଡିବା ଓ ଦୁଇ ନେତାଙ୍କୁ ସେଠାରେ ଛାଡି ଅନ୍ୟମାନଙ୍କୁ ନେଇ ଓଡିଶା ଫେରିବା ପରି ଘଟଣା ଜାତୀୟ ସ୍ତରରେ ଓଡ଼ିଶାକୁ ଅପମାନିତ କରିଛି ବୋଲି କହିଛନ୍ତି ଈରାଶିଷ ।
ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଜୀବନ ବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନକୁ ନେଇ ବିଜେଡି ଉତ୍ସାହିତ ହୋଇଉଠିଥିଲା ଓ ଦିଲ୍ଲୀକୁ ବହୁ ଯୁବନେତା ଯାଇ ଏହି ଗୌରବକୁ ପାଳନ କରିଥିଲେ। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଦୁଇ ବିଧାୟକଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ କରିଛି ବିଜେପି
ସେପଟେ ଏହି ପ୍ରସଙ୍ଗରେ ପ୍ରଶାନ୍ତ ମୁଦୁଲି, ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଦିଲ୍ଲୀ ବିମାନ ବନ୍ଦରରେ ବିଜେଡି ବିଧାୟକଙ୍କ ମଦ୍ୟପାନ କରିବା ପ୍ରସଙ୍ଗରେ କେତେ ସତ୍ୟତା ଅଛି, ମୁଁ କହି ପାରିବି ନାହିଁ | ସତ୍ୟତା ସେମାନେ ପ୍ରମାଣ କରନ୍ତୁ, ଲୋକ ଲୋଚନକୁ ଆଣନ୍ତୁ, ସେଥିରେ କୌଣସି ଅସୁବିଧା ନାହିଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now