ନୂଆବର୍ଷ ପାଇଁ ପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଭକ୍ତ

Spread the love

() ବିଦାୟ ନେଇଛି ପୁରୁଣା ବର୍ଷ ୨୦୨୨। ନୂଆ ଆଶା ,ନୂଆ ଉଦ୍ଦିପନା ସହ ୨୦୨୩କୁ ସ୍ୱାଗତ କରିଛନ୍ତି ସମସ୍ତେ । ନୂତନ ବର୍ଷରେ ବିଭିନ୍ନ ମନ୍ଦିରରେ ଲୋକେଙ୍କ ନାହିଁ ନଥିବା ଭିଡ । ନବବର୍ଷ ଯେପରି ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନକରିବ ସେନେଇ ସମସ୍ତଙ୍କ ପ୍ରାର୍ଥନା ।

ବିଦାୟ ନେଇଛି ପୁରୁଣା ବର୍ଷ। ପାଦଥାପିଛି ନବବର୍ଷ । ନବବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ । କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ମନ୍ଦିରଠୁ ଆରମ୍ଭ କରି ପିକନିକ୍ ସ୍ପଟ୍ ସବୁଠି ଲୋକଙ୍କ ଭିଡ ଦେଖିବାକୁ ମିଳିଛି। କେଉଁଠି ନାଚଗୀତର ଆସର ଜମୁଛି ତ କେଉଁଠି ଭୋଜିଭାତ କରି ଖୁସି ମନାଉଛନ୍ତି ଲୋକେ ।

ନୂଆବର୍ଷରେ ପ୍ରଭୁଙ୍କ ଆର୍ଶୀବାଦ କାମନା କରାଯାଉଛି । ନବବର୍ଷର ପ୍ରଥମ ଦିନରେ ପୁରୀ ଶ୍ରୀମନ୍ଦିର, ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ପରି ରାଜ୍ୟର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ଦେଖି ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ବ୍ୟାରିକେଟ ବ୍ୟବସ୍ଥାରେ ଦର୍ଶନ ସୁବିଧା କରାଯାଇଥିଲା l ସେପଟେ ମା ବିରଜାଙ୍କ ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି । କୋରାପୁଟର ବିଭିନ୍ନ ପିକିନିକ ସ୍ପଟ ସହିତ ମାଳିଗୁଡା ଟନେଲରେ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।

ସେପଟେ ନୂଆ ବର୍ଷକୁ ନେଇ ଛୁଟିଛି ଅଭିନନ୍ଦନର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି କାମନା କରିଛନ୍ତି । ପରିବହନ ଓ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ କଟକ-ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓଡ଼ିଶାବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ନୂଆବର୍ଷରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି l ସେପଟେ ରାଜଧାନୀବାସୀଙ୍କୁ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ମଧ୍ୟ ନୂଆବର୍ଷ ପାଇଁ ସହରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତେବେ ଇଂରାଜୀ ନବବର୍ଷରେ ବେସ ଉତ୍ସାହର ସହିତ ସମସ୍ତେ ସେଲିବ୍ରେଟ କରୁଥିବା ଦେଖିବାକୁ ମିଳିଛି । କ୍ଲବ, ପାର୍କ ପର୍ଯ୍ୟଟନ ସ୍ଥଳୀ ସବୁଠି ଲୋକେ ନୂଆ ବର୍ଷକୁ ସ୍ୱାଗତ କରି ଖୁସି ମନାଉଛନ୍ତି ।

Leave a Reply

Your email address will not be published. Required fields are marked *