ଓଡ଼ିଶାରାଜନୀତି

ଇ. ବିବେକ ରେଡ୍ଡୀ ହେଲେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର

ହୁ କଳ୍ପନା ଜଳ୍ପନାର ଅନ୍ତ ହେଲା । ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସର୍ବ କନିଷ୍ଠ କର୍ପୋରେଟର ଇ. ବିବେକ ରେଡ୍ଡୀ । ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ 10ଟାରୁ 11ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ରହିଥିଲା। ଏହି ସମୟରେ ବିଜେଡିରୁ 42 ନମ୍ବର କର୍ପୋରେଟର ଇ. ବିବେକ ରେଡ୍ଡୀ ଡେପୁଟି ମେୟର ପାଇଁ ନାମାଙ୍କନ ଦାଖଲ କରିଥିଲେ। ସେହିପରି ବିଜେପି ପକ୍ଷରୁ 21 ନମ୍ବର ୱାର୍ଡର କର୍ପୋରେଟର ଡି. କରୁଣାକର ନିଜର ନାମାଙ୍କନ ଦାଖଲ କରିଥିଲେ।

ନାମାଙ୍କନ ଦାଖଲ ଶେଷ ହେବା ପରେ 12ଟାରୁ ଅପରାହ୍ନ 1 ଘଣ୍ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ସମୟ ରହିଥିଲା। କିନ୍ତୁ ଦୁଇ ଜଣ ଡେପୁଟି ମେୟର ପ୍ରାର୍ଥୀ କେହି ମଧ୍ୟ ନାମାଙ୍କନ ପ୍ରତ୍ୟାହାର କରିନଥିଲେ। ଯାହାଫଳରେ ଦୁଇ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଥିଲା। ଏହାପରେ ନାମାଙ୍କନ ପତ୍ରକୁ ଯାଞ୍ଚ କରାଯାଇଥିଲା। ପରବର୍ତ୍ତୀ ସମୟରେ ଡେପୁଟି ମେୟର ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ 34ଟି ଭୋଟ ପାଇଥିଲେ ବିଜେଡିର ବିବେକ ରେଡି। ସେହିପରି ବିଜେପିର କରୁଣାକର 7ଟି ଭୋଟ ପାଇଥିଲେ। ଯାହାଫଳରେ ବିଜେଡିର ବିବେକ ରେଡି ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଥିଲେ। ବିଜେଡିର 30 ଜଣ କର୍ପୋରେଟର ସହ 3 ଜଣ ସ୍ୱାଧୀନ କର୍ପୋରେଟର ଓ ଜଣେ କଂଗ୍ରେସ କର୍ପୋରେଟର ବିଜେଡିକୁ ଭୋଟ ଦେଇଛନ୍ତି। ଡେପୁଟି ମେୟର ନିର୍ବାଚନ ସହ ମେୟର ଓ କର୍ପୋରେଟରଙ୍କ ଶପଥ ପାଠ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।

ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ସକାଳ 9 ଘଣ୍ଟା ସମୟରେ ବିଜେଡିର 30 କର୍ପୋରେଟର ଓ ମେୟର ପହଞ୍ଚିଥିଲେ। ସେଠାରେ ମାଁଙ୍କ ଆର୍ଶୀବାଦ ଗ୍ରହଣ କରି ଏକ ବିରାଟ ଶୋଭାଯାତ୍ରାରେ ବିଏମସି କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିଜେଡିର 30 କର୍ପୋରେଟର ଓ ମେୟର। ସେହିପରି ବିଜେପିର 7 ଜଣ କର୍ପୋରେଟର ଏକ ଶୋଭାଯାତ୍ରାରେ ପହଞ୍ଚିଥିଲେ ବିଏମସି କାର୍ଯ୍ୟାଳୟରେ। ଏହା ପରେ ବିଏମସିର ସମ୍ମିଳନୀ କକ୍ଷରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୃହ ଓ ନଗୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଗ୍ରାମଜିତ ନାୟକ 42 କର୍ପୋରେଟର ଓ ମେୟରଙ୍କୁ ଶପଥପାଠ କରାଇଥିଲେ। ମେୟରଙ୍କୁ ଶପଥପାଠ କରିବା ପରେ ସେ ଆଜି ଠାରୁ ମେୟର ଭାବେ ଦାୟିତ୍ଵ ନେଇଥିଲେ । 42ଟି ୱାର୍ଡର କର୍ପୋରେଟର ମଧ୍ୟରୁ 4 ନମ୍ବର ୱାର୍ଡ଼ର କର୍ପୋରେଟର ସନ୍ଧ୍ୟାରାଣୀ ଶୁକ୍ଲା ଖୋଲା ମତଦାନ ହେଉଥିବା ଯୋଗୁଁ ଭୋଟ ବର୍ଜନ କରିଥିଲେ।

Leave a Reply

Your email address will not be published.

Back to top button