ଜଙ୍ଗଲ ନିଆଁରେ ଜଳିଲା ବିଧାନସଭା

() ଏବେଠୁ ଅସମ୍ଭବ ତାତି। ଆଗକୁ ପରିସ୍ଥିତି ଭୟଙ୍କର ହୋଇପାରେ। ଏହାକୁ ମୁକାବିଲା ଲାଗି ସରକାର କଅଣ ପଦକ୍ଷେପ ନେଇଛନ୍ତି। ଜଳକଷ୍ଟ ଏବେଠୁ ତୀବ୍ର ହେଲାଣି। ଜଙ୍ଗଲ ନିଆଁ ଦାଉ ସାଧିଲାଣି। ଏହାକୁ ନେଇ ବିଧାନସଭାରେ ଦଳମତ ନିର୍ବିଶେଷରେ ଉଦବେଗ ପ୍ରକାଶ ପାଇଛି। ଆଉ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ସରକାର ସବୁ ପ୍ରକାର ପରିସ୍ଥିତି ପ୍ରତି ସଚେତନ ଅଛନ୍ତି। ଆଧୁନିକ ପ୍ରଣାଳୀରେ ଜଙ୍ଗଲ ନିଆଁ ଆୟତ୍ତ ହେଉଛି। ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଉଛି। ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ଲାଗି ପଦକ୍ଷେପ ନିଆଯାଉଛି।

ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ଉଦବେଗ। ଶିମିଳିପାଳରୁ ଚନ୍ଦକା-ଡମପଡ଼ା। ସୁନାବେଡାରୁ ଦଶପଲ୍ଲା। ସବୁଠି ସମାନ ଚିତ୍ର। ଫେବୃଆରୀ ମାସରୁ ଅସହ୍ୟ ତାତି ଅନୁଭୂତ ହେଲାଣି। ଆଗକୁ ଆହୁରି କଲବଲ କରିବ ତାତି। ଜଳସ୍ତର ହ୍ରାସ ପାଇବାକୁ ଲାଗିଛି। ପାଣି ପାଇଁ ଡହଳବିକଳ ସ୍ଥିତି ଆଗକୁ ଉପୁଜିପାରେ। କଅଣ କରୁଛନ୍ତି ସରକାର। ଯେତିକି ଗଛ କାଟିଥିଲ ସେତିକି ଲଗେଇଲଣି କି। କୋଇଲା ଖଣିରୁ ନିର୍ଗତ ଧୂଆଁ ଆହୁରି ସ୍ଥିତିକୁ ଖରାପ କଲାଣି। ଏମିତି ବାଗରେ ଆଜି ବିଧାନସଭାରେ ଦଳମତ ନିର୍ବିଶେଷରେ ଉଦବେଗ ଦେଖିବାକୁ ମିଳିଥିଲା। ମହୁଲ, ଶାଳମଞ୍ଜି ଗୋଟାଇବାକୁ ଯାଇ ନିଆଁ ଲଗାଇଦେଉଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦଣ୍ଡ ନ ଦେଲେ ଏମାନେ ସୁଧୁରିବେନି।

ସେପଟେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ଆଧୁନିକ ପ୍ରଣାଳୀରେ ବନାଗ୍ନିକୁ ଆୟତ୍ତ କରାଯାଉଛି। ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଜଙ୍ଗଲ ସୃଷ୍ଟି ପାଇଁ ସବୁଜ ମହାନଦୀ, ଡିଏମଏଫ ଓ ଓମବାଡ୍ ଯୋଜନା ହୋଇଛି। ବନସୁରକ୍ଷା ସମିତି ଓ ଏସଏଚଜିଙ୍କ ସହାୟତାରେ ୯୮ ପ୍ରତିଶତ ମୁକାବିଲା ସମ୍ଭବ ହୋଇପାରିଛି। ଜଳକ୍ଳିଷ୍ଟରୁ ରକ୍ଷା ଲାଗି ଆରଡବ୍ଲୁଏସଏସର ନିର୍ବାହୀ ଯନ୍ତ୍ରୀଙ୍କୁ ୫୦ହଜାର ଟଙ୍କା ଯାଏ ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଛି। ଟ୍ୟାଙ୍କରରେ ପାଣି ଯୋଗାଣ, ନିରବିଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତ ମୁକାବିଲା ଲାଗି ସବୁ ହସ୍ପିଟାଲରେ ଆବଶ୍ୟକୀୟ ସ୍ୱତନ୍ତ୍ର ଶଯ୍ୟା, ପ୍ରଚୁର ପରିମାଣରେ ଓଆରଏସ, ଜୀବନ ରକ୍ଷାକାରୀ ଔଷଧ ମହଜୁଦ୍ ରଖାଯାଇଛି।

କଲବଲ କରିବ ଏଥର ତାତି। ସେଥିଲାଗି ଏହାକୁ ହାଲୁକା ଭାବେ ନେଲେ ଆଗକୁ ପରିସ୍ଥିତି ବିଷମ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ଗୃହରେ।

ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *