ଆଗୁଆ ଜାମିନ ଆବେଦନ ଖାରଜ ପରେ ଏବେ ଅଡ଼ୁଆରେ ଜୟନାରାୟଣ ମିଶ୍ର। ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗଲା ଜାନୁଆରୀରେ ଅନ୍ତରୀଣ ସୁରକ୍ଷା ଦେଇଥିବା ସୁପ୍ରିମକୋର୍ଟ ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସମ୍ୱଲପୁର ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ତୁରନ୍ତ ଗିରଫ ଲାଗି ଦାବି କରିଛି ବିଜେଡି। ବିଜେପି କହିଛି, ରାୟର ନକଲ ଆସିବା ପରେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ।
ସର୍ବସାଧାରଣରେ ନେତାଙ୍କ ବ୍ୟବହାର ଅନ୍ୟମାନଙ୍କ ଲାଗି ଉଦାହରଣ ହେବା ଜରୁରୀ। ଲୋକଙ୍କ ପ୍ରତି ଉଚିତ୍ ବ୍ୟବହାର ପ୍ରଦର୍ଶନ କରିବା ଆବଶ୍ୟକ। ଏଭଳି ଟିପ୍ପଣୀ ଦେଇ ମହିଳା ଥାନା ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ପୁଲିସ ପେଶାଦାର ଢଙ୍ଗରେ ଏହାର ତଦନ୍ତ କରିବାର ଆବଶ୍ୟକତା ଅଛି। ଏଭଳି ସ୍ଥିତିରେ ଆଗୁଆ ଜାମିନ ଦିଆଗଲେ, ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ଅଛି ବୋଲି କହିଛନ୍ତି ଖଣ୍ଡପୀଠ। ଗଲା ଜାନୁଆରୀ ୩୧ରେ ଜୟନାରାୟଣଙ୍କୁ ପୁଲିସ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ ସର୍ବୋଚ୍ଚ ଅଦାଲତ। ଏବେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ୍ ଏସଭିଏନ ଭଟ୍ଟି ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଲେ। ୨୦୨୩ ଫେବୃଆରୀ ୧୫ରେ ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିଜେପି ବିକ୍ଷୋଭ ପ୍ରଦର୍ଶନ ବେଳେ ବିରୋଧୀ ଦଳ ନେତା ଥିବା ଜୟନାରାୟଣ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିଥିଲେ। ଏ ନେଇ ଜୟନାରାୟଣଙ୍କ ବିରୁଦ୍ଧରେ ମାମଲା ହୋଇଥିଲା। ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ପରେ ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି, ସରକାର ବଦଳିଗଲେ ଜଣେ ଅଧିକାରୀଙ୍କ ୟୁନିଫର୍ମ ବଦଳେନା। ଏହା ସହ ଅଭିଯୁକ୍ତ ବିଧାୟକଙ୍କ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କୋହଳ ମନୋଭାବକୁ ନେଇ ବି ବର୍ଷିଛନ୍ତି। ଏପରିକି ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିବାର ଭିଡ଼ିଓ ରହିଛି, ସେଥିଲାଗି ଏହାର ନିରପେକ୍ଷ ତଦନ୍ତ ଜରୁରୀ ବୋଲି ବିଚାରପତି ମତ ଦେଇଛନ୍ତି।ସୁପ୍ରିମକୋର୍ଟଙ୍କ ଏଭଳି ଶକ୍ତ ଟିପ୍ପଣୀ ପରେ ଜୟନାରାୟଣଙ୍କ ଗିରଫ ଦାବିକୁ ଶାଣିତ କରିଛି ବିଜେଡି। ବିଜେପି ବିଧାୟକଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ସରକାର। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜୟନାରାୟଣଙ୍କ ଅନ୍ତରୀଣ ସୁରକ୍ଷା ହଟିବା ସହ ଆଗୁଆ ଜାମିନ୍ ଖାରଜ ପରେ ସରକାର କାହିଁକି ଚୁପ୍। କ୍ଷମତାର ଅହଂକାରରେ ମଗ୍ନ ଜୟନାରାୟଣ। ଗୃହ ବିଭାଗର ମୁଖିଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲାଗି ଆଇନ ଆଖିରେ ସମସ୍ତେ ସମାନ ଥିଓରୀ ଗଲା କୁଆଡ଼େ।
ସେପଟେ ଜୟନାରାୟଣ କହିଥିଲେ, କୋର୍ଟଙ୍କ ରାୟର ନକଲ ପାଇବା ପରେ ସେ ଯାହା ମନ୍ତବ୍ୟ ଦେବେ। ତତ୍କାଳୀନ ବିଜେଡି ସରକାର ତାଙ୍କ ବିରୁଦ୍ଧରେ ଜାଣିଶୁଣି ମିଛ ମାମଲା ରୁଜୁ କରିଥିଲେ। ଶାସକ ବିଜେପି ଦଳ କହିଛି, ଆଇନ ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ହେବ। ବିରୋଧୀଙ୍କୁ ମିଛ ମାମଲାରେ ଫସାଇବା ଭଳି ବିଜେଡିର ରାଜନୀତି ଓ ଚରିତ୍ର କାହାକୁ ଅଛପା ନାହିଁ।
ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କ କାମରେ ବାଧା ଦେବା ସହ ସର୍ବସାଧାରଣରେ ଚାପୁଡ଼ା ମାରି ଅପଦସ୍ଥ କରିଥିବା ଦର୍ଶାଇ ୨୦୨୩ ନଭେମ୍ୱର ୧୬ରେ ହାଇକୋର୍ଟ ଜୟନାରାୟଣଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ମାମଲା ଥିବାରୁ ଜୟନାରାୟଣଙ୍କୁ ମନ୍ତ୍ରିମଣ୍ଡଳରେ ବି ସାମିଲ୍ କରାଯାଇନି ବୋଲି ଚର୍ଚ୍ଚା ହୁଏ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବ ପାଣ୍ଡିଆନଙ୍କୁ କ୍ରମାଗତ ଟାର୍ଗେଟ କରିବା ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଜୟନାରାୟଣ। ବିଜେପିର ଫାୟାରବ୍ରାଣ୍ଡ୍ ନେତା ଜୟନାରାୟଣଙ୍କୁ ନେଇ ମୋହନ ସରକାର ଆଗକୁ କି ପଦକ୍ଷେପ ନେବେ, ତା ଉପରେ ସମସ୍ତଙ୍କ ନଜର।
Naxatra News is now on Whatsapp
Join and get latest news update delivered to you via whatsapp
Join Now