ଦରଦାମ, ବେରୋଜଗାରୀ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସର ପ୍ରେସ ମିଟ

Spread the love

ଭୁବନେଶ୍ବର: ଦରଦାମ ଏବଂ ବେରୋଜଗାରୀ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ରାଜ୍ୟସଭା ସାଂସଦ ନୀରଜ ଡାଙ୍ଗୀଙ୍କ ପ୍ରେସମିଟ୍ । ପ୍ରେସମିଟରେ ଜମିକି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ସେପ୍ଟେମ୍ବର ୪ ତାରିଖ ଠାରୁ ନୂଆଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ ଆନ୍ଦୋଳନ ନେଇ ସୂଚନା ଦେଲେ ଡାଙ୍ଗୀ ।

ଡାଙ୍ଗୀ କହିଛନ୍ତି, ୪୫ ବର୍ଷ ଭିତରେ ବର୍ତ୍ତମାନ ଦେଶରେ ସବୁଠୁ ବଡ଼ ବେକାରୀ ସମସ୍ୟା ସ୍ଥିତି ଉପୁଜିଛି । ପେଟ୍ରୋଲ ଦର ୪୦ ପ୍ରତିଶତ ବଢ଼ିଛି । ଡିଜେଲ ଦର ମଧ୍ୟ ୭୫ ପ୍ରତିଶତ ବଢ଼ିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆହେତୁକ ଭାବେ ବୃଦ୍ଧି ପାଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ଯୋଗାଇବା ଓ ମହଙ୍ଗାଇ ନିୟନ୍ତ୍ରଣକୁ ଆଣିବା କଥା କହିଥିଲେ । କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି ଏବଂ ବିଗିଡି ଯାଇଛି ।

ଦୁଗ୍ଧ, ଦହି ଆଦି ଉପରେ ଜିଏସଟି ଲାଗୁ ହୋଇଛି । ଉଜ୍ୱଳା ଯୋଜନା ସମ୍ପୂର୍ଣ୍ଣ ଭାବେ ଫେଲ ହୋଇଛି । ଲୋକଙ୍କ ପାଖରେ ସିଲିଣ୍ଡର ଭର୍ତ୍ତି କରିବା ପାଇଁ ପଇସା ନାହିଁ । ଏତିକି ନୁହେଁ, ଅନେକ ବିଫଳତାର ଉଦାହରଣ ଅଛି । ଭାରତୀୟ ଉପଭୋକ୍ତାଙ୍କ କ୍ରୟ ଶକ୍ତି ଉପରେ ବଡ଼ ଆଘାତ ଲାଗିଛି । ୨୦୧୪ରେ କଞ୍ଚା ତେଲ ଦର କମ୍ ଥିଲା ଓ ପେଟ୍ରୋଲ ଡିଜେଲ ଦର ୫୫ ଓ ୭୦ ଟଙ୍କା ଥିଲା । ଏବେ କଞ୍ଚା ତେଲ ଦର କମିଛି ହେଲେ ପେଟ୍ରୋଲ ଡିଜେଲ ଦର ଅଧିକ ହୋଇଛି ।

ମୋଦୀ ସରକାର ନିଜ ସମ୍ପତ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ବେରୋଜଗାରୀ ଯୋଗୁଁ ବର୍ତ୍ତମାନ ଦେଶରେ ବିନାଶକାରୀ ସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିପଥ ଯୋଜନା କେନ୍ଦ୍ର ସରକାରଙ୍କର ଏକ ବିବେକହୀନ ଯୋଜନା । କେନ୍ଦ୍ର ସରକାରଙ୍କ ବିରୋଧରେ ଦରଦାମ ଓ ବେକାରୀ ସମସ୍ୟା ବୃଦ୍ଧିକୁ ନେଇ ସଂସଦରୁ ସଡକ ପର୍ଯ୍ୟନ୍ତ ଲଢେଇ କରିଛି କଂଗ୍ରେସ । ଦେଶବାସୀଙ୍କୁ ବିଜେପି ସରକାର ଯେଉଁ ପ୍ରତିଶୃତି ଦେଉଥିଲା ତାହା ପୂରଣ କରନ୍ତୁ । କଂଗ୍ରେସ ସତ୍ତାକୁ ଆସିଲେ ମହଙ୍ଗାଇ ମୁକ୍ତ ଭାରତ ଗଠନ କରିବ ବୋଲି ଦାବି କରୁଛି ।

ଏହି ଅବସରରେ ସେ ରାଜ୍ୟ ସରକାର ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇନାହାନ୍ତି। ଓଡିଶାରେ ବିଜେଡ଼ି ସରକାର ୧ ଲକ୍ଷ ୬୨ ହାଜର ପଦ ଖାଲି ପଡ଼ିଛି । ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସାଂସଦ।

Leave a Reply

Your email address will not be published. Required fields are marked *