() ଦିନରେ ବଢୁଛି ତାପମାତ୍ରା, ଆଉ ରାତିରେ ବଢୁଛି କୁହୁଡି l ଫେବ୍ରୁଆରୀ ମାସରୁ ହେଉଛି ଅସହ୍ୟ ତାତି l ଦିନ ୧୧ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି l ୮ ବର୍ଷ ଭିତରେ ଭୁବନେଶ୍ୱରରେ ୫ମ ସର୍ବାଧିକ ତାତି ରେକର୍ଡ ହୋଇଥିବା ବେଳେ ଆଗକୁ ପୁଣି ପାରଦ ବଢିବାର ଅନୁମାନ କରିଛି ପାଣିପାଗ ବିଭାଗ l
ଫଗୁଣରେ ବୈଶାଖର ତାତି । ଆଗକୁ ଝାଞ୍ଜି ବହିବା ସହ ଉପାନ୍ତରୁ ଉପକୂଳ ସ୍ଥିତି ହେବ ସଙ୍ଗୀନ l ଫେବ୍ରୁଆରୀ ମାସରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ l ସ୍ବାଭାବିକ ତାପମାତ୍ରା ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି ତାପମାତ୍ରା । ରାଜଧାନୀ ଭୁବନେଶ୍ବରରେ ସ୍ଥିତି ଏବେଠୁ ଅସମ୍ଭାଳ ହୋଇପଡିଲାଣି। ଫଗୁଣ ଆରମ୍ଭରୁ ଝାଞ୍ଜି ପବନ ଅନୁଭବ କଲେଣି ଲୋକେ । ମାର୍ଚ୍ଚ ମାସରେ ଭୁବନେଶ୍ୱର ବିଶ୍ୱର ଉତ୍ତପ୍ତ ସହର ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି l ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ 40 ଡିଗ୍ରୀ ଡେଇଁପାରେ ପାରଦ l
ଅନ୍ୟପଟେ ଏସଆରସି ପକ୍ଷରୁ ଘନ କୁହୁଡି ନେଇ ଜାରି ହୋଇଛି ଆଡ଼ଭାଇଜରୀ l ରାଜ୍ୟର 11 ଟି ଜିଲ୍ଲାରେ ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଘନ କୁହୁଡିର ସମ୍ଭାବନା ରହିଛି l କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ, ଅନୁଗୁଳ, ଗଞ୍ଜାମ ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦେଶl ବିଳମ୍ବିତ ରାତିରେ ରାସ୍ତାରେ ଯାତାୟତ କରୁଥିବା ଗାଡି ଗୁଡିକ ଉପରେ ନଜର ରଖିବା ପାଇଁ ପୋଲିସ ଏବଂ ଟ୍ରାନ୍ସପୋର୍ଟ ଅଫିସରଙ୍କୁ ଏସ ଆର ସି ପକ୍ଷରୁ ନିର୍ଦେଶନାମା ହୋଇଛି l ନଭେମ୍ବର ମାସରୁ ଏଯାଏଁ ରାଜ୍ୟରେ ବର୍ଷା ହୋଇନଥିବାରୁ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା l
ଅସହ୍ୟ ତାତିରେ ସାଧାରଣ ଜନଜୀବନ ହୋଇପଡିଛି ଅତିଷ୍ଠ l ଫେବୃଆରୀ ଦ୍ଵିତୀୟ ସପ୍ତାହରୁ ଘରୁ ବାହାରିଲେ ଫେରିଲା ବେଳକୁ ସ୍ଥିତି ଅସମ୍ଭାଳ ହୋଇପଡିଲାଣି l ଆଗକୁ ଏହି ତାତି ଜୁନ ମାସ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ସ୍ୱରୂପା ଏବଂ ଜ୍ୟୋତି ମଞ୍ଜରୀଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now