ଅନିଶ୍ଚିତତା ମଧ୍ୟରେ ଛେଳିଗଡ ବୃହତ ଜଳ ପ୍ରକଳ୍ପ

Spread the love

ଗଜପତି: ଆଗକୁ ବଢି ପାରୁନି ବୃହତ ଜଳ ପ୍ରକଳ୍ପ ନିର୍ମାଣ ଯୋଜନା। ସଠିକ ପରିମାଣର କ୍ଷତିପୂରଣ ରାଶି ପ୍ରଦାନ ଦାବିରେ ବିସ୍ଥାପିତ ପରିବାର ଲୋକେ । କର୍ମଚାରୀ ନିଯୁକ୍ତି ସହ ରହିବା ପାଇଁ ଘର ମଧ୍ୟ ହୋଇଛି । ହେଲେ ଲୋକଙ୍କ ବିରୋଧ ଯୋଗୁଁ ଦୀର୍ଘବର୍ଷ ଧରି ଏହି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢି ପାରୁନି ।

ଗଜପତି ଜିଲ୍ଲାର ଛେଳିଗଡ ନିକଟରେ ବୃହତ ଜଳ ପ୍ରକଳ୍ପ ନିର୍ମାଣ ଯୋଜନାର କଥା ।  ଗ୍ରାମବାସୀଙ୍କ ବିନା ଅନୁମତିରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରକଳ୍ପ ହେବା ସ୍ଥାନରେ ୫ଟି ଗ୍ରାମ ସଂପୂର୍ଣ୍ଣ ଜଳମଗ୍ନ ହେବାକୁ ଥିବାରୁ ସ୍ଥାନୀୟ ଜନସାଧାରଣ ଏହାକୁ ପ୍ରଥମେ ବିରୋଧ କରିଥିଲେ । ନିଜର ଭିଟାମାଟି ଛାଡିବାକୁ ସେମାନେ ପ୍ରସ୍ତୁତ ନଥିବାବେଳେ ପରବର୍ତ୍ତୀ ସମୟରେ ସରକାର ଓ ପ୍ରଶାସନ କଥାରେ ସେ ରାଜି ହୋଇଥିଲେ । ହେଲେ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରିବା ଓ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦିଗରେ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଏବେ ପୁଣି ଥରେ ନିଜ ଯିଦରେ ଅଟଳ ରହିଛନ୍ତି ସ୍ଥାନୀୟ ବାସିନ୍ଦା। ଯାହାଫଳରେ ଛେଳିଗଡ ପ୍ରକଳ୍ପକୁ ନେଇ ଏବେ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି ।   

ଅନ୍ୟପଟେ ରାଜ୍ୟ ସରକାର ପ୍ରଥମେ ପ୍ରକଳ୍ପ ନିମନ୍ତେ ୫୨ କୋଟିର ବଜେଟ କରିଥିଲେ । ଯାହା ବର୍ତ୍ତମାନ ବର୍ଦ୍ଧିତ ହୋଇ ୧ ହଜାର କୋଟିରୁ ଉର୍ଦ୍ଧ୍ବ ହେଲାଣି । ହେଲେ ୨୦୦୮ ମସିହାରେ ନିର୍ଧାରିତ ଦର ହିସାବରେ ଜମି ଅଧିଗ୍ରହଣକରୀ ସ୍ଥାନୀୟ ଜନସାଧାରଣଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବାରୁ ଏହି ରାଶି କାହିଁକି ବୃର୍ଦ୍ଧି କରାଯାଉନି ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ ପରିବାର। ସବୁଠାରୁ ବଡ଼ କଥା ହେଲା, କ୍ଷତିପୂରଣ ରାଶି ପାଇବା ପାଇଁ ବିସ୍ଥାପିତ ପରିବାର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟକୁ ଦଉଡି ଦଉଡି ନୟାନ୍ତ ହେଲେଣି । ହେଲେ କାର୍ଯ୍ୟାଳୟରେ କୌଣସି ଅଧିକାରୀ ରହୁନଥିବା ଅଭିଯୋଗ ହେଉଛି। ଯଦି ସଠିକ୍ ପରିମାଣରେ କ୍ଷତିପୂରଣ ରାଶି ପ୍ରଦାନ ନହୁଏ ତେବେ ଆଗାମୀ ଦିନରେ ଏକ ବଡ ଧରଣର ଜନ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ବିସ୍ଥାପିତ ପରିବାର ଲୋକେ ।

Leave a Reply

Your email address will not be published. Required fields are marked *