ବିରିଆନି ପାର୍ଟ-୨ରେ ଧସ୍ତାଧସ୍ତି

Spread the love

() ଦୀପାବଳିରେ ପରାଗ ଓ ପୂର୍ଣ୍ଣିମାରେ ଗ୍ରହଣ ଲାଗିଲା। ସେଥିଲାଗି ଏ ସବୁ ପର୍ବରେ ପାକତ୍ୟାଗ, ଦେବନୀତି ନିଷେଧ ନେଇ ଅନେକ କଟକଣା ଥିଲା। କିନ୍ତୁ ଏଭଳି ପରମ୍ପରା ଓ ବିଶ୍ୱାସକୁ ଅନେକ ହେତୁବାଦୀ ଅନ୍ଧବିଶ୍ୱାସର ନାଁ ଦେଇ କେବଳ କଟାକ୍ଷ କରିନାହାନ୍ତି। ବରଂ କାଉଣ୍ଟର କରିବାକୁ ଯାଇ ବିରିଆନୀ ଭୋଜି କରି ବିଜ୍ଞାନସମ୍ମତ କାରଣ ଦର୍ଶାଇଛନ୍ତି। ଦୀପାବଳି ଭଳି ଆଜି ବି ଗ୍ରହଣରେ ବିରିଆନି ପାର୍ଟ-ଟୁ କୁ ନେଇ ବିବାଦ ଦେଖିବାକୁ ମିଳିଥିଲା ଅନେକ ସ୍ଥାନରେ। ବ୍ରହ୍ମପୁର ଓ ଭୁବନେଶ୍ୱରରେ ହେତୁବାଦୀଙ୍କୁ ଗୋବର ମାଡ଼, ପଥର ମାଡ଼ ଓ ଘଣ୍ଟା ପିଟି ପ୍ରତିବାଦ ହୋଇଛି। ପରସ୍ପରକୁ ଢେଲାପଥର ମାଡ଼ କରିଛନ୍ତି।

ପରାଗ ଓ ଗ୍ରହଣ ବେଳେ ହିନ୍ଦୁ ଧର୍ମରେ ପାକତ୍ୟାଗ, ଦେବନୀତି ନିଷେଧ ସହ ଅନେକ କଟକଣା ରହିଛି। ଦୀପାବଳିରେ ଏହାର ଅନୁପାଳନ ହୋଇଥିଲା। ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ବି ଏହାକୁ ମାନିଛନ୍ତି ସଭିଏଁ। କିନ୍ତୁ ନା ପରାଗରେ ମାନିଥିଲେ ନା ଗ୍ରହଣରେ ମାନିଲେ ହେତୁବାଦୀ। ପରାଗରେ ସାମୂହିକ ଭୋଜନ ସହ ଚିକେନ ବିରିଆନୀ କରି ଖାଇଥିଲେ। ଆଉ ଗ୍ରହଣରେ ବି ସମାନ କଥା କରିଛନ୍ତି। କାରଣ ହେତୁବାଦୀଙ୍କ ଦୃଷ୍ଟିରେ ଏ ସବୁ ଅନ୍ଧବିଶ୍ୱାସ। ଏଥିରେ କୌଣସି ବିଜ୍ଞାନସମ୍ମତର ଆଧାର ହିଁ ନାହିଁ। ସେଥିଲାଗି ତ ଆଗରୁ ସୋସିଆଲ ମିଡ଼ିଆରେ ବିରିଆନି ପାର୍ଟି ପାର୍ଟ -ଟୁ ର ଆୟୋଜନ କରିବାକୁ ପୋଷ୍ଟ କରିଥିବା ଫ୍ରି ଥଟ୍ ପାର୍ଟି ଅଫ ଇଣ୍ଡିଆ ଆଜି ଧର୍ମବିହାରରେ ସାମୂହିକ ଭୋଜନ କରିଛି। ସେପଟେ ଲୋହିଆ ଏକାଡେମୀରେ ବି ହେତୁବାଦୀ ଏକଜୁଟ୍ ହୋଇ ବିରିଆନୀ ପାର୍ଟିର ଆୟୋଜନ କରିଥିଲେ। ଆଉ ସେମାନଙ୍କୁ ବିରୋଧ କରିବାକୁ ମନ୍ଦିର ସେବାୟତ ସଂଘର ସଦସ୍ୟ ପହଞ୍ଚିଥିଲେ। ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପୁଲିସ ବି ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ହେତୁବାଦୀ ଓ ପରମ୍ପରା ସପକ୍ଷବାଦୀଙ୍କ ଭିତରେ ବେଶ୍ କିଛି ସମୟ ଧରି ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ପୁରା ପୁଲିସ ଛାଉଣୀରେ ଥିବା ଲୋହିଆ ଏକାଡେମୀ ସମ୍ମୁଖରେ ପିଟାପିଟି ହୋଇଥିଲେ ଉଭୟ ପକ୍ଷ। ଢେଲାପଥର ମାଡ଼ରେ ଲୋହିଆ ଏକାଡେମୀର କାଚ ଭାଙ୍ଗିଥିଲା।

ବ୍ରହ୍ମପୁରରେ ବ୍ରାହ୍ମଣ ପୁରୋହିତ ସମିତିର ଜୋରଦାର ବିରୋଧ ଦେଖିବାକୁ ମିଳିଥିଲା। ରାମଲିଙ୍ଗମ ମନ୍ଦିର ସମ୍ମୁଖରେ ହେତୁବାଦୀଙ୍କ ବିରିୟାନି ପାର୍ଟିକୁ ଜୋରଦାର ବିରୋଧ କରିଥିଲା ସମିତି ଓ ବଜରଙ୍ଗ ଦଳ। ବିଶ୍ୱାସକୁ ନେଇ ଖେଳିବା ଅନୁଚିତ ବୋଲି ଚେତେଇ ଦେଇଥିଲେ ହେତୁବାଦୀଙ୍କୁ। ପୁଲିସ ଉପସ୍ଥିତିରେ ମୁହାଁମୁହିଁ ହୋଇଥିଲେ ହେତୁବାଦୀ ଓ କେତୁବାଦୀ। ବିରୋଧ ପ୍ରଦର୍ଶନକାରୀଙ୍କୁ ପୁଲିସ ଅଟକାଇବାକୁ ଉଦ୍ୟମ କରିଥିଲା। ପରିସ୍ଥିତି ଏମିତି ହେଲା ଯେ, ଶେଷରେ ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା। ହେତୁବାଦୀ ଓ କେତୁବାଦୀଙ୍କ ଭିତରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା।

ଲାଗୁଥିଲା ଯେମିତି ସାରା ଓଡ଼ିଶାରେ ହେତୁବାଦୀ ଓ କେତୁବାଦୀଙ୍କ ଭିତରେ ଲଢ଼େଇ ଚାଲିଛି। ଆଗରୁ ପରାଗରେ ଚିକେନ୍ ବିରିଆନି ଖାଇଥିବାରୁ ହେତୁବାଦୀ ପ୍ରତାପ ରଥଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଲାଗି ଲିଗାଲ ନୋଟିସ ପଠାଇଥିଲେ ଆଇନଜୀବି ସନ୍ଦିପନ ମିଶ୍ର। ୭ ଦିନର ମହଲତ ଦେଇଥିଲେ। ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର ସୂତାରଙ୍କ ବିରୁଦ୍ଧରେ ପୁରୀରେ ଦୁଇଟି ଏତଲା ହୋଇଥିଲା। ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବି ହେତୁବାଦୀ ଅଜ୍ଞାନତାର ବଶବର୍ତ୍ତୀ ହୋଇ ଏଭଳି କରୁଥିବା କହି ସମାଲୋଚନା କରିଥିଲେ। ସୋସିଆଲ ମିଡ଼ିଆରେ ବି ହେତୁବାଦୀ ଓ ପରମ୍ପରା ସପକ୍ଷବାଦୀଙ୍କ ଭିତରେ ଜାରି ଥିବା ବିବାଦ ଗ୍ରହଣରେ ଉଗ୍ର ରୂପ ନେଇଛି।

ଭୁବନେଶ୍ୱରରୁ ସିମ୍ପୁଲ ନାୟକ, ଜ୍ୟୋତିମଞ୍ଜରୀ ସାହୁ, ନବକିଶୋର ସାହୁଙ୍କ ସହ ବ୍ରହ୍ମପୁରରୁ ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *