HIGH COURT

  • ହାଇକୋର୍ଟରେ ହାତୀ

    କଟକ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି ହୋଇଛି। ଗତ ଜାନୁଆରୀ 18 ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଦୁଇ ମାସରୁ କମ ସମୟ ମଧ୍ୟରେ ରାଜ୍ୟରେ ମୋଟ 14 ଟି ହାତୀଙ୍କ ମୃତ୍ୟୁ ଘଟିଥିବା କୋର୍ଟଙ୍କୁ ଅବଗତ କଲେ ଜଏଣ୍ଟ ଟାସ୍କ ଫୋର୍ସ।  ମୃତ୍ୟୁ ବରଣ କରିଥିବା 14 ଟି ହାତୀଙ୍କ ମଧ୍ୟରୁ 2 ଟି ହାତୀ ଶିକାରୀଙ୍କ ଦ୍ୱାରା ମରି ଥିବା ବେଳେ 4 ଟି ବିଦ୍ୟୁତ ଆଘାତରେ ଓ 3 ଟିଙ୍କର ମୃତ୍ୟୁ ରୋଗଗସ୍ତ ଜନିତ ବୋଲି ଅବଗତ କଲେ ଜେଟିଏଫ।

    ସେହିପରି ସେହି ସମୟ ମଧ୍ୟରେ ହାତୀ ମୃତ୍ୟୁ ନେଇ ମୋଟ 6 ଟି ମାମଲା ରୁଜୁ ହୋଇ ଥିବା ମଧ୍ୟରେ କୋର୍ଟଙ୍କୁ ଅବଗତ କରାଯାଇଛି। ବନ କର୍ମଚାରୀ ତୁରାମ ପୂର୍ତ୍ତି ମୃତ୍ୟୁ ମାମଲାରେ  IPC ର ଧାରା 306 ଆଧାରରେ ମାମଲା ରୁଜୁ ପାଇଁ କୋର୍ଟ ନିର୍ଦେଶ ଦେବା ସହ ଏହି ପ୍ରସଙ୍ଗରେ ଯଶିପୁର ଥାନାଧିକାରୀଙ୍କୁ ପରବର୍ତୀ ଶୁଣାଣିରେ ହଜାର ହେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା 28 ଏପ୍ରିଲକୁ ଧାର୍ଯ୍ୟ।  ପରବର୍ତୀ ଶୁଣାଣି ସମୟରେ ହାତୀ ଆକ୍ରମଣରେ କେତେ ଲୋକ ମୃତାହତ ଓ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ବାବଦରେ ଏକ ସତ୍ୟପାଠ ଦାଖଲ କରିବା ପାଇଁ ମଧ୍ୟ ଜେଟିଏଫକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

  • ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି

    କଟକ: ଓଆରଏଚଡିସି ମାମଲାରେ ଦୋଷୀ ସାବ୍ୟସ୍ତ ବିଧାୟକ ମହମ୍ମଦ ମୋକାମଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଫଳରେ ମୋକିମଙ୍କ ବିଧାୟକ ପଦ ଯିବା ନେଇ ଥିବା ଆଶଙ୍କା ଦୂର ହୋଇଛି। ଗତ 13 ତାରିଖରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା। ଓଆରଏଚଡିସି ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କ ସମେତ ଚାରି ଜଣଙ୍କୁ ଅର୍ଥ ଦଣ୍ଡାଦେଶ ସହିତ 3 ବର୍ଷ କରି କାରାଦଣ୍ଡାଦେଶ ଶୁଣାଇଥିଲେ। ଏହା ବିରୁଦ୍ଧରେ ମୋକିମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଙ୍କ ନିର୍ଦେଶ ପରେ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ ଆଶ୍ବସ୍ତି ମିଳିଛି। ତେବେ ଫେବୃଆରୀ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣୀ।

  • ମୋକିମଙ୍କ ଜାମିନ ମଞ୍ଜୁର

    କଟକ: ଭିଜିଲାନ୍ସ କୋର୍ଟ ଦ୍ୱାରା ମହମ୍ମଦ ମୋକିମ୍ ଦଣ୍ଡାଦେଶ ମାମଲା। ମହମ୍ମଦ ମୋକିଂମଙ୍କ ଆବେଦନକୁ ଗ୍ରହଣ କଲେ କୋର୍ଟ। ହାଇକୋର୍ଟରେ ହେଲା ମାମଲାର ଶୁଣାଣି। ନିମ୍ନ ଅଦାଲତର ରେକର୍ଡ ତଲବ କଲେ ହାଇକୋର୍ଟ। ମୋକିମଙ୍କ ଅପିଲ ଉପରେ ହାଇକୋର୍ଟ ୧ ଲକ୍ଷ ଟଙ୍କା ସହ ଦୁଇ ଜଣ ଜାମିନଦାରଙ୍କ ବଦଳରେ  ଜାମିନ ପ୍ରଦାନ କଲେ। ନିମ୍ନ ଅଦାଲତର ଜରିମାନା ଦଣ୍ଡାଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମୋକିମଙ୍କ ଦଣ୍ଡାଦେଶ ଉପରେ ଭିଜିଲାନ୍ସ କୋର୍ଟରେ ଲିଖିତ ଆପତ୍ତି ଦାଖଲ କରିଛି। ଆସନ୍ତା ୧୩ ତାରିଖରେ ମାମଲାର ପରଵର୍ତ୍ତି ଶୁଣାଣି।  ଓ ଆର ଏଚ ଡି ସି ମାମଲାରେ ମୋକିମଙ୍କୁ ୩ଵର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ।

  • ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଗଠନ ଲାଗି ସଂଶୋଧିତ ଆଇନ ଆଣିବାକୁ ନିର୍ଦେଶ

    ଭୁବନେଶ୍ବର: ଆପାର୍ଟମେଣ୍ଟ ଓନରସିପ୍ ଆଇନ ନ ଆସିବା ଯାଏ କୌଣସି ଫ୍ଲାଟର ପଞ୍ଜୀକରଣ ହୋଇପାରିବନି। ଅଦାଲତଙ୍କ ଏଭଳି ଅଙ୍କୁଶ ସତ୍ତ୍ୱେ ଏହାକୁ ଭୃକ୍ଷେପ କଲାନି ବିଡିଏ। ଗଲା ୨୨ ତାରିଖରେ ଏକ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନକୁ ପଞ୍ଜୀକରଣ କରିଦେଲା ବିଡିଏ। ଯାହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ବିଡିଏ ସଚିବ। ବିଡିଏ ଉପରେ ହାଇକୋର୍ଟ ବର୍ଷିବା ସହ ଏହି ପଞ୍ଜୀକରଣ ଉପରେ ରହିତାଦେଶ ଲଗାଇଛନ୍ତି। ଆଉ ବିଡିଏ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ହୋଇ ଜବାବ ରଖିବାକୁ ନିର୍ଦେଶ ଦେଇଛନ୍ତି।

    ଆସନ୍ତା ୪ ସପ୍ତାହ ଭିତରେ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଗଠନ ଲାଗି ନୂଆ ସଂଶୋଧିତ ଆଇନ ଆଣିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଆପାର୍ଟମେଣ୍ଟ ଓନରସିପ୍ ଆଇନ ନ ଆସିବା ଯାଏ କୌଣସି ଫ୍ଲାଟର ପଞ୍ଜୀକରଣ କରାଯାଇପାରିବନି ବୋଲି ହାଇକୋର୍ଟ କଟକଣା ବି ଜାରି କରିଥିଲେ। ହେଲେ ଅଦାଲତଙ୍କ ଅଙ୍କୁଶ ସତ୍ତ୍ୱେ ଏହାକୁ ଉଲ୍ଲଂଘନ କରିଛି ବିଡିଏ।

    ଗଲା ୨୨ରେ ଜେଡ୍ ଓ୍ୱାନ୍ ଇଷ୍ଟେଟ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନକୁ ପଞ୍ଜୀକରଣ କରିଛନ୍ତି ବିଡିଏ ସଚିବ। ଆଇନଜୀବୀ ମୋହିତ ଅଗ୍ରଓ୍ୱାଲ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ ପରେ ଏହାକୁ ନେଇ ବିଡିଏ ଉପରେ ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି ଅଦାଲତ। ଅଦାଲତଙ୍କ ଅନ୍ତରୀଣ ରହିତାଦେଶ ସତ୍ତ୍ୱେ ବିଡିଏ କେମିତି ଏହାକୁ ପଞ୍ଜୀକରଣ କଲା। ଏ ସଂକ୍ରାନ୍ତରେ  ବ୍ୟକ୍ତିଗତ ହାଜିରା ହୋଇ ଜବାବ ରଖିବାକୁ ବିଡିଏ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ଅଦାଲତ। ଏହା ସହ ଏଭଳି ପଞ୍ଜୀକରଣ ସାର୍ଟିଫିକେଟ୍ ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ। ସେପଟେ ବିଡିଏ ସଚିବ କହିଛନ୍ତି, କୋର୍ଟରେ ହାଜିରା ହୋଇ ସେ ଏହା ଉପରେ ଉତ୍ତର ରଖିବେ। ପଞ୍ଜୀକରଣ ନେଇ ଏଭଳି କୌଣସି ଅଦାଲତି ଅଙ୍କୁଶ ବାବଦରେ ସେ ଜାଣିନାହାନ୍ତି।

    ମେ ୧୨  ଓ ଜୁନ୍ ୨୨, ୨୦୨୨ରେ କୌଣସି ପଞ୍ଜୀକରଣ ହୋଇପାରିବନି ବୋଲି ଦୁଇ ଦୁଇଟି କୋର୍ଟ ଅର୍ଡର ସତ୍ତ୍ୱେ ବିଡିଏ ଏହାକୁ ମାନିଲାନି। ଏଭଳି ଆଉ କୌଣସି ପଞ୍ଜୀକରଣ ସାର୍ଟଫିକେଟ ଯେମିତି ଇସ୍ୟୁ ନ ହୁଏ, ସେ ନେଇ ବିଡିଏକୁ ତାଗିଦ୍ କରିଛନ୍ତି ଅଦାଲତ। କଳାରାହାଙ୍ଗରେ ଥିବା ଜେଡ୍ ଓ୍ୱାନ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନକୁ ବି ଏ ସଂକ୍ରାନ୍ତରେ ନୋଟିସ ଜାରି ହୋଇଛି। ମୂଳ ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ କହିବା କଥା, ବିଲଡରମାନେ ଆପାର୍ଟମେଣ୍ଟ କରି ଲୋକଙ୍କୁ ବିକୁଛନ୍ତି। ଘରଗୁଡିକ ବିକ୍ରି ହେଉଥିଲେ ବି ଏହାର ଚାରିପାଖରେ ଥିବା କମନ ଏରିଆରେ ମାଲିକାନା ବିଲଡରଙ୍କ ହାତରେ ରହୁଛି। ମାଲିକାନା ନଥିବାରୁ ଆପାର୍ଟମେଣ୍ଟରେ ରହୁଥିବା ଘରମାଲିକ ସେସବୁ ସ୍ଥାନକୁ ବିନିଯୋଗ କରିପାରୁନାହାନ୍ତି। ଆପାର୍ଟମେଣ୍ଟ ଆସୋସିଏସନ ନଥିବାରୁ ସେ ସବୁ ଜମି ଆପାର୍ଟମେଣ୍ଟ ମାଲିକାନାକୁ ବି ଆସିପାରୁନି।

    ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଆଇନସମ୍ମତ ଆସୋସିଏସନ ଗଠନ ହୋଇପାରୁନି। ଏ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣୀ ଜାରି ରହିଛି ହାଇକୋର୍ଟରେ। ମେ ୧୨ରୁ ଆଇଜିଆରଙ୍କ ନିର୍ଦେଶକ୍ରମେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବି ବନ୍ଦ ରହିଛି। ନୂଆ ସଂଶୋଧିତ ଆଇନ ଆସିବା ଯାଏ ଅପେକ୍ଷା ରହିଛି।

    ଦିପ୍ତୀରଞ୍ଜନ ଶତପଥୀଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ବମ୍ୱେ ହାଇକୋର୍ଟଙ୍କ ନାଇଜେରିଆ ନାଗରିକଙ୍କୁ ଜାମିନ ପ୍ରଦାନ

    ମୁମ୍ୱାଇ: ବମ୍ୱେ ହାଇକୋର୍ଟ ଜଣେ ନାଇଜେରିଆ ନାଗରିକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅକ୍ଟୋବର ୨୦୨୦ରେ ଗିରଫ ହୋଇଥିବା ଏହି ବ୍ୟକ୍ତି ଲ୍ୟାବ ରିପୋର୍ଟରେ ଟାଇପୋଗ୍ରାଫିକ୍ ତ୍ରୁଟି ହେତୁ ସେ ଏକ ବର୍ଷରୁ ଅଧିକ ସମୟ ଧରି ବାର୍ ପଛରେ ରହିଥିଲେ। ବିନା କାରଣରେ ତାଙ୍କୁ କାରାଗାରର ଦଣ୍ଡ ଭୋଗି ପାଇଁ ପଡିଥିଲା। ଏକ ଫରେନ୍ସିକ ଲ୍ୟାବ ସହକାରୀ ନିର୍ଦ୍ଦେଶକ ନାର୍କୋଟିକ୍ ଡ୍ରଗ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମ ଅନୁଯାୟୀ, ତାଙ୍କ ନିକଟରୁ ଜବତ ହୋଇଥିବା ଧଳା ପାଉଡର ଏବଂ କିଛି ବଟିକାକୁ ଡ୍ରଗ୍ସ ଭାବି ଗିରଫ କରାଯାଇଥିଲା।
    ବୁଧବାର ଦିନ ବମ୍ୱେ ହାଇକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାସହ ବିନା କାରଣରେ ଦଣ୍ଡବିଧାନ କରାଯାଇଥିବା ହେତୁ ମହାରାଷ୍ଟ୍ର ଗୃହ ସଚିବ ତାଙ୍କୁ କ୍ଷତିପୂରଣ ଦେବାପାଇଁ କହିଛନ୍ତି। ଜଷ୍ଟିସ ଭାରତୀ ଡାଙ୍ଗ୍ରେ ଓକିଲଙ୍କୁ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ଅଗଷ୍ଟ ୧୨ ସୁଦ୍ଧା ଯଦି କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ କ୍ଷତିପୂରଣ ପରିମାଣ ଏହି କୋର୍ଟ ସ୍ଥିର କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଅକ୍ଟୋବର ୨୩, ୨୦୨୦ ରେ ମହାରାଷ୍ଟ୍ର ପୋଲିସର ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ଦ୍ୱାରା ଗିରଫ ହୋଇଥିଲେ ୨୭ ବର୍ଷୀୟ ନାଇଜେରିଆନ। ଏହି ଘଟଣାରେ କୋର୍ଟରେ ନାଇଜେରିଆଙ୍କ ଦ୍ୱାରା ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ହିଜାବ ମାମଲାରେ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ

    ଆସନ୍ତା ସପ୍ତାହରେ ହିଜାବ ବିବାଦର ହେବ ଶୁଣାଣି। କର୍ଣ୍ଣାଟକ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ମାମଲାର ଶୁଣାଣି ଆସନ୍ତା ସପ୍ତାହରେ କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବହୁଚର୍ଚ୍ଚିତ ହିଜାବ ମାମଲା । ହିଜାବ ନିଷିଦ୍ଧ ନେଇ କର୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର ପିଟସନ ଶୁଣାଣି ଲାଗି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ମାମଲା ର ଶୁଣାଣୀ ସର୍ବୋଚ୍ଚ ଅଦାଲତରେ ହେବ। ଗତ ମାର୍ଚ୍ଚ ୧୫ ରେ କର୍ଣାଟକ ହୋଇକୋର୍ଟ ଦର୍ଶାଇଥିଲେ ଇସଲାମ ଧର୍ମରେ ହିଜାବ ଅନିବାର୍ଯ୍ୟ୍ ନୁହେଁ ।

    ପ୍ରଧାନ ବିଚାରପତି ଏନଭି ରମଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ ଲାଗି ସହମତି ପ୍ରକାଶ କରିଛନ୍ତି lବୁଧବାର ଦିନ ବିଚାରପତି ଏନଭି ରମନା ଏବଂ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଓକିଲ ଦେଇଥିବା ଦସ୍ତାବିଜ ଉପରେ କହିଛନ୍ତି। ତେବେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ପାଠପଢା ନଷ୍ଟ ହେଉଥିବା ଦର୍ଶାଇ ତୁରନ୍ତ ବିଚାର କରିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ। ମାମଲାର ଯାଚିକା ଗତ ମାର୍ଚ୍ଚ ୧୫ରେ ଦାଖଲ ହୋଇଥିଲା ବେଳେ କିନ୍ତୁ ବହୁ ସମୟ ବିତି ଯାଇଥିଲେ ମଧ୍ୟ ଶୁଣାଣି ହୋଇନାହିଁ। ଏନେଇ ଆସନ୍ତା ସପ୍ତାହରେ ଶୁଣାଣି କରିବା ପାଇଁ ଅନୁରୋଧ କରାଯାଇଛି।

    • ସ୍ମରଜିତ୍ ଆର୍ଯ୍ୟ ଏବଂ ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ଫିକ୍ସନ ମାମଲାର ଶୁଣାଣି ପାଇଁ କୋର୍ଟ ହୋଇନି

    ଚଣ୍ଡିଗଡ:  ଡେରା ସଚ୍ଚା ମୁଖ୍ୟ  ଗୁରମିତ ରାମ ରହିମକୁ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ମାମଲା ଦାୟର। ଜଣେ ବ୍ୟକ୍ତି କିପରି ଦୁଇଟି ସ୍ଥାନରେ ଉପସ୍ଥିତ ହୋଇପାରେ ଏହାକୁ ନେଇ ଚଣ୍ଡିଗଡ ହାଇକୋର୍ଟରେ ସୋମବାର ଅଦାଲତରେ ଶୁଣାଣି ହୋଇଛି। ଜେଲରୁ ମୁକ୍ତ ହେବା ପରେ ଗୁରମିତ ଏକ ଭିଡିଓ ଜାରି କରିଥିବା ବେଳେ କିନ୍ତୁ ଭିଡିଓରେ ଦେଖିବାକୁ ମିଳିଥିବା ଗୁରମିତ ନକଲି ବୋଲି କୁହାଯାଇଛି। ଯାଚିକାରେ କୁହାଯାଇଛି ଅସଲି ଗୁରମିତଙ୍କୁ ଅପହରଣ କରି ନିଆଯାଇଛି।

    ସୋମବାର ମାମଲାର ଶୁଣାଣି କରି ବିଚାରପତି ଭର୍ତ୍ସନା କରିଛନ୍ତି ଓକିଲଙ୍କୁ। ଓକିଲ ବହୁ ସାଇଣ୍ଟିପିକ୍ ଫିକ୍ସନର ଫିଲ୍ମ ଦେଖୁଥିବା କୁହାଯାଇଛି।  ତେଣୁ କେସ ଫେରାଇ ନିଅ ନୋହିଲେ ଖାରଜ ହେବ ବୋଲି ବିଚାରପତି ତାଗିଦ କରିଛନ୍ତି। ବିଚାରପତି ଆହୁରି କହିଛନ୍ତି, ରାମରହିମ ୨୧ ଦିନ ପାଇଁ ପାରୋଲରେ ଜୁନ ୧୭ରୁ ଜେଲରୁ ବାହାରକୁ ଯାଇଛନ୍ତି। ତେବେ କିପରି ତାଙ୍କୁ ଅପହରଣ କରାଯାଇଛି ବୋଲି ପଚାରିଛନ୍ତି କୋର୍ଟ। ଏପରି ମାମଲାର ଶୁଣାଣି ପାଇଁ କୋର୍ଟ ହୋଇନାହନ୍ତି ବୋଲି କହିଛନ୍ତି।  ଏହି ମାମଲାରେ ସରକାର ପକ୍ଷରୁ କୁହାଯାଇଛି କି, ରାମରହିମଙ୍କୁ କଡା ସୁରକ୍ଷା ପ୍ରଦାନ କରାଯାଇଛି। ତେଣୁ ତାଙ୍କୁ ଅପହରଣ କରିବା ଅସମ୍ଭବ।

  • ହତ୍ୟା ଅଭିଯୋଗ: ଟ୍ରାଏଲ କୋର୍ଟଙ୍କ ଦଣ୍ଡବିଧାନ ରଦ୍ଦ କଲେ ହାଇକୋର୍ଟ

    ଅପରାଧିକ ପ୍ରକ୍ରିୟା ସଂହିତା ବା ସିଆରପିସି ୧୯୭୩ର ଧାରା ୩୧୩ ଅନୁଯାୟୀ ଟ୍ରାଏଲ କୋର୍ଟ ଦ୍ବାରା ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତର ଦୋଷସିଦ୍ଧି ଓ ଦଣ୍ଡବିଧାନକୁ ରଦ୍ଦ କରିଦେଇଛନ୍ତି ମେଘାଳୟ ହାଇକୋର୍ଟ। ଟ୍ରାଏଲ କୋର୍ଟ ନିଜ କର୍ତ୍ତବ୍ୟ ପାଳନ ସଠିକ ରୂପେ କରି ନ ଥିବା ଦର୍ଶାଇ ଧାରା ୩୧୩ ଅନ୍ତର୍ଗତ ଏପରି କହିଛନ୍ତି ସୁପ୍ରିମକୋର୍ଟ। ମାମଲାରେ ହାଇକୋର୍ଟ ନିଜ ରାୟରେ କହିଛନ୍ତି, ଟ୍ରାଏଲ କୋର୍ଟଙ୍କୁ ଅଭିଯୁକ୍ତମାନଙ୍କର ବିଶିଷ୍ଟ ଧ୍ୟାନ ସେହି ସବୁ ସାମଗ୍ରୀ ଆଡକୁ ଆକର୍ଷିତ କରିବାର ଆବଶ୍ୟକତା ରହିଛି, ଯାହା ଉପରେ ଦୋଷସିଦ୍ଧି କରିବା ବେଳେ ବିଶେଷ ବିଚାର କରିବାର ସମ୍ଭାବନା ରହିଛି।

    ଧାରା ୩୧୩ ପର୍ଯ୍ୟାୟରେ ପୁନଃ ପରୀକ୍ଷଣର ଆଦେଶ ପାରିତ କରି, ମୁଖ୍ୟ ବିଚାରପତି ସଂଜୀବ ବାନାର୍ଜୀ ଓ ଜଷ୍ଟିସ ଡବ୍ଲୁ ଡିଏଙ୍ଗଦୋହଙ୍କ ଖଣ୍ଡପୀଠ କହିଛନ୍ତି କି, ସାମ୍ପ୍ରତିକ ମାମଲାରେ ରେକର୍ଡ ଦର୍ଶାଉଛି କି, ଟ୍ରାଏଲ କୋର୍ଟ ଉଚିତ ଭାବେ ଟ୍ରାଏଲ କରି ନାହାନ୍ତି। ୨୦୧୭ରେ ଧାରା ୩୦୨ ଅନ୍ତର୍ଗତ ଜଣେ ଦୋଷୀଙ୍କ ବିରୋଧରେ ହୋଇଥିବା ଦଣ୍ଡବିଧାନ ବିରୋଧରେ ହାଇକୋର୍ଟରେ ଏକ ଚାଲେଞ୍ଜ କରାଯାଇଥିଲା। ଆବେଦନକାରୀ କହିଥିଲେ କି, ଧାରା ୩୧୩ ସିଆରପିସି ସ୍ତରରେ ଟ୍ରାଏଲ କୋର୍ଟ ଦ୍ବାରା ମାମଲାକୁ ଯେଉଁଭଳି ସଂଚାଳିତ କରିଥିଲା, ହାଇକୋର୍ଟକୁ ସେହି ମାମଲାରେ ସେହିସବୁ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

    ଆବେଦନକାରୀ ଆହୁରି କୋର୍ଟଙ୍କୁ ଜଣାଇଥିଲେ କି, ପ୍ରମାଣ ଉପସ୍ଥାପନ କରିବାକୁ ତାଙ୍କୁ ଉଚିତ ସମୟ ଦିଆଯାଇ ନ ଥିଲା, ଯାହା ସ୍ପଷ୍ଟ ଭାବେ ତାହା ବିରୋଧରେ ରହିଛି। ଏହାକୁ ନେଇ ହାଇକୋର୍ଟ କହିଛନ୍ତି କି, ପ୍ରତି କୋର୍ଟଙ୍କୁ ଧାରା ୩୧୩ ଅନ୍ତର୍ଗତ ଅଭିଯୁକ୍ତଙ୍କୁ ଟ୍ରାଏଲ କାଳରେ କୌଣସି ଶପଥ ପାଠ କରାଯାଇ ପାରିବ ନାହିଁ।

    • ଶିଳାସ୍ମିତା ରାୟ ଙ୍କ ରିପୋର୍ଟ
  • କାହିଁକି ଓକିଲଙ୍କୁ ବଦଳାଇବାକୁ ଚାହୁଁଛନ୍ତି ପରିବାର ?

    ପ୍ରୋସିକ୍ୟୁଟରକୁ ବଦଳାଅ। କାରଣ ଯେମିତି ବାଗରେ ମାମଲା ପରିଚାଳନା କରୁଛନ୍ତି, ତାହା ସମ୍ପୂର୍ଣ୍ଣ ସନ୍ଦେହଜନକ। ଭିଡ଼ ହିଂସାରେ ମୃତ୍ୟୁବରଣ କରିଥିବା ଆଦିବାସୀ ଯୁବକ ମଧୁର ପରିବାର ଲୋକେ ଏଭଳି ଅପିଲ୍ କରି କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ପୁରା ମାମଲା କଅଣ ଥିଲା। କାହିଁକି ସରକାରୀ ଓକିଲଙ୍କୁ ବଦଳାଇବାକୁ ଚାହୁଁଛନ୍ତି ପରିବାର। ଫେବୃଆରୀ ୨୦୧୮। ଗୋଟିଏ ଗ୍ରୋସୋରୀ ଦୋକାନରୁ ଚାଉଳ ଚୋରୀ ଅଭିଯୋଗରେ ଜଣେ ୨୬ ବର୍ଷୀୟ ଆଦିବାସୀ ଯୁବକ ଭିଡ଼ ହିଂସାର ଶୀକାର ହୋଇଥିଲା। ଲୋକେ ଆଦିବାସୀ ଯୁବକ ମଧୁକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆଉ ସଂଘବଦ୍ଧ ଆକ୍ରମଣରେ ମଧୁର ମୃତ୍ୟୁ ହୋଇଯାଇଥିଲା। କେରଳର କାଡୁକୁମନ ହାମଲେଟ ଅନ୍ତର୍ଗତ ଆତାପଡ଼ି ଗାଁରେ ଏହି ଅଘଟଣ ଘଟିଥିଲା। ଏହା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରିଥିଲା।

    କିନ୍ତୁ ମଧୁଙ୍କ ପରିବାର ପକ୍ଷରୁ ଲଢୁଥିବା ସରକାରୀ ଓକିଲଙ୍କ ମାମଲା ପରିଚାଳନାକୁ ନେଇ ସନ୍ଦେହ କରିଥିଲେ ପରିବାରବର୍ଗ। ମଧୁଙ୍କ ମାଆ କେରଳ ହାଇକୋର୍ଟରେ ଅପିଲ କରିଛନ୍ତି କି, ଯେ ପର୍ଯ୍ୟନ୍ତ ସ୍ପେଶିଆଲ ପବ୍ଲିକ୍ ପ୍ରସିକ୍ୟୁଟର ସି.ରାଜେନ୍ଦ୍ରନଙ୍କୁ ମାମଲାରୁ ହଟାଯାଇନି। ସେ ପର୍ଯ୍ୟନ୍ତ ଏହି ମାମଲାରେ ସମସ୍ତ ପ୍ରୋସିଡିଂକୁ ସ୍ଥଗିତ ରଖାଯାଉ। କାରଣ ଏହି ମାମଲାର ଟ୍ରାଏଲ୍ ମାନରକଡ଼ ସ୍ପେଶିଆଲ କୋର୍ଟରେ ଚାଲିଛି। ଅନୁସୂଚିତ ଜାତି ଓ ଜନଜାତି ପାଇଁ ଯେଉଁ ସ୍ପେଶିଆଲ କୋର୍ଟ ହୋଇଛି। ତେବେ ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟରଙ୍କ ମାମଲା ପରିଚାଳନାକୁ ନେଇ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ପରିବାର। କାରଣ ଟ୍ରାଏଲରେ ଦୁଇ ଜଣ ସାକ୍ଷୀ ସାକ୍ଷ୍ୟ ଦେବାକୁ ଅନାଗ୍ରହ ଦେଖି ତଥା ମାମଲାରେ କୌଣସି ସାକ୍ଷୀ ଦେବାକୁ ଚାହୁଁନାହାନ୍ତି ବୋଲି ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟର ଅବଗତ କରାଇଥିଲେ। ଯଦି ସାକ୍ଷ୍ୟପ୍ରମାଣ ଦୃଢ ନ ହେବ, ତେବେ ଅଭିଯୁକ୍ତ ଅନାୟାସରେ ଖସିଯିବେ।

    ସାକ୍ଷୀ ଯେଭଳି ସାକ୍ଷୀ ଦେବାକୁ ଆସିବେ, ସେ ଦିଗରେ କେବଳ ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟର ନୁହେଁ। ତାଙ୍କ ସହ ଅତିରିକ୍ତ ସ୍ପେଶିଆଲ ପ୍ରସିକ୍ୟୁଟର ଏମ୍‌. ମେନନ ବି ଏତେ ଗୁରୁତ୍ୱ ଦେଇନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ସେଥିଲାଗି ଉଭୟଙ୍କୁ ମାମଲା ପରିଚାଳନାରୁ ହଟାଇବାକୁ ସ୍ପେଶିଆଲ କୋର୍ଟରେ ଗୁହାରି କରିଥିଲେ ପରିବାର। କିନ୍ତୁ ଏହି ଅନୁରୋଧକୁ ଖାରଜ କରିଦେଇଥିଲେ ସ୍ପେଶିଆଲ କୋର୍ଟ। ଏହା ପରେ ପରିବାର କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପରିବାରର ଅଭିଯୋଗ ଥିଲା କି, ଏବେକାର ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟର ଯେଭଳି ବାଗରେ ଟ୍ରାଏଲ କରୁଛନ୍ତି, ତାହା ଦକ୍ଷତାର ସହ ତୁଲାଉନାହାନ୍ତି। ଏପରିକି ସାକ୍ଷୀଙ୍କୁ ପଚରାଉଚୁରା କରି ସତ ବାହାର କରିବା ଦିଗରେ କୌଣସି ଇଛା ପ୍ରକାଶ କରୁନଥିବା ହୃଦବୋଧ ହେଉଛି। କେବଳ ଏତିକି ନୁହେଁ।

    ତଦନ୍ତକାରୀ ଅଫିସର ବି ଜିଲ୍ଲା ଏସପିଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି କି, ଯେଭଳି ବାଗରେ ଟ୍ରାଏଲ ଚାଲିଛି, ତାହା ସନ୍ତୋଷଜନକ ନୁହେଁ। ପୁଲିସ୍‌ ୩ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିସାରିଛି। ଏହି ଘଟଣାରେ ୧୨୨ ଜଣ ସାକ୍ଷୀ ଅଛନ୍ତି। ସମସ୍ତ ୧୬ ଅଭିଯୁକ୍ତ ଏବେ ଜାମିନରେ ଅଛନ୍ତି। ଆଉ ମୃତକଙ୍କ ପରିବାରର ଅପିଲକ୍ରମେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାରି ଜୋସେଫ ଏହି ମାମଲାକୁ ନେଇ ଆଜିଯାଏ ସମସ୍ତ ପ୍ରୋସିଡିଂକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ୧୦ ଦିନ ଭିତରେ ରାଜ୍ୟ ସରକାରଙ୍କୁ ଏ ନେଇ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
Back to top button