ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ରେଣ୍ଡୋ ମାଝି ଙ୍କ ନାମରେ ନାମିତ ହୋଇଛି କଳାହାଣ୍ଡି ମେଡିକାଲ କଲେଜ ଓ ହସ୍ପିଟାଲ । ଏହାର ନାମ ଶହୀଦ ରେଣ୍ଡୋ ମାଝି ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଠାରୁ ଏହି ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ।
ସୂଚନା ଅନୁଯାୟୀ ରାଜ୍ୟରେ ଏମବିବିଏସ୍ ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ୧୦ ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଏହି କ୍ରମରେ ଶହୀଦ ରେଣ୍ଡୋ ମାଝି ମେଡିକାଲ କଲେଜ ଓ ହସ୍ପିଟାଲ କଳାହାଣ୍ଡି ଜିଲ୍ଲାର ଭବାନିପାଟଣା ଠାରେ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ ହେବ । ଏହି ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣରେ ୪୮୧.୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଶିକ୍ଷା ବର୍ଷ ୨୦୨୩ -୨୪ ରେ ଉକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ଏମବିବିଏସ୍ ଛାତ୍ର ନାମ ଲେଖାଇବା ପାଇଁ ନ୍ୟାସନାଲ ମେଡିକାଲ କମିସନଙ୍କ ଠାରୁ ଅନୁମତି ମିଳିଛି । ଏହା ଫଳରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକର ସଂଖ୍ୟା ୧୧ ରେ ପହଂଚିବ ।
ଶହୀଦ ରେଣ୍ଡୋ ମାଝି ଜଣେ ମହାନ ଆଦିବାସୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକଙ୍କ ପାଇଁ ସଂଗ୍ରାମ କରି ସେ ବହୁତ ଦୁଃଖ ଓ ଯନ୍ତ୍ରଣା ଭୋଗିଥିଲେ ଓ ଏଥିପାଇଁ ନିଜ ପ୍ରାଣର ଆହୁତି ପୂର୍ବକ ସର୍ବୋଚ୍ଚ ବଳିଦାନ ଦେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now