ମୋଦି ସରକାରରେ ଓଡ଼ିଶାକୁ ୯ ବର୍ଷରେ ମିଳିଛି ୧୮.୮୩ ଲକ୍ଷ କୋଟିରୁ ଅଧିକ ଅର୍ଥ – ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ, ଟିକସ ଭାଗ ଓ କେନ୍ଦ୍ରୀୟ ଉଦ୍ୟୋଗ ମାନଙ୍କ ବ୍ୟୟ ବରାଦକୁ ମିଶାଇ ଗତ ୯ ବର୍ଷରେ ୧୮ ଲକ୍ଷ ୮୩ ହଜାର କୋଟିରୁ ଉର୍ଦ୍ଧ୍ୱ ଅର୍ଥ ସହାୟତା ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଭୁବନେଶ୍ୱର ଠାରେ ମାନନୀୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଜାତୀୟ ରାଜପଥ-୫୩ ଅନ୍ତର୍ଗତ ୪ ଲେନ୍ ବିଶିଷ୍ଟ କାମାକ୍ଷାନଗର-ଡୁବୁରି ସେକ୍ସନର ଉଦଘାଟନ ଏବଂ କଳାହାଣ୍ଡି ଜିଲ୍ଲା ମୋଟେର୍ –ବାନର ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ମୋଦି ସରକାର ବିଗତ ୯ବର୍ଷରେ ଓଡ଼ିଶା ପାଇଁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ହାରାହାରି ଓଡ଼ିଶାର ପ୍ରତ୍ୟେକ ପରିବାର ପିଛା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ଲକ୍ଷ ୯୪ ହଜାର ଟଙ୍କାର ଦାୟିତ୍ୱ ନେଇଛନ୍ତି । ମୋଦି ସରକାରଙ୍କ ପୂର୍ବ ତଥା ୟୁପିଏର ଶେଷ ୧୦ ବର୍ଷ ସରକାରରେ ଓଡ଼ିଶାକୁ ମାତ୍ର ୨ ଲକ୍ଷ ୯୩ ହଜାର କୋଟି ଟଙ୍କା ମିଳିଥିଲା ।

ଜାତୀୟ ରାଜପଥ, ରେଳପଥ, ବନ୍ଦର ଓ ଜଳପଥର ବିକାଶ, ଡିଏମଏଫ, ଅର୍ଥ କମିଶନ, ଜିଏସଟି ସଂଗ୍ରହ ସମେତ ଏନଡିଆରଏଫ, ଏସଡିଆରଏଫ, ପ୍ରଧାନମନ୍ତ୍ରୀ ଆବାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରେକର୍ଡସଂଖ୍ୟକ ଅର୍ଥ ଓଡ଼ିଶାକୁ ଆସିଛି । ମହାପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ସହଯୋଗ, ଓଡ଼ିଶାର ଜନଜାତି ଝିଅଙ୍କୁ ରାଷ୍ଟ୍ରପତି ପଦବୀରେ ଅଭିସିକ୍ତ କରିବା, ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ବିଚାରକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଗକୁ ନେବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଇଛନ୍ତି ।

ମୋଦି ସରକାରରେ ଓଡ଼ିଶାର ନୂଆ ପରିଚୟ ତିଆରି ହୋଇଛି । ଓଡ଼ିଶାର ପଦ୍ମ ପୁରସ୍କାର ସଂଖ୍ୟା, ରାଜସଭାକୁ ମନୋନୀତ ସଦସ୍ୟ, ମନ କି ବାତରେ ଓଡ଼ିଶା ବିଷୟରେ ଉଲ୍ଲେଖ, ଜନଜାତି ସମାଜ ପ୍ରତି ବିଶେଷ ଧ୍ୟାନ, ପ୍ରାକୃତି ବିପର୍ଯ୍ୟୟ ବେଳେ ଓଡ଼ିଶା ପ୍ରତି ଦାୟିତ୍ୱ, ପାଇକ ସ୍ମାରକୀକୁ ଏକ ତୀର୍ଥ କ୍ଷେତ୍ର ଭାବେ ପରିକଳ୍ପନା କରିଛନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ଶିକ୍ଷା ନୀତି ଅନୁସାରେ ଦେଶରେ ମାତୃଭାଷା ଆଧାରିତ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି । ଫଳସ୍ୱରୂପ ଓଡ଼ିଶାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ପଢାଇବା ପାଇଁ ବ୍ୟବସ୍ଥା ହୋଇଛି । ଓଡ଼ିଶାକୁ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । କାମାକ୍ଷାନଗର – ଡୁବୁରି ସେକ୍ସନ ଦ୍ୱାରା ତାଳଚେର-ଅନୁଗୁଳ ଶିଳ୍ପାଞ୍ଚଳ, କାମାକ୍ଷାନଗର-କପିଳାସ ଅଂଚଳ, କଳିଙ୍ଗନଗର ଶିଳ୍ପାଂଚଳ ମଧ୍ୟରେ ଯୋଗାଯୋଗ, ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରି ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କାମାକ୍ଷାନଗର-ଡୁବୁରି ସେକ୍ସନକୁ ପ୍ରଥମ ଥର ପାଇଁ ଏନଏଚର ମାନ୍ୟତା ଦେଇଥିଲେ । ଏହି ଏନଏଚ୍ ଆଜି ମୋଦି ସରକାରରେ ୪ ଲେନରେ ପରିଣତ ହେବା ଖୁସିର ବିଷୟ । ଆଜି ଏହି ପ୍ରକଳ୍ପର ଶୁଭାରମ୍ଭ ପାଇଁ ପ୍ରଧାନ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *