ଯାଜପୁର: ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନର ପରମ୍ପରା ରହିଛି । ଏହି ପିଣ୍ଡଦାନ ପାଇଁ ଭାରତ ବର୍ଷର ୩ଟି କ୍ଷେତ୍ରକୁ ପବିତ୍ର ସ୍ଥଳ ଭାବେ ଗ୍ରହଣ କରାଯାଏ । ସେହି ୩ଟି ପବିତ୍ର ସ୍ଥଳ ହେଉଛି ଶୀର ଗୟା,ନାଭିଗୟା ଏବଂ ପାଦ ଗୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରହିଛି ଏହି ନାଭିଗୟା । ଆଶ୍ୱିନ ମାସର ଇନ୍ଦୁପୂର୍ଣ୍ଣିମା ଠାରୁ ମହାଳୟା ପର୍ଯ୍ୟନ୍ତ ଏହି ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ମୋକ୍ଷ ଲାଭ କରିବାର ବିଶ୍ୱାସ ରହିଛି । ସେଥିପାଇଁ ଯାଜପୁରର ଏହି ନାଭିଗୟାରେ ପିଣ୍ଡଦାନ କରିବା ପାଇଁ କାହିଁ କେଉଁ ଆଡୁ ଶ୍ରଦ୍ଧାଳୁଙ୍କ ଭିଡ ଛୁଟିଥାଏ ।
ନାଭିଗୟାରେ ପିଣ୍ଡଦାନ ପବିତ୍ରତା ନେଇ ରହିଛି ଅନେକ କିମ୍ବଦନ୍ତୀ । ବାୟୁ ପୁରାଣ ଅନୁଯାୟୀ ଗୟାସୁରର ନାଭି ବିରଜା କ୍ଷେତ୍ରରେ ପଡିବାର ବିଶ୍ୱାସ ରହିଛି । ଗୟାସୁର ଅମର ବର ପାଇବା ପରେ ଦେବ ଲୋକରେ ଏହାକୁ ନେଇ ଚିନ୍ତା ବଢ଼ିଥିଲା । ବିଷ୍ଣୁ ବ୍ରହ୍ମାଣ୍ଡର ହିତ ପାଇଁ ଏକ ଯଜ୍ଞର ଆୟୋଜନ କରି ଗୟାସୁରଙ୍କୁ ତାଙ୍କ ଶରୀର ଦାନ ପାଇଁ ଭିକ୍ଷା କରିଥିଲେ । ଗୟାସୁର ଏଥିପାଇଁ ରାଜି ହୋଇ ୩ଟି ସର୍ତ୍ତ ରଖିଥିଲେ । ସେହି ୩ଟି ସର୍ତ୍ତ ଅନୁଯାୟୀ ଗୟାସୁରର ଶିର, ନାଭି ଓ ପାଦ ପଡିବା ସ୍ଥାନକୁ ତିର୍ଥସ୍ଥଳୀ ଭାବେ ଗ୍ରହଣ କରାଯିବ ଏବଂ ସେଠାରେ ପିତୃପୁରୁଷଙ୍କ ପିଣ୍ଡଦାନ କରାଯିବ । ସେହି ଅନୁଯାୟୀ ନାଭିଗୟାରେ ବର୍ଷ ତମାମ ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ଆସିଥାନ୍ତି । ଖାସ କରି ପିତୃପକ୍ଷରେ ପିଣ୍ଡଦାନ ପାଇଁ ବିଶେଷ ଭିଡ ଦେଖିବାକୁ ମିଳେ ।
ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ପିଣ୍ଡଦାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ମଧ୍ୟ ପିତୃପକ୍ଷରେ ପିଣ୍ଡଦାନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ଏଠାରେ ରହିଥିବା ଅନ୍ୟ ଏକ ବିଶ୍ୱାସ ହେଉଛି ଏହି ନାଭି ଗୟାଟିର କୁଣ୍ଡ କେବେ ପୂର୍ଣ୍ଣ ହୁଏ ନାହିଁ । ବର୍ଷ ତମାମ ଏଠାରେ ପିଣ୍ଡଦାନ କାର୍ଯ୍ୟ ଚାଲୁ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କେବେ ଏହି କୁଣ୍ଡ ପୁରଣ ହୋଇଥିବା ଦେଖିବାକୁ ମିଳେ ନାହିଁ । ତେଣୁ ଏହି କୁଣ୍ଡକୁ ଗୁପ୍ତଗଂଗା ବୋଲି ବିଶ୍ୱାସ କରାଯାଏ । ଏଭଳି ଅନେକ ପୌରାଣିକ ବିଶ୍ୱାସ ରହିଥିବାରୁ ବର୍ଷ ତମାମ ଏଠାକୁ ଶ୍ରଦ୍ଧାଳୁ ମାନଙ୍କ ଆଗମନ ହୋଇଥାଏ ।
ନାଭିଗୟାରେ ପିଣ୍ଡଦାନ କରିବା ପରେ ମା ବିରଜାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବା ସହିତ ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ହେବାର ବିଶ୍ୱାସ ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now