ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ଅନୁରୋଧ ପରେ ତାଗିଦ

() ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ଅନୁରୋଧ ପରେ ତାଗିଦ । ମୁଖ୍ୟ ଶାସନ ସଚିବ, ପରିବହନ ମନ୍ତ୍ରୀ ଡ୍ରାଇଭର ସଂଘକୁ ଅପିଲ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଏକତା ମହାସଂଘର ଆବାହକଙ୍କୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ମଧ୍ୟ ହୋଇସାରିଛି । ଏହାପରେ ଶୁକ୍ରବାର ବିଧାନସଭାରେ ଡ୍ରାଇଭର ସଂଘ ଆନ୍ଦୋଳନ ନେଇ ଗୃହରେ ବିବୃତି ରଖିଥିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଡ୍ରାଇଭର ସଂଘ ଏବଂ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ମନ୍ତ୍ରୀ ଗୃହରେ ରଖିଥିଲେ ଉତ୍ତର । ସେପଟେ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓ କଂଗ୍ରେସ । ଗାଡି ଚାଳକମାନଙ୍କ ଦାବିକୁ ସରକାର ପୂରଣ କରିବାକୁ ଉଭୟ ଦଳ କହିଛନ୍ତି । ଆଉ ସମସ୍ତେ ଭାବି ନେଇଥିଲେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି । ହେଲେ ବାସ୍ତବିକ ଚିତ୍ର ଥିଲା ଭିନ୍ନ । ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିବା ବେଳେ କେତେକ ସ୍ଥାନରେ ଦେଖା ଦେଇଥିଲା ଅପ୍ରିତିକର ପରିସ୍ଥିତି । ଆଉ ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିବ ବୋଲି ଭିଡିଓ ଜରିଆରେ ସୂଚନା ଦେଇଥିଲେ ସଂଘର ସଭାପତି। ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୃତିରେ ଖୁସି ନାହାନ୍ତି ସଦସ୍ୟ ବୋଲି ସଭାପତି ଜଣାଇଥିଲେ। ଏହାପରେ ଶୁକ୍ରବାର ମଧ୍ୟାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁଣିଥରେ ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ଅପିଲ କରିଥିଲେ । ସେପଟେ ସଂଘକୁ ତାଗିଦ କରିଛନ୍ତି ପୁଲିସ ଡିଜି । ପ୍ରତିଶ୍ରୃତି ପରେ ଆନ୍ଦୋଳନ ବେଆଇନ। ଆଇନ ହାତକୁ ନେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଡିଜି ।
ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୃତି ପରେ ରାଜ୍ୟର ଅନେକାଂଶ ସ୍ଥାନରେ ଡ୍ରାଇଭର ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । କଟକ ଜିଲ୍ଲାରେ ଡ୍ରାଇଭର ଏକତା ମଞ୍ଚ ର ଆନ୍ଦୋଳନକୁ ସ୍ଥଗିତ ରଖିଥିବା ବେଳେ, ଖୋର୍ଦ୍ଧାରେ ମଧ୍ୟ ଆନ୍ଦୋଳନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଲା ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ସଂଘ। ସେହିପରି ରାୟଗଡାର ଗୁଣପୁରର ଅନେକ ସ୍ଥାନରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ହେଲେ ଅନ୍ୟପଟେ ଏକାଧିକ ସ୍ଥାନରେ ପୁଲିସ-ଡ୍ରାଇଭର ମୁହାଁମୁହିଁ ପରିସ୍ଥିତି ଘଟଣା ମଧ୍ୟ ସାମନାକୁ ଆସିଛି । ପାରାଦୀପ ଦୋଛକି ରାସ୍ତାରେ ଆନ୍ଦୋଳନ ବେଳେ କିଛି ଟ୍ରକକୁ ଅଟକାଇବାରୁ ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। 15 ରୁ ଉର୍ଦ୍ଧ ଡ୍ରାଇଭରଙ୍କୁ ଉଠାଇ ନେଇଥିବା ବେଳେ ଅନେକ ଡ୍ରାଇଭରଙ୍କୁ ସେଠାରୁ ଘଉଡାଇଥିଲା। ସେହିପରି ବରଗଡ଼ ସହର ଉପକଣ୍ଠସ୍ଥ ୫୩ ନମ୍ବର ଜାତୀୟ ରାଜପଥର ହଳଦୀପାଲି ଛକ ଠାରେ ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ପୋଲିସ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀ ଡ୍ରାଇଭରମାନଙ୍କୁ ଗିରଫ କରିଛି। ଏହି ସମୟରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି । ଢେଙ୍କାନାଳରେ ମଧ୍ୟ ପୂର୍ବଭଳି ଜାରି ରହିଛି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ତେବେ ନିତ୍ୟ ବ୍ୟବହାର୍ଯ୍ୟ ପରିବହନ ଗାଡିକୁ ନ ଅଟକାଇବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ଆନ୍ଦୋଳନ ଜାରି ରହିଛି । l
ତେବେ ପ୍ରତିଶ୍ରୃତି ଓ ତାଗିଦ ପରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ସ୍ଥଗିତ ରହିଥିବା ବେଳେ ଏବେ ବି ଅନେକ ସ୍ଥାନରେ ଜାରି ରହିଛି ଧାରଣା । ଆଗକୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରୁଛି ନା ନିଜ ଜିଦରେ ଅଟଳ ରହୁଛି, ତାହାକୁ ଅପେକ୍ଷା।