ଚାଷୀ ମୃତ୍ୟୁକୁ ନେଇ ବିଧାନସଭାରେ ତମ୍ୱିତୋଫାନ

Spread the love

() ଚାଷୀଙ୍କ ଦୁର୍ଦ୍ଦଶାକୁ ନେଇ ଆଜି ବିଧାନସଭାରେ ଆଣିଥିବା ମୁଲତବୀ ଆଲୋଚନାରେ ଘମାସାନ ଆଲୋଚନା। ଧାନ ପଡ଼ିଛି ମଣ୍ଡିରେ, ଲୁହ ଝୁରୁଛି ଚାଷୀ ଆଖିରେ ସମ୍ପର୍କୀୟ ମୁଲତବୀ ପ୍ରସ୍ତାବକୁ ନେଇ ଚାଷୀ ସ୍ୱାର୍ଥରେ ସରକାରଙ୍କର କେତେ ଆନ୍ତରିକତା ଅଛି, ତାକୁ ନେଇ ଅଙ୍ଗୁଳି ଉଠାଇଥିଲେ ବିରୋଧୀ। ଆଉ ସରକାର କହିଛନ୍ତି, ଧାନ ସଂଗ୍ରହ ବ୍ୟବସ୍ଥାରେ ସ୍ୱଛତା, କ୍ରିୟାଶୀଳ ଓ ଚାଷୀ ଅନୁକୂଳ ଲାଗି ସବୁପ୍ରକାର ପଦକ୍ଷେପ ନେଉଛନ୍ତି ସରକାର।

ଫେବୃଆରୀ ୨୪। ଚାଷୀ ମୃତ୍ୟୁକୁ ନେଇ ବିଧାନସଭାରେ ତମ୍ୱିତୋଫାନ କରିଥିଲେ ବିରୋଧୀ ଦଳ। ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା। ବୌଦ ଜିଲ୍ଲାର ବାଉଁଶୁଣୀ ମଣ୍ଡିରେ ଚାଷୀ ଧରଣୀଧର ମେହେରଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ଜାନୁଆରୀ ୨୫ରେ ଟୋକନ ପାଇଥିଲେ ଧରଣୀଧର। ୫୬ କୁଇଣ୍ଟାଲ ଧାନ ବିକ୍ରି ଲାଗି ଟୋକନ ପାଇଥିଲା ବେଳେ ମଣ୍ଡିରେ ଦୀର୍ଘ ୨୩ ଦିନ ଧରି ଧାନ ପଡ଼ିରହିଲା। ଆଉ ଅକସ୍ମାତ୍ ମଣ୍ଡିରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା। କାହା ପାଇଁ ଧରଣୀଙ୍କର ଧାନ ଉଠିଲାନି। ଧରଣୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ତାକୁ ନେଇ ତୁମ୍ୱିତୋଫାନ ପରେ ଧରଣୀଙ୍କର ମୃତ୍ୟୁ ପରେ ଧାନ ଅବଶ୍ୟ ଉଠିଲା। ହେଲେ ଏହାକୁ ନେଇ ଆଜି ମୁଲତବୀ ପ୍ରସ୍ତାବ ଆକାରରେ ବିରୋଧୀ ପୁଣି ଥରେ ସରକାରଙ୍କୁ ଅଙ୍ଗୁଳି ଉଠାଇଛନ୍ତି। ଚାଷୀ ମୃତ୍ୟୁରେ ତେଲେଙ୍ଗାନା, ଆନ୍ଧ୍ର ଭଳି ରାଜ୍ୟ କ୍ଷତିପୂରଣ ଦେଉଛନ୍ତି। କିନ୍ତୁ ଓଡ଼ିଶା ସରକାର ଧରଣୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି କହି ଚାପିବାକୁ ଉଦ୍ୟମ କରିଛନ୍ତି। ଟୋକନ ସିଷ୍ଟମ୍ ହଟାଅ। ଯେଉଁ ଅଧିକାରୀ ଦାୟୀ, ସେମାନଙ୍କୁ ତାଗିଦ୍ କର। ଆକ୍ସନ ନିଅ। ଚାଷୀଙ୍କ ଆୟ କେମିତି ଦୁଇ ଗୁଣା ହେଲା ବୋଲି ହିସାବ ମାଗିଛନ୍ତି ବିରୋଧୀ। ୨୦୧୨-୧୩ରୁ ୨୦୧୮-୧୯ ଯାଏ ୬ ବର୍ଷ ଭିତରେ ମାସିକ ଆୟ ୪ହଜାର୯୭୬ରୁ ବଢ଼ି ୫ହଜାର ୧୧୨ ଟଙ୍କା ମାତ୍ର ହୋଇଛି। ଅଭାବୀ ବିକ୍ରି, କଟ୍‌ନି ଛଟ୍‌ନି, ମିଲର ମନମାନି ଚାଲିଛି। ତା ହେଲେ ଚାଷୀଙ୍କ ସମୃଦ୍ଧି ହେଲା କେମିତି ବୋଲି ପଚାରିଛନ୍ତି ଆଗତ ମୁଲତବୀ ପ୍ରସ୍ତାବରେ।

ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ପି-ପାସ୍, ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଧାନ କିଣା ଅର୍ଥ ପୈଠ, ଅନଲାଇନ ଟୋକନ ସିଷ୍ଟମ, ଚାଷୀଙ୍କ ପଞ୍ଜୀକୃତ ମୋବାଇଲକୁ ସମସ୍ତ ତଥ୍ୟ ଆଗୁଆ ପଠାଯାଉଛି। ସ୍ୱଛତାକୁ ବଜାୟ ରଖିବା ସହ ସ୍ୱେଛାଚାରିତାକୁ ପ୍ରତିହତ କରିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଆଧାର ଭିତ୍ତିକ ବାୟୋମେଟ୍ରିକ୍ ସିଷ୍ଟମ ଜରିଆରେ ଭୂତ ଚାଷୀଙ୍କୁ ଦୂରେଇ ରଖାଯାଇଛି। ଚାଷୀଙ୍କ ପ୍ରଦତ୍ତ ତଥ୍ୟକୁ ସାଟେଲାଇଟ୍ ଜରିଆରେ ନିରିକ୍ଷଣ କରାଯାଉଛି। ଉତ୍ପାଦିତ ଫସଲର ବାସ୍ତବତାକୁ ଜାଣିହେଉଛି। ଧାନ ସଂଗ୍ରହକୁ ସୁଗମ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଧାନ ସଂଗ୍ରହ କାମ ପାଇଁ ଆର୍ଥିକ ସଂକଟ ଲାଗି ଦାୟୀ କରିଛନ୍ତି କେନ୍ଦ୍ରକୁ। ଧାନ ସଂଗ୍ରହ ଯେତିକି ବଢ଼ୁଛି, ଯୋଗାଣ ନିଗମର ସମସ୍ୟା ସେତିକି ବଢ଼ୁଛି। କେନ୍ଦ୍ରଠୁ ଅଦ୍ୟାବଧି ଯୋଗାଣ ନିଗମ ୧୧ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅଗ୍ରୀମ ଓ ରିହାତି ବାବଦରେ ପାଇବାକୁ ଅଛି।

ଧାନ ସଂଗ୍ରହରେ ସ୍ୱଛତା ଆଣିବାକୁ ସରକାର ସବୁପ୍ରକାର ପଦକ୍ଷେପ ନେଉଥିବା କହୁଛନ୍ତି। କିନ୍ତୁ ଚାଷୀ ମଣ୍ଡିରେ ଖରା,ବର୍ଷା ଓ ଶୀତକାକରରେ ଧାନକୁ ଜଗି ବସୁଛି। ମିଲରଙ୍କ ମନମାନି ଆଗରେ ସବୁ ଗୌଣ ହୋଇଯାଉଛି ଯେମିତି।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *