ଝାରସୁଗୁଡା ଜିଲ୍ଲାରେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି ପାଇଁ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

Spread the love

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ମଧ୍ୟ ଦେଇ ଭାରିଯାନ ଚଳାଚଳ ଯୋଗୁ ଦୁର୍ଘଟଣା ଘଟୁଥିବାରୁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି ପାଇଁ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷତଃ, ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ସ୍କୁଲ ଓ ଜନବସତି ଥିବାରୁ ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିବା ଆବଶ୍ୟକ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏମ୍ ସି ଏଲ୍ ଲଖନପୁର ଏରିଆରୁ ଗୁମାଡେରା (ବେଲପାହାଡ଼) ମେନରୋଡ଼ ଓ ରେଲୱେ କ୍ରସିଂ ରାସ୍ତାରେ ସକାଳ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ୧୬୨୦୦ କିଲୋଗ୍ରାମ କିମ୍ବା ତଦୁର୍ଦ୍ଧ ଓଜନର ଭାରିଯାନ ଚଳାଚଳ ଉପରେ କଟକଣା ଜାରି ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ୧୬୨୦୦କିଲୋଗ୍ରାମ କିମ୍ବା ତଦୁର୍ଦ୍ଧ ଓଜନର କୋଇଲା , ଲୁହାପଥର,ଫ୍ଲାଇଆସ ଓ ସିମେଣ୍ଟ ଆଦି ଖଣିଜ ସାମଗ୍ରୀ ପରିବହନକାରୀ ଭାରିଯାନଗୁଡିକର ବେହେରାମାଲ ଛକଠାରୁ ବଢ଼େଇମୁଣ୍ଡା ଛକ (ଭାୟା ବସଷ୍ଟାଣ୍ଡ) ଚଳାଚଳ ଉପରେ କଟକଣା ଜାରି ପାଇଁ ନିଷ୍ପତ୍ତି ହୋଇଛି । ପେଟ୍ରୋଲ , ଡିଜେଲ, ରନ୍ଧନ ଗ୍ୟାସ , ପନିପରିବା ଓ ସ୍କୁଲବସକୁ ଏହି କଟକଣା ରୁ ବାଦ ଦିଆଯାଇଛି । ସକାଳ ୭ଠାରୁ ଦିନ ୧୦ଟା ମଧ୍ୟରେ ବସ ଷ୍ଟାଣ୍ଡ ଠାରୁ ସରବାହାଲ ପର୍ଯ୍ୟନ୍ତ ସ୍କୁଲ ବସ ବ୍ୟତୀତ ଅନ୍ୟାନ୍ୟ ଭାରିଯାନ ଚଳାଚଳ କରିବ ନାହିଁ। ପ୍ରସନ୍ନ ପଣ୍ଡା ଛକଠାରୁ ଏସ୍ ପି ଅଫିସ ଛକ(ଭାୟା ବେହେରାମାଲ ଛକ)ପର୍ଯ୍ୟନ୍ତ ଟ୍ରକ/ମଲ୍ଟି ଏକ୍ସଲ ଟ୍ରକ ଚଳାଚଳ କରିବ ନାହିଁ। ବ୍ରଜରାଜନଗର ରେଳ ଷ୍ଟେସନ ନିକଟ ରୋଡ଼ ଓଭରବ୍ରିଜ (ନମ୍ବର 181-A) ରାସ୍ତାରେ ଟ୍ରକ ଓ ବସ ଆଦି ଭାରିଯାନ ଗୁଡିକ ଚଳାଚଳ ଉପରେ କଟକଣା ଜାରି ପାଇଁ ବୈଠକରେ ସ୍ଥିର କରାଯାଇଛି । ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ଚିକିତ୍ସା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ, ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ଙ୍କ ସମେତ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *