କମୁଛି ବାଉଁଶ ଶିଳ୍ପର ଚାହିଦା, ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା ଅଭିଯୋଗ

Spread the love

ନୂଆପଡା : ଦିନ ଥିଲା ନିଜ ଅଂଚଳରେ କମାର ଜାତିର ପୁରୁଷ ମହିଳାଙ୍କ ଦ୍ୱାରା ବାଉଁଶରୁ ହାତ ତିଆରି କୁଲା, ବାଢୁନ, ଟୋପା, ଭୋଗା, ଧୁକନା, ଚାଙ୍ଗରୀ, ଭୁରକି ଆଦି ଘର ଉପକରଣ ସାମଗ୍ରୀ କିଣି ବ୍ୟବହାର କରୁଥିଲେ ଲୋକେ । ସେତେବେଳେ ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକେ ବାଧ୍ୟ ହୋଇ ଏହି ବାଉଁଶ ନିର୍ମିତ ସାମଗ୍ରୀ ଉପରେ ନିର୍ଭର କରୁଥିଲେ । ହେଲେ ଆଧୁନିକ ଯୁଗର ପଦାର୍ପଣ ପରେ ଏବେ ବଜାରରେ ପ୍ଲାଷ୍ଟିକ ତିଆରି ସବୁ ପ୍ରକାର ସାମଗ୍ରୀ ମିଳିବା ଆରମ୍ଭ ହେବାପରେ ବାଉଁଶ ତିଆରି ସାମଗ୍ରୀକୁ ଲୋକେ ମୁହଁ ଫେରାଇବା ଆରମ୍ଭ କଲେଣି । ଫଳରେ ବାଉଁଶ ଶିଳ୍ପକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ନୂଆପଡା ଜିଲ୍ଲାର କମାର ଜାତି ପରିବାର ଦୁର୍ଦ୍ଦିନରେ ଦିନ କାଟୁଥିବା ଦେଖିବାକୁ ମିଳିଛି । ନୂଆପଡା ଜିଲ୍ଲାର ୫ ଗୋଟି ବ୍ଲକରେ ବସବାସ କରୁଥିବା କମାର ସଂପ୍ରଦାୟର ଲୋକେ ବାଉଁଶ ତିଆରି ସାମଗ୍ରୀକୁ ବିକ୍ରୟ କରି ଭଲ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ଜାତିର ଲୋକେ ନିକଟସ୍ଥ ବଣ ପାହାଡ଼, ଜଙ୍ଗଲରୁ କଂଟା ବାଉଁଶ ସଂଗ୍ରହ କରି ବାଉଁଶରେ ବିଭିନ୍ନ ସାମଗ୍ରୀ କୁଲା, ବାଢୁନ, ଚାଙ୍କରୀ, ଭୁଗା, ଧୁକନା, ବେଲା, ସିକୁନ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ସୂକ୍ଷ୍ମ କାରିଗରୀ ସହ ସାମଗ୍ରୀକୁ ଅଧିକ ଆକୃଷ୍ଟ କରିବା ପାଇଁ ମଝିରେ ମଝିରେ ବିଭିନ୍ନ ରଙ୍ଗ ବୋଳା ବାଉଁଶ ପତି ମଧ୍ୟ ଖଞ୍ଜିଥାନ୍ତି । ସାମଗ୍ରୀ ପ୍ରସ୍ତୁତ ହେଲା ପରେ ତାକୁ ବିଭିନ୍ନ ଅଂଚଳକୁ ଯାଇ ବୁଲି ବୁଲି ବିକ୍ରୟ କରିଥାନ୍ତି । ପୁଣି ଏହି ସାମଗ୍ରୀକୁ ବିଭିନ୍ନ ବଜାର ମାନଙ୍କରେ ଯାଇ ବିକ୍ରୟ କରିଥାନ୍ତି । ଆଗ୍ରହୀ ଗ୍ରାହକ ମାନେ ବାଉଁଶ ତିଆରି ସାମଗ୍ରୀ କିଣି ଘରକୁ ନେଇଥାନ୍ତି । କିଛି ଗ୍ରାହକ ମୂଳଚାଲ କରି ସାମଗ୍ରୀ କିଣିଥାନ୍ତି । ତେବେ ଆଧୁନିକତାର ପ୍ରଭାବ ସହ ଲୋକଙ୍କ ଚାଳିଚଳଣି ବଦଳିବାରେ ଲାଗିଛି । ଫଳରେ ଅନେକ ପରିବାର ବାଉଁଶ ତିଆରି ସାମଗ୍ରୀକୁ କିଣିବାକୁ ଆଉ ପସନ୍ଦ କରୁନାହାନ୍ତି । ବାଉଁଶ ତିଆରି ସାମଗ୍ରୀ ବଦଳରେ ସୁନ୍ଦର ଦେଖାଯାଉଥିବା ପ୍ଲାଷ୍ଟିକ ସାମଗ୍ରୀକୁ କିଣି ଘରକୁ ଆଣୁଛନ୍ତି । ପ୍ଲାଷ୍ଟିକ ସାମଗ୍ରୀ ସୁନ୍ଦର ଦେଖାଯିବା ସହ ଅଧିକ ଦିନ ଧରି ବ୍ୟବହୃତ ହେଉଥିବା ବେଳେ ବାଉଁଶ ସାମଗ୍ରୀ କମ୍ ଦିନ ମଧ୍ୟରେ ଖରାପ ହୋଇଥାଏ । ଫଳରେ ଲୋକେ ପ୍ଲାଷ୍ଟିକ ସାମଗ୍ରୀକୁ ଅଧିକ ମାତ୍ରାରେ କିଣି ବ୍ୟବହାର କରିଥାନ୍ତି । ହେଲେ ପୂର୍ବଭଳି ଚାହିଦା ନଥିଲେ ମଧ୍ୟ ନୂଆପଡା ଜିଲ୍ଲା ସହ ପଶ୍ଚିମ ଓଡିଶାର ଲୋକେ ବିବାହ, ବ୍ରତ ମାନଙ୍କରେ ବାଉଁଶ ତିଆରି ସାମଗ୍ରୀ କିଣି ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ବାଉଁଶ ତିଆତି କରୁଥିବା କାରିଗର ମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ ହୋଇଛି । ଯେଉଁ ମାତ୍ରାରେ ଏମାନଙ୍କ ପରିଶ୍ରମ ରହିଛି ସେହିମାତ୍ରାରେ ସେମାନଙ୍କୁ ପାରିଶ୍ରମିକ ମିଳୁନଥିବା ଜଣାପଡିଛି । ହେଲେ ଏହି ସମ୍ପ୍ରଦାୟର କୈାଳିକ ବୃତି ରୂପେ ପରିଚିତ ବାଉଁଶ କାମ ଛାଡିବାକୁ କିଛି ପରିବାର ଅମଙ୍ଗ ହୋଇପଡିଛନ୍ତି । ପୁଣି କିଛି ପରିବାର ବାଉଁଶ ସାମଗ୍ରୀର ଚାହିଦା ଦିନକୁ ଦିନ କମି ଯାଉଥିବାରୁ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି । ସରକାର କମାର ସମ୍ପ୍ରଦାୟଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି । ଅନ୍ୟଥା ଏହି ସମ୍ପ୍ରଦାୟର କୈାଳିକ ବୃତି ଆଗାମୀ ଦିନରେ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *