ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଗଠନ ଲାଗି ସଂଶୋଧିତ ଆଇନ ଆଣିବାକୁ ନିର୍ଦେଶ

Spread the love

ଭୁବନେଶ୍ବର: ଆପାର୍ଟମେଣ୍ଟ ଓନରସିପ୍ ଆଇନ ନ ଆସିବା ଯାଏ କୌଣସି ଫ୍ଲାଟର ପଞ୍ଜୀକରଣ ହୋଇପାରିବନି। ଅଦାଲତଙ୍କ ଏଭଳି ଅଙ୍କୁଶ ସତ୍ତ୍ୱେ ଏହାକୁ ଭୃକ୍ଷେପ କଲାନି ବିଡିଏ। ଗଲା ୨୨ ତାରିଖରେ ଏକ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନକୁ ପଞ୍ଜୀକରଣ କରିଦେଲା ବିଡିଏ। ଯାହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ବିଡିଏ ସଚିବ। ବିଡିଏ ଉପରେ ହାଇକୋର୍ଟ ବର୍ଷିବା ସହ ଏହି ପଞ୍ଜୀକରଣ ଉପରେ ରହିତାଦେଶ ଲଗାଇଛନ୍ତି। ଆଉ ବିଡିଏ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ହୋଇ ଜବାବ ରଖିବାକୁ ନିର୍ଦେଶ ଦେଇଛନ୍ତି।

ଆସନ୍ତା ୪ ସପ୍ତାହ ଭିତରେ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଗଠନ ଲାଗି ନୂଆ ସଂଶୋଧିତ ଆଇନ ଆଣିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଆପାର୍ଟମେଣ୍ଟ ଓନରସିପ୍ ଆଇନ ନ ଆସିବା ଯାଏ କୌଣସି ଫ୍ଲାଟର ପଞ୍ଜୀକରଣ କରାଯାଇପାରିବନି ବୋଲି ହାଇକୋର୍ଟ କଟକଣା ବି ଜାରି କରିଥିଲେ। ହେଲେ ଅଦାଲତଙ୍କ ଅଙ୍କୁଶ ସତ୍ତ୍ୱେ ଏହାକୁ ଉଲ୍ଲଂଘନ କରିଛି ବିଡିଏ।

ଗଲା ୨୨ରେ ଜେଡ୍ ଓ୍ୱାନ୍ ଇଷ୍ଟେଟ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନକୁ ପଞ୍ଜୀକରଣ କରିଛନ୍ତି ବିଡିଏ ସଚିବ। ଆଇନଜୀବୀ ମୋହିତ ଅଗ୍ରଓ୍ୱାଲ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ ପରେ ଏହାକୁ ନେଇ ବିଡିଏ ଉପରେ ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି ଅଦାଲତ। ଅଦାଲତଙ୍କ ଅନ୍ତରୀଣ ରହିତାଦେଶ ସତ୍ତ୍ୱେ ବିଡିଏ କେମିତି ଏହାକୁ ପଞ୍ଜୀକରଣ କଲା। ଏ ସଂକ୍ରାନ୍ତରେ  ବ୍ୟକ୍ତିଗତ ହାଜିରା ହୋଇ ଜବାବ ରଖିବାକୁ ବିଡିଏ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ଅଦାଲତ। ଏହା ସହ ଏଭଳି ପଞ୍ଜୀକରଣ ସାର୍ଟିଫିକେଟ୍ ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ। ସେପଟେ ବିଡିଏ ସଚିବ କହିଛନ୍ତି, କୋର୍ଟରେ ହାଜିରା ହୋଇ ସେ ଏହା ଉପରେ ଉତ୍ତର ରଖିବେ। ପଞ୍ଜୀକରଣ ନେଇ ଏଭଳି କୌଣସି ଅଦାଲତି ଅଙ୍କୁଶ ବାବଦରେ ସେ ଜାଣିନାହାନ୍ତି।

ମେ ୧୨  ଓ ଜୁନ୍ ୨୨, ୨୦୨୨ରେ କୌଣସି ପଞ୍ଜୀକରଣ ହୋଇପାରିବନି ବୋଲି ଦୁଇ ଦୁଇଟି କୋର୍ଟ ଅର୍ଡର ସତ୍ତ୍ୱେ ବିଡିଏ ଏହାକୁ ମାନିଲାନି। ଏଭଳି ଆଉ କୌଣସି ପଞ୍ଜୀକରଣ ସାର୍ଟଫିକେଟ ଯେମିତି ଇସ୍ୟୁ ନ ହୁଏ, ସେ ନେଇ ବିଡିଏକୁ ତାଗିଦ୍ କରିଛନ୍ତି ଅଦାଲତ। କଳାରାହାଙ୍ଗରେ ଥିବା ଜେଡ୍ ଓ୍ୱାନ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନକୁ ବି ଏ ସଂକ୍ରାନ୍ତରେ ନୋଟିସ ଜାରି ହୋଇଛି। ମୂଳ ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ କହିବା କଥା, ବିଲଡରମାନେ ଆପାର୍ଟମେଣ୍ଟ କରି ଲୋକଙ୍କୁ ବିକୁଛନ୍ତି। ଘରଗୁଡିକ ବିକ୍ରି ହେଉଥିଲେ ବି ଏହାର ଚାରିପାଖରେ ଥିବା କମନ ଏରିଆରେ ମାଲିକାନା ବିଲଡରଙ୍କ ହାତରେ ରହୁଛି। ମାଲିକାନା ନଥିବାରୁ ଆପାର୍ଟମେଣ୍ଟରେ ରହୁଥିବା ଘରମାଲିକ ସେସବୁ ସ୍ଥାନକୁ ବିନିଯୋଗ କରିପାରୁନାହାନ୍ତି। ଆପାର୍ଟମେଣ୍ଟ ଆସୋସିଏସନ ନଥିବାରୁ ସେ ସବୁ ଜମି ଆପାର୍ଟମେଣ୍ଟ ମାଲିକାନାକୁ ବି ଆସିପାରୁନି।

ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଆଇନସମ୍ମତ ଆସୋସିଏସନ ଗଠନ ହୋଇପାରୁନି। ଏ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣୀ ଜାରି ରହିଛି ହାଇକୋର୍ଟରେ। ମେ ୧୨ରୁ ଆଇଜିଆରଙ୍କ ନିର୍ଦେଶକ୍ରମେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବି ବନ୍ଦ ରହିଛି। ନୂଆ ସଂଶୋଧିତ ଆଇନ ଆସିବା ଯାଏ ଅପେକ୍ଷା ରହିଛି।

ଦିପ୍ତୀରଞ୍ଜନ ଶତପଥୀଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *