ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ନିଖୋଜ, ଅପହରଣ ସନ୍ଦେହ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କୁ ଅପହରଣ କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ଏହି ଘଟଣାରେ ମାଓବାଦୀ ମାନଙ୍କ ସମ୍ପୃକ୍ତି ଅଛି କି ଅନ୍ୟ କାହାର ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଜାଜେଶପାଙ୍ଗା ଗାଁରେ ବରାଳ ଦେବୀ ପୂଜା ପାଇଁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ଉପାଧ୍ୟକ୍ଷ ଅଜିତଙ୍କୁ ଅତିଥି ଭାବରେ ଡକାଯାଇଥିଲା। ଉପାଧ୍ୟକ୍ଷ ନିଜ କାରରେ ରତଙ୍ଗ ପଞ୍ଚାୟତ ସମିତି ସଭ୍ୟ ବିରଞ୍ଚି ମଳିକ ଓ ବସନ୍ତ ମାଝୀ ନାମକ ତାଙ୍କର ଜଣେ ସହଯୋଗୀଙ୍କ ସହ ଜାଜେଶପାଙ୍ଗା ପାଇଁ ବାହାରିଥିଲେ। କାର୍ଯ୍ୟକ୍ରମରେ ବିଳମ୍ବ ହେବାରୁ ସେ ତାଙ୍କ କାରରେ ସାଡିଙ୍ଗିଆ ଯାଉଥିଲେ। ରାସ୍ତାରେ ଥିବା ଘାଟି ନିକଟରେ କାରଟିକୁ ରଖି ବାହାରକୁ ପରିସ୍ରା ପାଇଁ ଓହ୍ଲାଇଥିଲେ। ଏଥିସହ ତାଙ୍କର ଦୁଇଜଣ ସହଯୋଗୀ ମଧ୍ୟ ଓହ୍ଲାଇଥିଲେ। ଦୁଇ ସହଯୋଗୀ ପରିସ୍ରା କରି ଫେରିଲା ପରେ ଅଜିତ ପାଖରେ ନ ଥିବା ଦେଖିବାକୁ ପାଇଥିଲେ। ଉଭୟ ସ୍ଥାନୀୟ ଅଞ୍ଚଳରେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ ଅଜିତଙ୍କୁ ପାଇ ନ ଥିଲେ। ଅନ୍ୟପଟେ ଅଜିତଙ୍କ କାରରେ ଚାବି ଲାଗି ରହିଥିବା ବେଳେ ତାଙ୍କ ମୋବାଇଲ ମଧ୍ୟ ରହିଛି। କିଛି ସମୟ ପରେ ରତଙ୍ଗ ସମିତିସଭ୍ୟ ବିରଞ୍ଚି ମଳିକ ଫିରିଙ୍ଗିଆ ଥାନାକୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ। ବର୍ତ୍ତମାନ ସୁଦ୍ଧା ଉପାଧ୍ୟକ୍ଷଙ୍କ କୌଣସି ଖୋଜଖବର ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଉକ୍ତ ଅଞ୍ଚଳଟି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ମାଓବାଦୀ ଅଜିତଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି । କିଛିଦିନ ତଳେ ଏହି ଅଞ୍ଚଳରେ ମାଓବାଦୀ ଜଣେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରି ନିଜର ସ୍ଥିତି ଜାହିର କରିଥିଲେ।

Leave a Reply

Your email address will not be published. Required fields are marked *