() ଥାନାକୁ ଆସୁଥିବା ଲୋକଙ୍କୁ ଗୁରୁତ୍ୱ ଦିଅ। ସଚ୍ଚୋଟ, ନିର୍ଭୀକ ଓ ଚାପମୁକ୍ତ ହୋଇ ଦାୟିତ୍ୱ ତୁଲାଅ। ଏତଲା ପଞ୍ଜୀକରଣ, କଲ୍ ଡିଟେଲ୍ସ ବିଶ୍ଳେଷଣ, ବୈଷୟିକ ଅପରାଧର ତଦନ୍ତ ଉପରେ ଗୁରୁତ୍ୱ ଦେଇ ଚାଲିଥିବା ଦୁଇ ଦିନିଆ କମିଶନରେଟ ପୁଲିସ ସମ୍ମିଳନୀ ଶେଷ ହୋଇଛି। ହେଲେ ଡିଜିଙ୍କଠୁ ନେଇ ସିପିଙ୍କ ଯାଏ, ଏଭଳି ଦେଇଥିବା ଆହ୍ୱାନ୍ ବାସ୍ତବରେ କେତେଦୂର ଗ୍ରାଉଣ୍ଡରେ ପ୍ରତିଫଳିତ ହେଉଛି। ଠକେଇ ମାମଲାରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ବାନ୍ଧିବାକୁ ହାଇକୋର୍ଟ ଦେଇଥିବା ନିର୍ଦେଶାନାମା ତାହା ହେଲେ କାହିଁକି କାର୍ଯ୍ୟକାରୀ ହୋଇପାରୁନି। ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରାଧ ଚିହ୍ନଟ ଓ ନିରାକରଣ ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ କରାଯିବ। ଅପରାଧ ଓ ଅପରାଧୀଙ୍କୁ ଦମନ ଲାଗି ପୁଲିସ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନେବ। ବଡ଼କଥା ହେଲା, କମିଶନରେଟ ପୁଲିସ ଉପରେ ସବୁ ଆଡ଼ୁ ଚାପ ରହୁଛି। ତା ସତ୍ତ୍ୱେ କାମ ପ୍ରଶଂସନୀୟ ବୋଲି କହିଛନ୍ତି ଡିଜି। ଆଉ ଗୁହାରି ନେଇ ଆସୁଥିବା ଲୋକଙ୍କ ପାଖରେ ପୁଲିସ ଛିଡ଼ା ହୋଇଗଲେ, ସେମାନେ ଶାନ୍ତିରେ ଶୋଇ ପାରୁଛନ୍ତି। ଏଭଳି ଢଙ୍ଗରେ ପୁଲିସର ମନୋବଳ ବଢ଼ାଇବା ସହ ଲୋକଙ୍କ ସୁରକ୍ଷା ପାଇଁ ଆମକୁ ସବୁବେଳେ ସଜାଗ ରହିବା ଦରକାର ବୋଲି ଅପିଲ୍ ବି କରିଛନ୍ତି ଅତିରିକ୍ତ ସିପି। କମିଶନରେଟ ପୁଲିସ ଅଧିକାରୀ ସମ୍ମିଳନୀରେ ପୁଲିସ ପାଇଁ ଆସୁଥିବା ଅନେକ ଚ୍ୟାଲେଞ୍ଜକୁ ମୁକାବିଲା ସହ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଆଲୋଚନା ହୋଇଛି।
ଏମିତିରେ ଦେଖିବାକୁ ଗଲେ କମିଶନରେଟ ପୁଲିସ ଉପରେ କେତେ ଚାପ, କହିବାର ଆବଶ୍ୟକତା ନାହିଁ। କିନ୍ତୁ ସତରେ କଅଣ ଚାପମୁକ୍ତ ହୋଇ କାମ କରିବା ସମ୍ଭବ ହୋଇପାରୁଛି। ଯଦି ଏହି ପ୍ରଶ୍ନର ଉତ୍ତର ହଁ। ତା ହେଲେ ଲୁମେକ୍ସ ରିସୋର୍ଟ ସଂସ୍ଥା ନାଁରେ ଜାଲି ଦସ୍ତାବିଜ୍ ବଳରେ ନିବେଶକଙ୍କଠୁ କୋଟି କୋଟି ଟଙ୍କା ଠକେଇ, ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ଜମି ଓ ଲକଜରି ଭିଲ୍ଲା ଦେବା ନାଁରେ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଅଭିଯୁକ୍ତ ଦମ୍ପତ୍ତି ରାଜୀବ ଲୋଚନ ଦାସ ଓ ସୋନିଆ ତ୍ରିପାଠୀଙ୍କ ପାଖରେ କେମିତି ପହଞ୍ଚିପାରୁନି ପୁଲିସ। ଏପରିକି ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଦୁଇ ସପ୍ତାହ ଭିତରେ ଗିରଫ କରିବାକୁ ହାଇକୋର୍ଟ ଦେଇଥିବା ନିର୍ଦେଶକୁ ଦୁଇ ମାସ ବିତିଗଲାଣି। କାର୍ଯ୍ୟକାରୀ କରୁପାରୁନି ପୁଲିସ। ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ଅପରାଧୀକୁ ଧରିବାକୁ ପୁଲିସ ଜୋର୍ ଦେଉଛି। ବିଡ଼ମ୍ୱନାର କଥା, ଏଠି ଅଭିଯୁକ୍ତ ସୋସିଆଲ ମିଡ଼ିଆରେ ଆକ୍ଟିଭ୍। ହେଲେ ପୁଲିସ ଏ କ୍ଷେତ୍ରରେ ଜ୍ଞାନକୌଶଳ କାହିଁକି ଲଗାଉନି। ସେଥିଲାଗି ତ ଜଣେ ବରିଷ୍ଠ ଆଇପିଏସ ଅଭିଯୁକ୍ତଙ୍କ ସମ୍ପର୍କୀୟ ବୋଲି ପୁଲିସ ପଛଘୁଞ୍ଚା ଦେଉଛି ବୋଲି ସଙ୍ଗୀନ ଆରୋପ ଲଗାଉଛନ୍ତି ଅଭିଯୋଗକାରିଣୀଙ୍କ ଓକିଲ। ଆଉ ପୂର୍ବତନ ସାଂସଦ ତଥା ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ କ୍ଷମତାର ଗାତ ଶୀର୍ଷକ ସମ୍ପାଦକୀୟରେ କିଛି ଲେଖା ପୁଲିସ ସମେତ ଅନେକ ବିଭାଗର ଏଭଳି ଆଚରଣକୁ ଯେମିତି ତୀର୍ଯ୍ୟକ ତୀର ମାରିଛି। ତଥାଗତ ଲେଖିଛନ୍ତି ଯେ, ସରକାରୀ ସଂସ୍ଥାରୁ ଲୋକଙ୍କୁ ଯଥାସମ୍ଭବ ନ୍ୟାୟ ମିଳିପାରନ୍ତା। କିନ୍ତୁ ସଂସ୍ଥାଗୁଡ଼ିକ ଅପାରଗ ଓ ଦୁର୍ନୀତିଗ୍ରସ୍ତ ହୋଇପଡ଼ିଥିବାରୁ ନ୍ୟାୟ ଦେଇପାରୁନାହାନ୍ତି। ଯଦି ଅଦାଲତି ବ୍ୟବସ୍ଥାକୁ ସବୁ ଆଡ଼ୁ ସହଯୋଗ ମିଳିବନି, ତେବେ ସମାଧାନର ପନ୍ଥା ବାହାରିବା କଷ୍ଟକର।
ନିଃସନ୍ଦେହରେ କୁହାଯାଇପାରେ, କମିଶନରେଟ ପୁଲିସର କାମ ବାସ୍ତବରେ ପ୍ରଶଂସନୀୟ। କିନ୍ତୁ ଏମିତି କିଛି ମାମଲା ରହିଛି, ଯେଉଁଠି ପୁଲିସ ଅଦାଲତଙ୍କ ନିର୍ଦେଶକୁ ବି କାର୍ଯ୍ୟକାରୀ କରିବାକୁ ପଛାଉଛି। ତାହେଲେ ପୁଲିସ ପ୍ରତି ବିଶ୍ୱସନୀୟତା ସାଧାରଣରେ ଆସିବ କେମିତି। ଇଓଡବ୍ଲୁ ଜମି ଠକେଇ ମାମଲାରେ ଯେମିତି ନିରନ୍ତର ଠକଙ୍କୁ ଗିରଫ କରି ଜେଲରେ ଠୁଙ୍କୁଛି, ତାହା ଠକଙ୍କ ଆଖିରୁ ନିଦ ହଜେଇ ଦେଲାଣି। କିନ୍ତୁ ପ୍ରାୟ ସାଢ଼େ ୧୭ କୋଟି ଟଙ୍କାର ଠକେଇରେ ଇଓଡବ୍ଲୁ ତ କେବେଠୁ ମୁଣ୍ଡ ପୁରାଇସାରନ୍ତାଣି। ହେଲେ ପଶୁନି କାହିଁକି। ନା ଅଭିଯୋଗକାରୀଙ୍କୁ ଅପେକ୍ଷା କରିଛି। ଏ କଥା ବି ସାଧାରଣରେ ଚର୍ଚ୍ଚା ହେବା ସ୍ୱାଭାବିକ।
ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now