ଡଙ୍ଗରିଆ ପିଲାଙ୍କୁ ହକି ପାଇଁ ମିଳିଲା ପ୍ରୋତ୍ସାହନ

Spread the love

() ନିୟମଗିରି ବିରଳ ଜନଜାତି ଡଙ୍ଗରିଆ ପିଲାଙ୍କୁ ହକି ପାଇଁ ମିଳିଲା ପ୍ରୋତ୍ସାହନ। ହକି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ପରେ ହକି ଖେଳାଳିଙ୍କ ମନରେ ଖୁସିର ଲହରି  ଖେଳିଯାଇଛି। ରାୟଗଡା ବିଷମକଟକ ବ୍ଲକ ଖମ୍ବେସି ଗ୍ରାମର ବିରଳ ଜନଜାତି ଡଙ୍ଗରିଆ ପିଲାଙ୍କ ମଧ୍ୟରେ ହକିର କ୍ରେଜ ଦେଖାଦେଇଥିଲା। କାଠ ତିଆରି ହକି ଷ୍ଟିକ  ଦଳରେ ଏବେ ଦାମୀ ହକି ଷ୍ଟିକରେ ଖେଳିବେ ଜନଜାତି ପିଲା।

ରାୟଗଡା ବିଷମକଟକ ବ୍ଲକ ଖମ୍ବେସି ଗାଁର ବିରଳ ଜନଜାତି ଡଙ୍ଗରିଆ ପିଲାଙ୍କ ମଧ୍ୟରେ ଦେଖାଦେଇଥିଲା ହକି କ୍ରେଜ । ହେଲେ ସରକାରୀ ସ୍ତରରେ ପ୍ରତିଭା  ଚିହ୍ନଟ ଓ ପ୍ରଶିକ୍ଷଣ ପାଇଁ ପ୍ରୋତ୍ସାହନର ଆବଶ୍ୟକ ଥିଲା। ଚଳିତ ବର୍ଷ ପୁରୁଷ ହକି ବିଶ୍ଵକପ ପାଇଁ ସହରଠାରୁ ପଲ୍ଲୀ ପର୍ଯ୍ୟନ୍ତ ଉତ୍ସବର ମାହୋଲ ସୃଷ୍ଟି କରିଥିବା ବେଳେ, ସମସ୍ତଙ୍କ ମଧ୍ୟରେ ହକି କ୍ରେଜ ଦେଖିବାକୁ ମିଳିଥିଲା। ସେହିପରି ନିୟମଗିରି ପିଲାଙ୍କ ମଧ୍ୟରେ ଥିବା ହକି କ୍ରେଜକୁ ଦେଖି ସମସ୍ତ ସହାୟତା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି।

ନିୟମଗିରିର ଛୋଟ ଛୋଟ ପିଲାମାନେ ସେମାନଙ୍କ ପାଖରେ ଆଧୁନିକ କ୍ରୀଡା ଉପକରଣ ନ ଥାଇ ବି ହାତ ତିଆରି ହକି ଷ୍ଟିକରେ ହକି ଖେଳର ଅଭ୍ୟାସ କରୁଥିଲେ। ନିୟମଗିରି ଜନଜାତି ପିଲାମାନଙ୍କୁ  ହକି ଖେଳ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହନର ସହାୟତା ମିଳିବା ପରେ ଅତ୍ୟନ୍ତ ଖୁସି ଥିବା ସହ ଆଗାମୀଦିନରେ ଏହା ସେମାନଙ୍କ ଉନ୍ନତି ରେ ସହାୟକ ହେବ ବୋଲି ଡଙ୍ଗରିଆ ହକି ଖେଳାଳି କହିଛନ୍ତି।

ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ରାୟଗଡା ଜିଲ୍ଲାପାଳ  ନିୟମଗିରି କୁର୍ଲ୍ଲୀ ପାଞ୍ଚାୟତର ଖଜୁରୀ ଗାଁରେ ପହଞ୍ଚି ଦୁଇଟି ହକି ଟିମର ୨୨ ଜଣ ଡଙ୍ଗରିଆ ପିଲାଙ୍କୁ ୨୨ଟି ହକି ଷ୍ଟିକ ଓ ୨୨ଟି ବଲ  ପ୍ରଦାନ କରିଛନ୍ତି ।  ଆଗାମୀ ଦିନରେ ହକି ଖେଳାଳିଙ୍କ ପାଇଁ  ଖମ୍ବେସି ଗ୍ରାମରେ ଖେଳପଡିଆ ସାଙ୍ଗକୁ ନିୟମଗିରିର ପ୍ରତିଭା ହକି ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷଣ ପାଇଁ ବାହାରକୁ ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *