ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକ ଆଉ ନାହାନ୍ତି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଲାଗି ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହଧର୍ମିଣୀ ଜୟନ୍ତୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ସେ ଥିଲେ ଏକାଧାରରେ ଅଗ୍ନିବର୍ଷୀ ନେତ୍ରୀ, ସୁସାହିତ୍ୟିକା, ଅନୁବାଦିକା, ସମାଜସେବୀ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହଧର୍ମିଣୀ ଭାବେ କେବଳ ତାଙ୍କର ପରିଚୟ ସୀମିତ ନଥିଲା। ସେ ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, ଏଆଇସିସି ମହିଳା କଂଗ୍ରେସର ପ୍ରଥମ ଓଡ଼ିଆ ସଭାନେତ୍ରୀ ବି ଥିଲେ। ହେଲେ ଆଜି ସେ ଆଉ ନାହାନ୍ତି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଲାଗି ୯୦ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକି ଚାଲିଯାଇଛନ୍ତି ଜୟନ୍ତୀ ପଟ୍ଟନାୟକ। ତାଙ୍କ ବିୟୋଗରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିବା ସହ ଅନେକ ତୁଙ୍ଗ ନେତା ତାଙ୍କ ବାସଭବନକୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ଓଡ଼ିଶା ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି।
ତାଙ୍କର ମରଶରୀରକୁ କଂଗ୍ରେସ ଭବନ ନିଆଯାଇଛି। ସେଠାରେ ଅନେକ ଶୁଭେଛୁ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ଜୀବନର ମଧ୍ୟାହ୍ନରେ ରାଜନୀତିରେ ପ୍ରବେଶ କରିଥିଲେ ଜୟନ୍ତୀ। ଓଡ଼ିଶାରୁ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଜୟନ୍ତୀ। ଗଞ୍ଜାମରେ ଜନ୍ମିତ ଜୟନ୍ତୀଙ୍କ ସାସ୍କୃତିକ ଓ ରାଜନୈତିକ କର୍ମଭୂମି ଥିଲା କଟକ। ଓଡ଼ିଶା ସାହିତ୍ୟ ଜଗତ ସହ ନାରୀ ସଶକ୍ତିକରଣ ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ପୁରୀ ସ୍ୱର୍ଗଦ୍ୱାରରେ ଜୟନ୍ତୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପୁଅ ପୃଥ୍ୱୀବଲ୍ଲଭ ମୁଖାଗ୍ନି ଦେବେ। ପଞ୍ଚଭୂତରେ ବିଲୀନ ହୋଇଯିବେ ଓଡିଶାର ଏହି ବହ୍ନିକନ୍ୟା। ହେଲେ ତାଙ୍କର ଓଡ଼ିଶା ପ୍ରତି ଅବଦାନ ରହିବ ଚିରସ୍ମରଣୀୟ ହୋଇ ।
ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now