କଳାହାଣ୍ଡି: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକେ କିଭଳି ସରକାରୀ ଯୋଜନାର ଲାଭ ପାଇ ପାରିବେ ଓ ଗାଁର ସାମଗ୍ରୀକ ବିକାଶ ହେବ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା କରିଛନ୍ତି । ଯେଉଁଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । କିନ୍ତୁ କିଛି ଅସାଧୁ ସରକାରୀ ଅଧିକାରୀଙ୍କ ଯୋଗୁଁ ତାର ସଫଳତା ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଫଳରେ ଜୀବନଧାରଣ ମାନରେ ପରିବର୍ତ୍ତନ ହେଉନାହିଁ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପାହାଡପଦର ପଞ୍ଚାୟତରୁ । ଯେଉଁଠି ପଞ୍ଚାୟତ ନିର୍ବାହୀ ଅଧିକାରୀ 47 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆତ୍ମସାତ କରି ଫେରାର ହୋଇ ଯାଇଛନ୍ତି ।
ଟିକିଏ ଭଲ କରି ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ , ନାଁ ଦେବାନନ୍ଦ ସାଗର । ଗତ ଚାରି ମାସ ତଳେ ଅର୍ଥାତ ଅଗଷ୍ଟ ମାସରେ କଳାହାଣ୍ଡି ଜିଲ୍ଲା ଦୁର୍ଗମ ଲାଞ୍ଜିଗଡ ବ୍ଲକର ପାହାଡପଦର ପଞ୍ଚାୟତ ର PEO ବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ ଯୋଗଦାନ କରିଥିଲେ । ଏହି ସମୟରେ ବ୍ୟାପକ ସରକାରୀ ଅର୍ଥ ହଡପ କରିଥିବା ନେଇ ଅଭିଯୋଗ ହୋଇଛି । ପଞ୍ଚାୟତକୁ ଆସିଥିବା ପଂଚଦଶ କେନ୍ଦ୍ରୀୟ ଅର୍ଥ କମିଶନର ୨୪ ଲକ୍ଷ ୭୦ ହଜାର ୭୧୩ ଟଙ୍କା ଚେକ୍ ଜରିଆରେ ଉଠାଣ କରି ବ୍ୟକ୍ତିଗତ ଭାବେ ହଡପ କରିଥିବା ସରପଞ୍ଚ ଲକ୍ଷ୍ମଣ ମାଝୀ ଅଭିଯୋଗ କରିଛନ୍ତି । ସେହିପରି ପଂଚମ ରାଜ୍ୟ ଅର୍ଥ କମିଶନର ଅନୁଦାନ ପାଣ୍ଠି ୧୭ ଲକ୍ଷ ୧୫ ହଜାର ୨୦୬ ଟଙ୍କା ମଧ୍ୟ ସେ ବେଆଇନ ଭାବେ ଉଠେଇ ନେଇଥିବା ଅଭିଯୋଗ ହୋଇଛି ।
ଏପରିକି ପାହାଡପଦର ଭଳି ଅଂଚଳର ବରିଷ୍ଠ ନାଗରିକଙ୍କ ମାସିକ ଭତା ବାବଦକୁ ପାଇବାକୁ ଥିବା ୫ ଲକ୍ଷ ୩୨ ହଜାର ଟଙ୍କା ମଧ୍ୟ ସେ ଚେକ୍ ଜରିଆରେ ଉଠାଇ ନେଇ ଆତ୍ମସାତ କରି ଫେରାର ହୋଇ ଯାଇଛନ୍ତି । ତେବେ ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ କହିବା କଥା ତାଙ୍କ ଜାଲ୍ ଦସ୍ତଖତରେ ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ସେ ଆତ୍ମସାତ କରିଥିବାବେଳେ କେବଳ ପାହାଡପଦର ନୁହେଁ ସମଗ୍ର ଜିଲ୍ଲାରେ ପଂଚାୟତ ନିର୍ବାହୀ ଅଧିକାରୀ ମାନଙ୍କ କଳା କାରନାମା କିଭଳି ରହିଛି ତାର ମୁଖା ଖୋଲିଛି । ଏ ସଂପର୍କରେ ସରପଂଚ ଲକ୍ଷ୍ମଣ ମାଝୀ, ସମିତିସଭ୍ୟ ଜଗଦୀଶ ବେନିଆଁ ପ୍ରମୁଖ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଡିଓ ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବା ସହିତ ବିଶ୍ୱନାଥପୁର ଏସ୍ବିଆଇ ଶାଖାରେ ଥିବା ପଂଚାୟତ ଆକାଉଣ୍ଟକୁ ହୋଲ୍ଡ କରିବାକୁ ଚିଠି ଲେଖିଛନ୍ତି । ଅପରପକ୍ଷରେ ପାହାଡପଦର ସରପଂଚ ଲକ୍ଷ୍ମଣ ମାଝୀ ଦେବାନନ୍ଦଙ୍କ ବିରୁଦ୍ଧରେ ଏତଲା ଦାୟର କରିଛନ୍ତି । ସେପଟେ ସରକାରୀ ଅର୍ଥ ହେରଫେର ମାମଲାକୁ କଳାହାଣ୍ଡି ଭିଜିଲାନ୍ସ ତଦନ୍ତ କରୁଛି ।
ପାହାଡପଦର ପଞ୍ଚାୟତ ରେ ଏସଏଫସି (SFC) ଓ ସିଏଫସି (CFC) ଫଣ୍ଡରୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇ ସାରିଥିବା ବେଳେ ଶ୍ରମିକ ମାନଙ୍କୁ ମଜୁରି ଦେବା ପାଇଁ ମଧ୍ୟ ଟଙ୍କା ନାହିଁ। ଶ୍ରମିକ ମାନେ ବାରମ୍ବାର ପଞ୍ଚାୟତକୁ ଦୌଡୁଥିବା ବେଳେ ଏପଟେ ଦେବାନନ୍ଦ ଆତ୍ମସାତ କରି ଫେରାର ମାରିଛନ୍ତି। ପଞ୍ଚାୟତବାସୀଙ୍କ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା ଗତ ଦୁଇ ମାସ ହେଲା ଅଟକି ରହିଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁଲୋକ ।
ଦୁର୍ନୀତି ଅଭିଯୋଗରେ ଜଣେ ପରେ ଜଣେ ଅଧିକାରୀ ଭିଜିଲାନ୍ସ ହାବୁଡରେ ପଡି ଜେଲ ଯାଉଛନ୍ତି । କିନ୍ତୁ ଭ୍ରଷ୍ଟାଚାରୀ ଧରା ପଡ଼ିଥିବା ବେଳେ ଅନ୍ୟ ପଞ୍ଚାୟତଗୁଡ଼ିକର ସ୍ଥିତି ଯାଞ୍ଚ କରିବା ଜରୁରୀ ହୋପାଇ ପଡ଼ିଛି ।
କୈଳାସ ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now