ନୂଆବର୍ଷରେ  ନୂଆ ରଣନୀତି, ନୂଆ କର୍ତ୍ତବ୍ୟ

Spread the love

ଭୁବନେଶ୍ୱର: ନୂଆବର୍ଷରେ  ନୂଆ ରଣନୀତି, ନୂଆ କର୍ତ୍ତବ୍ୟ । ବିଦାୟ ନେଇଛି ୨୦୨୨। ପାଦ ଥାପିଛି ୨୦୨୩ । ଆଗକୁ ଆସୁଛି ୨୦୨୪ ଇଲେକ୍ସନ । ଏଥିପାଇଁ ଯାହା କିଛି କରିବାର ଅଛି ତାହା ୨୩ରେ ହିଁ କରିବାକୁ ହେବ । ସେଥିପାଇଁ ପ୍ରତି ଦଳ ପକ୍ଷରୁ ଆରମ୍ଭ ହୋଇଛି ଅଙ୍କ କସା । ଶାସକ ଦଳ ୫ ଥର ଲଗାତାର  ଶାସନଭାର ସମ୍ଭାଳି ଥିବା ବେଳେ ଷଷ୍ଠ ଥର ପାଇଁ ପ୍ରସ୍ତୁତ ହେଉଛି ବିଜେଡି। ଅନ୍ୟପକ୍ଷରେ ବିରୋଧୀ କ୍ଷମତା ବିରୋଧୀ ଭୋଟକୁ ଠୁଳ କରି ଚେକମେଟ ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ଖସଡ଼ା। ଅନ୍ୟପଟେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ବିଜେଡି ବିଧାୟକଙ୍କ ଠାରୁ ମିଳିଛି ସଙ୍କେତ ।

ରାଜ୍ୟ ରାଜନୀତିରେ ୨୦୨୩ ଆଣିବାକୁ ଯାଉଛି ଅନେକ ଚ୍ୟାଲେଞ୍ଜ। ପ୍ରଭୁ ଜଗନାଥଙ୍କ ଆଶୀର୍ବାଦ ନେଇ ସବୁ ଆହ୍ୱାନକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ପ୍ରମୁଖ ଦଳର କାର୍ଯ୍ୟକର୍ତ୍ତା| । ବିଶେଷକରି ଶାସକ ଦଳ ପାଇଁ ଚଳିତ ବର୍ଷଟି ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଖାସକରି ଦଳ ଭିତରେ ବଢୁଥିବା ବିଦ୍ରୋହୀଙ୍କ ସଂଖ୍ୟା ସାଜି ପାରେ ଶାସକ ଦଳର ମୁଣ୍ଡବିନ୍ଧାର କାରଣ । ଏହି ଗୋଳିଆ ପାଣିରୁ ଫାଇଦା ଉଠାଇବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ସମୟ ଥାଉ ଥାଉ ଏ ନିଆଁ ପ୍ରଶମିତ ନହେଲେ ଧାମନଗର ଦଶା ଭୋଗିପାରେ ବିଜେଡି । ସେଥି ଲାଗି ତ୍ରୁଣମୂଳରୁ ସ୍ଥିତି ସଜାଡ଼ିବା ପାଇଁ ଶାସକ ଦଳର ନେତା ସତର୍କ ହୋଇ କାମ ଆରମ୍ଭ କରିଛନ୍ତି । ସରକାରୀ ଯୋଜନା,ନବୀନଙ୍କ ଶାସନର ସ୍ଵଚ୍ଛତା ଓ ମହିଳାଙ୍କ ପାଇଁ ଥିବା ଦଳର ପ୍ରତିବଦ୍ଧତାକୁ ଆଧାର କରି ଭୋଟରଙ୍କ ପାଖେ ଦଳ ପହଞ୍ଚିବ ଏବଂ ସରକାର ବିରୋଧରେ ଥିବା ଅସନ୍ତୋଷକୁ ଦୂର କରିବା ଚେଷ୍ଟାରରେ ରହିବ ଦଳ ।

୨୦୨୩ ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ । ଶାସକ ଦଳକୁ ଗାଦିଚ୍ୟୁତ କରିବା ପାଇଁ ସବୁ ପ୍ରୟାସ କରାଯିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ । ଯାହାର ପ୍ରଭାବ ପଡ଼ିବ ନାହିଁ ବୋଲି କହୁଥିଲେ ମଧ୍ୟ ବିଜେଡ଼ି ପାଇଁ ଆଗାମୀ ସମୟ ସହଜ ନୁହେଁ । ବିଜେପି କହିଛି ଏଥର ନିର୍ବାଚନ ପ୍ରସଙ୍ଗଭିତ୍ତିକ ହେବ। ଦୁର୍ନୀତିଗ୍ରସ୍ତ  ସରକାରଙ୍କ ମୂଳୋତ୍ପାଟନ ସୁନିଶ୍ଚିତ ବୋଲି ଦଳ ଦମ୍ଭରେ କହିଛି । ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ତେଣୁ ନିଷ୍ପତି ସେମାନେ ଭାବିଚିନ୍ତି ନେବେ । କଂଗ୍ରେସର କହିବା କଥା, ଭାରତ ଯୋଡ଼ା ଯାତ୍ରା ଆଗାମୀ ନିର୍ବାଚନ ପାଇଁ ଏକ ବଡ ବିପ୍ଳବ ଆଣିବ। ଏହାଦ୍ୱାରା ନିଶ୍ଚୟ ଜନସାଧାରଣ ପ୍ରଭାବିତ ହେବେ ।

ତେବେ ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ପାଓ୍ୱାର କରିଡରରେ ଚର୍ଚ୍ଚା ଜୋରଦାର ହୋଇଛି । ନୂଆ ବର୍ଷରେ କାହାକୁ ନୂଆ ଦାୟିତ୍ୱ ମିଳିବ ଓ କିଏ ବିଶ୍ୱାସ ହରାଇବ ତା ଉପରେ ମଧ୍ୟ ରାଜନୈତିକ ପାଣିପାଗର ପ୍ରଭାବ ରହିବ । ତେବେ ୨୪ ପାଇଁ ସମୟ ଅଛି । ଭୋଟରଙ୍କ ବିଶ୍ବାସ ଜିତିବା ପାଇଁ ଯାହା ଉଦ୍ୟମ ଅଧିକ ପ୍ରଭାବୀ ହେବ ସଫଳତା ତାଙ୍କ ଖାତାକୁ ଯିବ ।

ସିମ୍ପଲ ନାୟକ, ସ୍ୱରୂପା ମହାପାତ୍ର ଓ ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *