ଅଢ଼େଇ ମାସ ହେଲା ବିନା ମଙ୍ଗୁଆଳରେ ଓଡ଼ିଶା କଂଗ୍ରେସ। କିଏ ମଙ୍ଗ ଧରିବ। କାହା ନେତୃତ୍ୱରେ ଓଡ଼ିଶା କଂଗ୍ରେସ ଠିକରେ ଚାଲିବ। ମଙ୍ଗୁଆଳ ଚୟନ ହେଲା ଯାଏ ଷ୍ଟିଅରିଂ କମିଟି ହାତରେ ଦଳୀୟ କାମ ବୁଝାସୁଝା ଲାଗି ଏଆଇସିସି ଦାୟିତ୍ୱ ଛାଡ଼ିଦେଇଛି। ଗୋଟିଏ ପଟେ କେହି ମୁଖିଆ ନଥିବା ସହ ସମସ୍ତ କମିଟି ଭଙ୍ଗ ହେବା କାରଣରୁ ଦଳ ଏକପ୍ରକାର ସ୍ଥାଣୁ ଅବସ୍ଥାକୁ ଚାଲିଯାଇଛି କହିଲେ ଭୁଲ୍ ହେବନି। ସେଥିଲାଗି ସଭାପତି ଚୟନ ଲାଗି ରିପୋର୍ଟ ପ୍ରସ୍ତୁତି ପାଇଁ ଏଆଇସିସି ଚରଣଦାସ ମହନ୍ତ ଓ ମିନାକ୍ଷୀ ନଟରାଜନଙ୍କୁ ଦାୟିତ୍ୱ ଦେଇଛି। ନଭେମ୍ୱର ୪ରେ ଚରଣ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ। ଆଗ ଷ୍ଟିଅରିଂ କମିଟି ସହ ଆଲୋଚନା କରି ବିଚାରବିମର୍ଶ କରିବେ। ଓଡ଼ିଶାରେ କଂଗ୍ରେସର ସ୍ଥିତି ଓ କାହାକୁ ସଭାପତି ପଦରେ ବସାଯିବ, ମତାମତ ନେବେ ଚରଣ ଓ ମିନାକ୍ଷୀ।
ତେବେ ସଭାପତି ରେସରେ ମହମ୍ମଦ ମୋକିମ, ଭକ୍ତଚରଣ ଦାସ ଓ ଶ୍ରୀକାନ୍ତ ଜେନାଙ୍କ ନାଁ ସର୍ବାଗ୍ରେ ଅଛି। ୨୪ ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ ଲାଗି ନିଜକୁ ଦାୟୀ କରି ସେତେବେଳେ ପ୍ରଚାର କମିଟି ଅଧ୍ୟକ୍ଷ ଥିବା ଭକ୍ତ ଦାସ ପଦ ଛାଡ଼ିଥିଲେ। ବ୍ୟକ୍ତିଗତ ପ୍ରଦର୍ଶନ, ସଂଗଠନ ଓ ଲୋକସମ୍ପର୍କ ଭଲ ଥିବାରୁ ଝିଅ ସୋଫିଆ ଫିର୍ଦୋଷଙ୍କୁ ବାରବାଟି-କଟକ ଆସନରୁ ଜିତାଇଆଣିଲେ ମୋକିମ୍। ଶ୍ରୀକାନ୍ତ ଜେନା ନିର୍ବାଚନ ପୂର୍ବରୁ ଘରବାହୁଡ଼ା ପରେ ତାଙ୍କ ଭଳି ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ନାଁ ବି ସଭାପତି ଦୌଡ଼ରେ ଅଛି। ତେବେ ସଭାପତି କସରତ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହ ମୋକିମଙ୍କ ଗୁପ୍ତ ବୈଠକ ହେଉ ଅବା ଶନିବାର ରୋଟାରୀ ଭବନରେ ମୋକିମଙ୍କ ଆହ୍ୱାନରେ ଅନୁଷ୍ଠିତ ବନ୍ଧୁମିଳନ ଆଳରେ ଅନେକ ନେତାଙ୍କ ସମାବେଶ ମୋକିମଙ୍କ ଲବିର ପଲ୍ଲା ଭାରି ବୋଲି ଦର୍ଶାଉଥିଲା। ଦସ୍ତଖତ ଅଭିଯାନ ହୋଇଛି ମୋକିମଙ୍କ ସମର୍ଥନରେ। ମୋକିମ ହିଁ ସଭାପତି ଲାଗି ଯୋଗ୍ୟ ବୋଲି ବନ୍ଧୁମିଳନ ଆସରର ଯେମିତି ମୁଖ୍ୟ ଆଧାର ଥିଲା।
ତେବେ ଆଉ କିଛି ନେତା କହିଛନ୍ତି, ନିଜ ନିଜ ସ୍ତରରେ କିଏ ଦିଲ୍ଲୀରେ ଲବି କରୁଛି ତ କିଏ ଗ୍ରାଉଣ୍ଡରେ ସମର୍ଥନ ଗୋଟାଉଛି। ଦଳରେ ଦୀର୍ଘ ଦିନ ହେଲା ସଭାପତି ନଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଅସନ୍ତୋଷ ବି ବୃଦ୍ଧି ପାଉଛି। ସେଥିଲାଗି ଶୀଘ୍ର ସଭାପତି ଚୟନ ଲାଗି ଦାବି ହେଉଛି। ପରାଜୟ ପଛରେ ପ୍ରଭାରୀ ଅଜୟ କୁମାରଙ୍କୁ ଗୋଟିଏ ଗୋଷ୍ଠୀ ବି ଦାୟୀ କରି ତାଙ୍କର ଇସ୍ତଫା ମାଗୁଛନ୍ତି। ଟିକଟ ବଣ୍ଟନରେ ଅନିୟମିତତା, ଏଆଇସିସି ପାଣ୍ଠିରେ ହେରଫେର ଭଳି ଅନେକ ସାଂଘାତିକ ଆରୋପ ଶରତ-ଅଜୟ ଯୋଡ଼ିକୁ ନେଇ ଅଙ୍ଗୁଳି ଉଠିଛି।
ଦଳର କେନ୍ଦ୍ରୀୟ ନେତା ଏଥର କେଉଁ ଆଧାରରେ ମଙ୍ଗୁଆଳ ଚୟନ କରୁଛନ୍ତି, ତାକୁ ନେଇ ଲବିକୁ ତାଳ ଦେଇ ଚର୍ଚ୍ଚା ଜୋର୍ ଧରିଛି। ନୂଆ କମିଟି ଗଠନ ହେଲା ଯାଏ ସମନ୍ୱୟ କମିଟି କାମଚଳା ଭାବେ ଦାୟିତ୍ୱ ତୁଲାଇବ କହି ଚୁପ୍ ବସିପଡିଥିଲା ଏଆଇସିସି। ଜୁଲାଇ ୨୧ରୁ ଶରତ ଗଲା ପରେ ମୁରବୀ ଶୂନ୍ୟ ଦଳରେ କିଏ ମଙ୍ଗୁଆଳ ସାଜିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now