
ନୟାଗଡ: ବାଘ ଶିକାର କରି ସେଲ୍ଫି ନେବା ପଡିଲା ମହଙ୍ଗା। ଏଭଳି ଏକ ଶିକାରୀକୁ ଗିରଫ କରିଛି ପଞ୍ଚିଡା ବନାଞ୍ଚଳ ଅଧିକାରିଣୀ। ସୂଚନା ଅନୁଯାୟୀ, ଗତ ୪ ବର୍ଷ ତଳେ ଗୋଡିପଲ୍ଲୀ ଗାଁର ସଞ୍ଜୟ ସ୍ୱାଇଁ ଓ ୨ ସହଯୋଗୀ ନିକଟସ୍ଥ ଗୋଛା ଜଙ୍ଗଲ ଯାଇଥିଲେ। ସେଠାରେ ୨ଟି କଲରାପତରୀୟା ବାଘକୁ ଶିକାର କରିଥିଲେ। ଏହାସହ ବାଘ ଉପରେ ବସି ସଞ୍ଜୟ ଫଟୋ ଉଠାଇଥିଲେ। ଏନେଇ ନୟାଗଡ ଡ଼ିଏଫଙ୍କ ନିର୍ଦେଶ କ୍ରମେ ପଞ୍ଚିଡା ବନାଞ୍ଚଳ ଅଧିକାରିଣୀ ସଞ୍ଜୟର ଘର ତଦାରଖ କରିଥିଲେ। ତଦାରଖ ବେଳେ ସଞ୍ଜୟଙ୍କ ଘରୁ ଛୁରୀ, ଜାଲ, ଫାଶ ବାହାରି ଥିବା ସୂଚନା ମିଳିଛି। ସେପଟେ ଅଭିଯୁକ୍ତକୁ ପଚାରିବାରୁ ସେ ୨ଟି ବାଘ ଶିକାର କରିଥିବା ସ୍ୱିକାର କରିଛନ୍ତି। ଶିକାର କରିଥିବା ବାଘର ଚମଡା ଓ ନଖକୁ ଅନ୍ୟ ସହଯୋଗୀ ଘରେ ଥିବା ସୂଚନା ଦେଇଥିଲେ। ଅନ୍ୟ ସହଯୋଗୀ ଘର ତଦାରଖ କରିବାରୁ କିଛି ବାହାରି ନଥିବା ନୟାଗଡ DFO କହିଛନ୍ତି l ଏନେଇ ୱାଇଡ଼ି ଲାଇଫି ନିୟମ ଅନୁସାରେ ଅଭିଯୁକ୍ତ ସଞ୍ଜୟକୁ ଗତ କାଲି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ।