ଭୂତ ଖାଇଗଲା ସୋମଗିରି ପୋଷ୍ଟ ଅଫିସର ଟଙ୍କା, ଶହ ଶହ ଆକାଉଣ୍ଟରୁ ଟଙ୍କା ଗାୟବ, ଘେରିଲେ ଲୋକ

Spread the love

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତ ସୋମଗିରି ପୋଷ୍ଟ ଅଫିସରେ ଶହ ଶହ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି ।

ଖବର ମୁତାବକ, ସୋମଗିରି ଗ୍ରାମର ପୋଷ୍ଟ ମାଷ୍ଟର ପୂର୍ଣ୍ଣଚନ୍ଦ୍ର ପାତ୍ର ନିଜ ଘରେ ପୋଷ୍ଟ ଅଫିସ କରି କାର୍ଯ୍ୟ ଚଳାଇଥିଲେ । ଦୀର୍ଘ ବର୍ଷ ଧରି ଶହ ଶହ ଗରିବ ଲୋକଙ୍କ ଆକାଉଣ୍ଟରୁ ସେ ଲକ୍ଷାଧିକ ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି । ଗ୍ରାମର ଅକ୍ଷୟ କୁମାର ମହାକୁଡ଼ଙ୍କ ଆକାଉଣ୍ଟରେ ୩୦ ହଜାର ରହିବା ବଦଳରେ ମାତ୍ର ୧୪ ଶହ ଟଙ୍କା ଆକାଉଣ୍ଟରେ ରହିଛି । ତାଙ୍କୁ ସନ୍ଦେହ ହେବାରୁ ସେ ନିଜ ଆକାଉଣ୍ଟକୁ ଜଙ୍ଘିରା ପୋଷ୍ଟ ଅଫିସରେ ଚେକ୍ କରିବା ପରେ ସଠିକ୍ ଖବର ଜାଣିବାକୁ ପାଇଥିଲେ । ଆକାଉଣ୍ଟରେ ଟଙ୍କା ନଥିବାରୁ ସେ ଯାଇ ପୋଷ୍ଟ ମାଷ୍ଟର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ପଚାରିବାରୁ ଧମକ ମିଳିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ବୁଢାଖମଣ, ଜଙ୍ଘିରା, ହୁଣ୍ଡା, ପଞ୍ଚାୟତର ଶହ ଶହ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଛି । ତାଙ୍କ ପାଖରୁ ଖବର ଜାଣିବା ପରେ ବାବୁଲା ମହାନ୍ତଙ୍କ ୨ ଲକ୍ଷ ୪୦ ହଜାରରୁ ୪୨ ହଜାର ଆକାଉଣ୍ଟରେ ଅଛି । ସେହିପରି ବିରଞ୍ଚି ବାରିକଙ୍କ – ସୁକନ୍ୟା ଯୋଜନାରେ ୪୦ ହଜାରରୁ ୧୫ ହଜାର ଅଛି, ଗିରିଧାରୀ ମହାନ୍ତଙ୍କ – ୧ ଲକ୍ଷ ୫୬ରୁ ୨୪ ହଜାର ଅଛି, ମଞ୍ଜୁଲତା ମହାନ୍ତଙ୍କ – ୫୬ ହଜାରରୁ ୧୨ ହଜାର, ରଶ୍ମିତା ମହାନ୍ତଙ୍କ – ୯୭ ହଜାର ରୁ ୬ ହଜାର, କେକିଳ ମହାନ୍ତଙ୍କ – ୭୦ ହଜାରରୁ ୭ ହଜାର, ତପନ ରାଉତଙ୍କ – ୨୨ହଜାରରୁ ପୁରା ଖାଲି, ଦିନବନ୍ଧୁ ମହାନ୍ତଙ୍କ – ୮୦ ହଜାର ରୁ ୮ ହଜାର ୯୬୦, ମିଲୁ ବାରିକଙ୍କ ୯୮ ହଜାର ୨୨୪ ରୁ ୫୦୦୦ ହଜାର, ସବିତା ମହାକୁଡ଼ଙ୍କ -୧ ଲକ୍ଷ ୧୦ ହଜାରରୁ ୨ ହଜାର, ବିସିକେଶନ ପଲେଇଙ୍କ ୧ ଲକ୍ଷରୁ ୯ ଶହ ଟଙ୍କା ଆକାଉଣ୍ଟରେ ରହିଥିବା ସୂଚନା ରହିଛି । ସେହିପରି ଶହ ଶହ ଆଦିବାସୀ ଲୋକଙ୍କ ଆକାଉଣ୍ଟ ଖାଲି ଥିବା ଅଭିଯୋଗ ହୋଇଥିବା ବେଳେ ଆଜି ପୋଷ୍ଟ ଅଫିସ କାର୍ଯ୍ୟାଳୟକୁ ଶହ ଶହ ଉପଭୋକ୍ତା ଘେରାଉ କରିଥିଲେ । ଅଧିକାଂଶ ଲୋକଙ୍କ ୨୦୧୮ ମସିହା ଠାରୁ ଆକାଉଣ୍ଟ ଖୋଲା ହୋଇଥିବା ସତ୍ବେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ପାସବହି ମିଳିନଥିବା କାରଣରୁ ସେମାନଙ୍କ ଆକାଉଣ୍ଟର ଅବସ୍ଥା କ”ଣ ରହିଥିବ ତାହା ସନ୍ଦେହ ଘେରରେ । ଏହାର ସଠିକ ତଦନ୍ତ କରାଗଲେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇବାକୁ ପାଇଁ ଏ ଅଞ୍ଚଳର ବୃଦ୍ଧିଜୀବି ମହଲରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *