ଓଡ଼ିଶା

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଶେଷ

ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି l ଏହି ସମୟରେ ଉଭୟ ପୁରୀ ଓ ଭୁବନେଶ୍ୱରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ l ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ।

ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ l ସ୍ୱାଗତ ପାଇଁ ଭୁବନେଶ୍ୱର ଓ ପୁରୀ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଛି l ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ଓଡିଶା ପୋଲିସ l ଗୁରୁବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ମହାମହିମ l ସେଠାରୁ ସିଧାସଳଖ ପୁରୀ ଗସ୍ତରେ ଯିବେ l ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବେ l ଏହା ପରେ ପୁରୀ ରାଜଭବନରେ ମହାପ୍ରସାଦ ସେବନ କରି ଅପରାହ୍ନରେ ଭୁବନେଶ୍ୱର ଆସିବେ। ଭୁବନେଶ୍ୱରରେ ପହଂଚିବା ପରେ ଏୟାରପୋର୍ଟରୁ ଆସିବା ବାଟରେ ବିଭିନ୍ନ ଛକରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି l ଏହାପରେ ରାଜଭଵନ ଆସି ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି l

ମହାମହିମଙ୍କ ଆଗମନକୁ ନେଇ ପ୍ରସ୍ତୁତ ହୋଇଛି କମିଶନରରେଟ ପୋଲିସ l ବ୍ଲୁ ବୁକ ପ୍ରୋଟୋକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି l ସବୁ ଥାନାକୁ ଆଲର୍ଟ କରାଯାଇଛି l ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ହାଇଆଲର୍ଟ ଜାରି କରାଯାଇଛି l ସୁରକ୍ଷା ପାଇଁ 34ପ୍ଲାଟୁନ ଫୋର୍ସ ମୁତୟନ ସହ 200 ଏଏସଆଇ ଏବଂ ଏସଆଇ , 62ଜଣ ଏସିପି,22ଜଣ ଏଡିସିପି ଓ 4ଜଣ ଡିସିପି ରାଙ୍କର ଅଫିସର ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ହୋଇଛନ୍ତି l ସେପଟେ ରାଷ୍ଟ୍ରପତି ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ l ସେଥିପାଇଁ ଫୁଲ ଡ୍ରେସ ରିହରସଲ କରାଯାଇଛି l

ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ତତ୍ପର ହୋଇଛି ପୁରୀ ପୋଲିସ l ଶ୍ରୀମନ୍ଦିର, ରାଜଭବନ ଓ ହେଲିପ୍ୟାଡ଼ ଆଜି ସମସ୍ତ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ କେନ୍ଦ୍ରାଞ୍ଚଳ ଆଇଜି l ମହା ମହିମ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବା ସହ ଆଜି କାରକେଡ ରିହରସଲ କରାଯାଇଛି l ସେପଟେ ଶ୍ରୀମନ୍ଦିର ଦର୍ଶନ ଓ ମହା ପ୍ରସାଦ ସେବନ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି l ମହାମହିମଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି l 24ପ୍ଲାଟୁନ ଫୋର୍ସ, 300 ହୋମଗାର୍ଡ, 110 ଏସଆଇ ଏବଂ ବରିଷ୍ଠ ଅଧିକାରୀ  ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି l

ମହାମହିମ ରାଷ୍ଟ୍ରପତି ଦ୍ୱିତୀୟ ଦିନରେ ଅର୍ଥାତ 11ତାରିଖ ଦିନ ଖଣ୍ଡଗିରି ତପୋବନ ହାଇସ୍କୁଲ, ଏହାପରେ ୟୁନିଟ 2 ଗାର୍ଲସ ହାଇସ୍କୁଲ ଓ ହଷ୍ଟେଲକୁ ଯିବେ l ଏହାପରେ ଜୟଦେବ ଭଵନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନର କାର୍ଯ୍ୟକ୍ରମ ରହିଛି…।

ପରୀରୁ ପିଣ୍ଟୁ ସାହୁ ଓ ଭୁବନେଶ୍ୱରରୁ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button