ଓଡ଼ିଶାରେ ନବୀନଙ୍କ ବିକଳ୍ପ ହେବ କି ବିଆରଏସ?

() ଓଡ଼ିଶାରେ ଏଣ୍ଟ୍ରି କଲା ବିଆରଏସ। ଗମାଙ୍ଗ, ପାଙ୍ଗିଙ୍କ ଭଳି ବହୁ ତୁଙ୍ଗ ନେତା ବିଆରଏସର ହାତ ଧରିଲେ। ଓଡ଼ିଶାରେ ନବୀନଙ୍କ ବିକଳ୍ପ ଭାବେ ବିଆରଏସ ଉଭା ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଆରଏସରେ ସାମିଲ୍ ଓଡ଼ିଶା ନେତାଏ। ତେବେ କେସିଆରଙ୍କ ନୂଆ ସାମ୍ମୁଖ୍ୟ ନକ୍ସା ଓଡ଼ିଶାରେ ନବୀନଙ୍କ ବିକଳ୍ପ ଭାବେ ବିଆରଏସକୁ ଛିଡ଼ା କରିବାକୁ ସକ୍ଷମ ହେବ ତ। ଏମିତି ତମାମ ପ୍ରଶ୍ନ ଓ ଆକଳନରେ ବିଆରଏସ ଓ ଏହାର ଓଡ଼ିଶା ଦୃଶ୍ୟପଟ୍ଟରେ ରଣନୀତି। ଓଡ଼ିଶାରେ ବିଆରଏସ ଏଣ୍ଟ୍ରିକୁ ନେଇ ବିଶେଷକରି ଦକ୍ଷିଣ ଓଡ଼ିଶାରେ ହଲଚଲ ଖେଳିଛି।

୨୪ ପାଇଁ ମେଗାପ୍ଲାନ୍। ଓଡ଼ିଶା ପାଇଁ ବିଆରଏସର ବଡ଼ ଯୋଜନା। ମୋଦିଙ୍କ ବଡ଼ ବିରୋଧୀ ଭାବେ ଜଣାଶୁଣା କେସିଆର ନୂଆ ସାମ୍ମୁଖ୍ୟ ନକ୍ସା ତିଆରିରେ ବ୍ୟସ୍ତ। ଆଉ ଓଡ଼ିଶା ପରିପ୍ରେକ୍ଷୀରେ ଏହାର କେତେ ଗୁରୁତ୍ୱ ରହିଛି। କାରଣ ଆଜି ବି ଗିରିଧର ଗମାଙ୍ଗ ବଡ଼ ଆଦିବାସୀ ଚେହେରା। ଆଉ ଦକ୍ଷିଣ ଓଡ଼ିଶାରୁଭୋଟରଙ୍କୁ ପ୍ରଭାବିତ କରି ନିଜ ସପକ୍ଷରେ ନେବା ପାଇଁ ବିଆରଏସ ଆଗ କରିବ ଯୋଜନା। ତେବେ ସମସ୍ତଙ୍କ ଫୋକସରେ ଆଦିବାସୀ ଭୋଟ୍। କୋରାପୁଟ ସଂସଦୀୟ କ୍ଷେତ୍ରରୁ ଜଣକ ପରେ ଜଣେ ହେଭିଓ୍ୱେଟ୍‌ ବିଜେପି ଛାଡ଼ି ବିଆରଏସରେ ସାମିଲ ହୋଇଛନ୍ତି। ସେଥିଲାଗି ତ ଆଜି ଗିରିଧର କହିଛନ୍ତି, ଆଦିବାସୀ ଅଣଦେଖାର ଶୀକାର। ଆଉ ଆଦିବାସୀଙ୍କୁ ନ୍ୟାୟ ଦେବା ଲାଗି ବିଆରଏସର ଶୁଭଖୁଣ୍ଟି ସେ ଓଡ଼ିଶାରେ ପୋତିବେ। ଆଉ ପତ୍ନୀ ହେମା ବିଜେଡିରୁ ଇସ୍ତଫା ଦେବାର ୫ ବର୍ଷ ପରେ ଆଜି ବିଆରଏସରେ ସାମିଲ ହୋଇଛନ୍ତି। ପୁରା ପରିବାର ଗୋଟିଏ ଦଳରେ ଆଉ ଆଦିବାସୀଙ୍କ ବିକାଶ ଲାଗି ଲଢିବେ ବୋଲି କହିଛନ୍ତି।

କୋରାପୁଟ ସଂସଦୀୟ କ୍ଷେତ୍ରରୁ  ଗମାଙ୍ଗ, ପାଙ୍ଗିଙ୍କ ଭଳି ବହୁ ପ୍ରମୁଖ ଆଦିବାସୀ ଚେହେରା ବିଆରଏସରେ ସାମିଲ ହେବା ଓ ବିଜେପି ବିରୁଦ୍ଧରେ ଆଦିବାସୀ ଅଣଦେଖାର ବିଷୋଦଗାର କରିବା ପରେ ଏହି ମଉକାରେ ବିଜେଡି ବି ଆଦିବାସୀଙ୍କୁ କେନ୍ଦ୍ର ଅଣଦେଖାର ଫର୍ଦ୍ଦ ଯୋଡିଛି। ଆଉ ଅଚାନକ ସାମ୍ୱାଦିକ ସମ୍ମଳନୀ ଡାକି ରାଜ୍ୟ ଏସଡିସି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ କହିଛନ୍ତି, ଆଦିବାସୀ ବିକାଶରେ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଆସୁଛନ୍ତି। କିନ୍ତୁ ବିଜେପିର ଆଦିବାସୀ ବିରୋଧୀ ମାନସିକତା ଆଘାତ ଦେଇଛି ବୋଲି ଆରୋପ ଲଦିଛି ବିଜେଡି। ଆଗାମୀ ଦିନରେ ଆଦିବାସୀ ସମାଜ ଓ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାଇ ଦେଇଛି। ଆଉ କଂଗ୍ରେସ କହିଛି, ଆଦିବାସୀଙ୍କ ସ୍ୱାର୍ଥରେ ସବୁବେଳେ ଲଢ଼େଇ କରି ଆସିଛି କଂଗ୍ରେସ। ଆଦିବାସୀଙ୍କୁ ଭୂଆଁ ବୁଲାଉଥିବା ବିଜେପି,ବିଜେଡି କି ଅନ୍ୟ ଦଳର ଚରିତ୍ର ବାବଦରେ କାହାକୁ ଅଛପା ନାହିଁ। ଗମାଙ୍ଗ କି ପାଙ୍ଗି ପରିବାର କ୍ଷମତାରେ ରହିବାକୁ ଆଦିବାସୀଙ୍କୁ ବ୍ୟବହାର କରି ଆସୁଥିଲେ।

ଉପକୂଳ ଓଡ଼ିଶାରେ ଆପ୍ ଏବଂ ଦକ୍ଷିଣ ଓଡ଼ିଶାରେ ବିଆରଏସ୍ ଉଭୟ ବିଜେଡି ଓ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ସେପଟେ ପୂର୍ବରୁ ଆପ୍ କରିଥିବା ମାନସ ମନ୍ଥନରେ ଫୋକସରେ ରହିଛି ଓଡ଼ିଶା। କୁହାଯାଉଛି ଆସନ୍ତା ଫେବୃୟାରୀରେ ଓଡ଼ିଶା ଆସିପାରନ୍ତି କେଜ୍ରିୱାଲ। ଏହି ସମୟରେ ଓଡ଼ିଶାର କିଛି ଅସନ୍ତୁଷ୍ଟ ଓ କୋଣଠେସା ନେତା ଆପ୍’ରେ ସାମିଲ ହେବାର ସମ୍ଭାବନା ରହିଛି। କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ଭଗବତ ମାନ୍, ଅଖିଳେଶ ଯାଦବ, ପିନାରାୟୀ ବିଜୟନ ସମେତ ଅନେକ ହେଭିୱେଟ ନେତା କେସିଆରଙ୍କ ବୈଠକରେ ନୂଆ ସାମ୍ମୁଖ୍ୟ ଭାବେ ଉଦ୍ଭା ହୋଇଛନ୍ତି। ଆଉ ଏତିକିବେଳେ ଆଦିବାସୀ ଭୋଟବ୍ୟାଙ୍କ କାହା ଝୁଲାକୁ ଭାରି କରିବ, ସମୟ କହିବ।

ଜ୍ୟୋତିମଞ୍ଜରୀ ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *