ମାଘ ମାସରୁ ଖରାରେ ସନ୍ତୁଳି ହେଲେଣି ରାଜ୍ୟବାସୀ

() ଜାନୁଆରୀ ମାସରୁ ପ୍ରଚଣ୍ଡ ଖରାରେ ସନ୍ତୁଳି ହେବାରେ ଲାଗିଲେଣି ସାରା ଓଡ଼ିଶାବାସୀ । ଏବେ ଠୁ ପ୍ରଚଣ୍ଡ ରୌଦ୍ରତାପରେ ଘରୁ ବାହାରିବା ମୁସକିଲ ହେଲାଣି। ମାଘମାସରେ ଲୋକେ ଶୀତରେ ନୁହେଁ ବରଂ ଅସହ୍ୟ ଖରାରେ କଲବଲ ହେବା ଭଳି ସ୍ଥିତି ଉପୁଜିଲାଣି। ଦିନକୁ ଦିନ ଅସ୍ୱାଭାବିକ ଭାବେ ବଢିଚାଲିଛି ପାରଦ |
ମାଘ ମାସ ଜାଡରେ ନୁହେଁ ବରଂ ସୂର୍ଯ୍ୟଙ୍କ ଅସହ୍ୟ ଉତ୍ତାପରେ ଛଟପଟ ହେଉଛନ୍ତି ଲୋକେ । ଦିନ ୧୦ ଟା ପରେ ଘରୁ ବାହାରିବା ମୁସକିଲ ହେଲାଣି। ଶୀତଦିନେ ତାପମାତ୍ରା ସାଧାରଣତଃ ୨୦ ରୁ ୨୫ ଡିଗ୍ରୀ ରହୁଥିବାବେଳେ ଏବେ ବିଭିନ୍ନ ସ୍ଥାନରେ ୩୦ ଡିଗ୍ରୀ ଉପରକୁ ଉଠିଲାଣି ପାରଦ। ଗତକାଲି ବାଲେଶ୍ଵରରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଥିଲା ଯାହାକି ଗତକାଲିର ସର୍ବାଧିକ ତାପମାତ୍ରା ଥିଲା ଠିକ ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୩ ଡିଗ୍ରୀ ଛୁଇଁଥିଲା l ଅନ୍ୟପକ୍ଷେ ଚଳିତ ବର୍ଷର ତାପମାତ୍ରା ପୂର୍ବ ୨ ବର୍ଷ ଅପେକ୍ଷା ଅଧିକ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି l
ତେବେ ଆଗକୁ ଏହି ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଥିବା ବେଳେ, ଚଳିତ ବର୍ଷ କେଉଁ ସ୍ଥାନରେ ଓ କେତେ ମାତ୍ରାର ସର୍ବାଧିକ ତାପମାତ୍ରା ରେକର୍ଡ଼ ହେଉଛି ତାହା ଦେଖିବା ବାକି ରହିଲା l
ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ