ସବୁ ବିଭାଗକୁ ବିକାଶର ବ୍ଲୁପ୍ରିଣ୍ଟ ମାଗିଲେ ରାଜ୍ୟ ସରକାର

Spread the love

ଭୁବନେଶ୍ବର: ଆସନ୍ତା ୧୪ ମାସର ବିକାଶର ବ୍ଲୁ ପ୍ରିଣ୍ଟ ପାଇଁ ସବୁ ବିଭାଗକୁ ଚିଠି ଲେଖିଲେ ରାଜ୍ୟ ସରକାର । ବିଶେଷ କରି ସବୁ ଯୋଜନା ଓ କାର୍ଯ୍ୟକ୍ରମର ତଥ୍ୟ ବାବଦରେ ବିଭାଗମାନେ  ରାଜ୍ୟ ସରକାରଙ୍କ ସାମ୍ନାରେ ରଖିବେ । ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି । କାରଣ ଆଉ ପ୍ରାୟ ୧୪ ମାସ ପରେ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟବାସୀଙ୍କୁ ବିକାଶର ମିଛ ମଡେଲ ଦେଖାଇବାକୁ ଚେଷ୍ଟା କରୁଥିବା ବିରୋଧି ଅଭିଯୋଗ କରିଛନ୍ତି । ବିରୋଧିଙ୍କୁ କଡା ଜବାବ ରଖିଛି ଶାସକ ଦଳ ।

ଆସନ୍ତା ୧୪ ମାସ ପାଇଁ ପ୍ରସ୍ତୁତ ହେବ ବିକାଶର ବ୍ଲୁ ପ୍ରିଣ୍ଟ । ବିଭିନ୍ନ ବିଭାଗକୁ ଚିଠି ଲେଖିଲେ ରାଜ୍ୟ ସରକାର । ଜାନୁଆରୀ ପ୍ରଥମ ସପ୍ତାହରେ ମୁଖ୍ୟ ଶାସନ ସଚିବ ଡାକିଲେ ବୈଠକ।  ନିର୍ବାଚନ ଭେଳିକି କହିଲେ ବିରୋଧି । ବିକାଶର ନକ୍ସା ଦିର୍ଘସ୍ଥାୟୀ ହେଉଛି କହିଲା ଶାସକ ଦଳ । ସାଧାରଣ ନିର୍ବାଚନ ପାଖଉଥିବା ବେଳେ ବିଭିନ୍ନ ବିଭାଗର କାମକୁ ତର୍ଜମା କରିବା ସହ ବିକାଶର ବ୍ଲୁପ୍ରିଣ୍ଟ କରିବାକୁ ଯୋଜନା କରିଛନ୍ତି ସରକାର ।ଏମିତି କି ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ବିଭାଗ କେତେ କାମ କରିଛନ୍ତି ତାହାର ହିସାବ ଦେବା ସହ ନୂଆ ଖସଡ଼ା କରିବାକୁ ଯୋଜନା କରାଯାଇଛି ।

 ଯାହାକୁ ନିର୍ବାଚନୀ ଚାଲ କହି ଟାର୍ଗେଟ କରିଛି ବିଜେପି । ୨୨ ବର୍ଷ ସରକାର ପରେ ଯାହା ପୂରଣ ହୋଇ ନାହିଁ ୧୪ ମାସର ବିକାଶର ମଡେଲରେ  କିପରି ପୂରଣ ହେବ ବୋଲି ପ୍ରଶ୍ନ କରିଛି । ସବୁ ବିଭାଗରେ ଦୁର୍ନିତି ବଢିଛି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ବିକାଶ ନାଁରେ ଠକିବାକୁ ଏ ଯୋଜନା ବୋଲି କହିଛି ବିଜେପି । ଏପଟେ ବିକାଶ କେବଳ ଖାତା କଲମରେ କହିଛି କଂଗ୍ରେସ।

ସେପଟେ ବିକାଶ ନକସା ଦୀର୍ଘସ୍ଥାୟୀ କରିବାକୁ ସରକାର ଏପରି ଯୋଜନା କରୁଥିବା କହିଛି ବିଜେଡି । ରାଜ୍ୟର ଉନ୍ନତି ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୁଏ । ଆଞ୍ଚଳିକ ଦଳ ହିସାବରେ ଓଡ଼ିଶାର ବିକାଶ ମୁଖ୍ୟମନ୍ତ୍ରୀଙ୍କ ମୂଳ ଲକ୍ଷ୍ୟ । ଆବଶ୍ୟକତା ଅନୁସାରେ ଯୋଜନାକୁ ପରିବର୍ତ୍ତନ କରାଯାଉଛି । ବର୍ତ୍ତମାନ ସୁଦ୍ଧା କେଉଁ ଯୋଜନା କାର୍ଯ୍ୟକାରୀ ହୋଇଛି, ହେବାର ଅଛି, ତାହାକୁ ଆକଳନ କରାଯାଇ ପ୍ରସ୍ତାବ ମଗାଯାଇଛି । ସେଥିପାଇଁ ସବୁ ବିଭାଗକୁ ଆସନ୍ତା ୧୪ ମାସ ପାଇଁ ବିକାଶର ବ୍ଲୁ ପ୍ରିଣ୍ଟ ମଗାଯାଇଛି । ପ୍ଲାନିଂ କରି ବିକାଶର ରାସ୍ତାକୁ ତ୍ୱରାନ୍ୱିତ କରାଯିବ ବୋଲି ଶାସକ ଦଳ କହିଛି ।

ତେବେ ୨୦୧୯ ନିର୍ବାଚନ ପୂର୍ବରୁ କାଳିଆ, ପିଠା ଯୋଜନା କରି ବିଜେଡ଼ି ଭୋଟ ନେବାରେ ସକ୍ଷମ ହୋଇଥିଲା ବୋଲି ଚର୍ଚ୍ଚା ହେଉଥଲା। ଆଉ ୨୪ ପୂର୍ବରୁ ପୁଣିଥରେ ବିକାଶ ମଡେଲକୁ ଦେଖାଇ ଭୋଟ ନେବାକୁ ଶାସକଦଳ ଚେଷ୍ଟା କରୁଥିବା ବିରୋଧି ଅଭିଯୋଗ ଆଣୁଥିବା ବେଳେ ଏହାର ଭୋଟରେ କଣ ପ୍ରଭାବ ରହିବ ତାହା ସମୟ ଆସିଲେ ଜଣା ପଡିବ ।

ନବ କିଶୋର ସାହୁ

Leave a Reply

Your email address will not be published. Required fields are marked *