ଜମୁଛି ମା’ ମନସା ଦେବୀଙ୍କ ପୂଜା

Spread the love

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସ୍ଥିତ ଗଡହରିଶପୁରର ମାଆ ମନସା ଦେବୀଙ୍କ ପ୍ରସିଦ୍ଧି ଓ ମହିମା ଯୋଗୁଁ ରାଜ୍ୟ ଓ ରାଜ୍ୟ ବାହାରୁ ଛୁଟି ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ମା’ମନସା ଦେବୀଙ୍କ ପୂଜାର୍ଚ୍ଚନା,ସାଂସ୍କୃତିକ କାର୍ଯ୍ୟକ୍ରମ,ବୀପଣିମାଳାରେ କିଣାବିକାର ଆସର ସାଙ୍ଗକୁ ଫାଟିପଡୁଛି ସାରା ଅଞ୍ଚଳ।

ଦକ୍ଷିଣ ଏରସମାର ଗଡହରିଶପୁରରେ ଦୀର୍ଘ ୪୦ ବର୍ଷ ଧରି ମାଆ ମନସା ଦେବୀଙ୍କ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଛି। ୧୯୯୯ ମସିହା ମହାବାତ୍ୟା ପରଠାରୁ ଗଡହରିଶପୁରର ୧୧ଟି ୱାର୍ଡର ଲୋକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମା’ମନସା ଦେବୀଙ୍କ ପୂଜା ମହୋତ୍ସବ ଜାକଜମକରେ ପାଳନ କରାଯାଉଛି। ଜାନୁୟାରୀ ୨୨ ତାରିଖରୁ୨୬ ତାରିଖ ପାଞ୍ଚଦିନ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜିତ ହେଉଥିବା ବେଳେ ହଜାର ହଜାର ଭକ୍ତଶ୍ରଦ୍ଧାଳୁଙ୍କ ଗହଣରେ ମା’ମନସା ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯାଇଛି। ସକାଳୁ କଳସ ଶୋଭାଯାତ୍ରା, ଘଟସ୍ଥାପନ, ସୂର୍ଯ୍ୟପୂଜା ସହ ବୈଦିକ ପୂଜାର୍ଚ୍ଚନା କରାଯାଇଛି। ରାତ୍ର ରେ ମା’ଙ୍କ ଆଳତୀ ଦର୍ଶନ ପାଇଁ ହଜାର ହଜାର ଭକ୍ତଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ମାଆ ମନସା ଦେବୀଙ୍କ ବିଶେଷ ମହିମା ରହିଛି ବୋଲି ଲୋକଙ୍କ ବିଶ୍ୱାସ ରହିଛି।ଏଥିପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାର କୋଣଅନୁକୋଣ ସମେତ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟରୁ ହଜାର ହଜାର ଭକ୍ତଶ୍ରଦ୍ଧାଳୁ ଭିଡ ଜମାନ୍ତି ଏଠାରେ। ମା’ମନସା ଦେବୀଙ୍କୁ ପୂଜା କରି ଯେ କୌଣସି ମାନସିକ ରଖିଲେ ତାହା ପୂରଣ ହେଉଥିବାର ବିଶ୍ୱାସ ରହିଛି। ମା’ମନସା ଦେବୀ ମହାଦେବ ଶିବଙ୍କ ମାନସ କନ୍ୟା ହୋଇଥିବାରୁ ବୈଦିକ ପୂଜାର୍ଚ୍ଚନା କରାଯାଇଥାଏ। ମା’ମନସା ଦେବୀଙ୍କ ପୂଜାର୍ଚ୍ଚନା ସହ ଆଳତି ଦର୍ଶନର ବିଶେଷ ମହିମା ରହିଥିବା ଲୋକଙ୍କ ମଧ୍ୟରେ ବିଶ୍ବାସ ରହିଛି।

୧୯୯୯ମହାବାତ୍ୟାରେ ମାଆ ମନସା ଦେବୀ ଏହି ଅଞ୍ଚଳକୁ ଘଣ୍ଟ ଘୋଡାଇଥିଲେ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଗଡହରିଶପୁରର ୧୧ଟି ୱାର୍ଡର ଲୋକଙ୍କ ପ୍ରତେକ୍ଷ ତତ୍ୱବଧାନ ସାଙ୍ଗକୁ ଆଖପାଖ ଅଞ୍ଚଳବାସୀ ଓ ପ୍ରଶାସନିକ ସହଯୋଗରେ ପୂଜା ମହୋତ୍ସବ ପାଳିତ ହୋଇଥାଏ। ଭେଳିକି ଭେଳି ଦୋକାନ-ବଜାରରେ କିଣାବିକାର ଆସର, ଫାଷ୍ଟଫୁଡ ସାଙ୍ଗକୁ ଛୋଟପିଲାଙ୍କ ଖେଳନା ଦୋଳିର ମଜା ନେଉଛନ୍ତି ଅଞ୍ଚଳବାସୀ।

ଗଡହରିଶପୁରର ମା’ମନସାଙ୍କ ପୂଜା ମହୋତ୍ସବ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ସମାରୋହର ଦିନକୁ ଦିନ କାୟା ବିସ୍ତାର ହେଉଥିବା ବେଳେ ଦକ୍ଷିଣ ଏରସମାର ଗଣପର୍ବ ପାଲଟିଛି।

ପ୍ରମୋଦ କୁମାର ଦାସ

Leave a Reply

Your email address will not be published. Required fields are marked *