ବଲାଣିରେ ବୃଦ୍ଧି ପାଉଛି ମଶା ଦୌରାତ୍ମ୍ୟ , ସେଲ୍ ବଲାଣି ମଶା ବଂଶ ପ୍ରତିହତ କରିବାରେ ବିଫଳ, ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବାର ଆଶଙ୍କା

Spread the love

ବଲାଣି : ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍‌) ଅନ୍ତର୍ଗତ ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ବଲାଣି ଖଣି ଟାଉନସିପ୍ ରେ ମଶାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି । ସନ୍ଧ୍ୟା ହେଲା ପରେ ଘରେ ହେଉ କି ବାହାରେ ହେଉ ମଶା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ହନ୍ତସନ୍ତ ହୋଇ ପଡୁଛନ୍ତି । ରାତିରେ ମଶାରୀ ପକାଇ ଲୋକେ ମଶା ଦାଉରୁ ରକ୍ଷା ପାଇଯାଉଥିଲେ ହେଁ ଅନ୍ୟ ସମୟରେ ମଶାଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଛି । ଯଦି ରାତିରେ କୌଣସି କାରଣରୁ ବିଦ୍ୟୁତ ସରା୍ୱରାହ ବିଛିନ୍ନ ହେଉଛି ତେବେ ପ୍ରବଳ ଗରମ ଓ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନାହିଁ ନଥିବା ହୀନସ୍ତା ଭୋଗ କରୁଛନ୍ତି । ଅନ୍ୟ ପକ୍ଷରେ ବଲାଣି ଖଣିର ଡାକ୍ତରଖାନା ପକ୍ଷରୁ ପର୍ଯ୍ୟାୟକ୍ରମେ ନିରନ୍ତର ଭାବରେ ବଲାଣି ଟାଉନସିପ୍ ବ୍ୟତୀତ କାର୍ଯ୍ୟାଳୟ କ୍ଷେତ୍ରରେ ମଶା ଧୂଆଁ ଦିଆଯାଉଥିଲେ ସୁଦ୍ଧା ମଶା ବଂଶ ଲୋପ କରିବାରେ ଖଣି କତୃପକ୍ଷ ବିଫଳ ହେଉଥିବା ପରିଲିକ୍ଷିତ ହୋଇଛି । ତେବେ ମଶା ବଂଶ ବୃଦ୍ଧି ପାଉଥିବା ବେଳେ ମଶା କାମୁଡା ଜନିତ ବିଭିନ୍ନ ରୋଗ ମ୍ୟାଲେରିଆ, ଚିକୁନଗୁନିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗ ବିସ୍ତାର ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଖଣି କତୃପକ୍ଷ ମଶା ଧୂଆଁ ଅନବରତ ଦେଉଥିଲେ ସୁଦ୍ଧା ଟାଉନସିପ୍ ଅଂଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ଥ ହୋଇ ପଡ଼ିଥିବାରୁ ମଶା ବଂଶକୁ ପ୍ରତିହତ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି ବୋଲି ଜନସାଧାରଣ ରେ ଆଲୋଚନା ହେଉଛି । ତେବେ ବିଗତ ବର୍ଷ ମାନଙ୍କରେ ବଲାଣି ଅଂଚଳରେ ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବା ସହିତ ଅନେକ ଏହାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଏହାକୁ ନେଇ ବଲାଣି ଅଂଚଳର ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଜିଲା ପ୍ରଶାସନ ଓ ଖଣି କତୃପକ୍ଷ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ହିଁ ସମସ୍ତଙ୍କର ନଜର ।ଏ ନେଇ ବଲାଣି ଖଣି ଡାକ୍ତରଖାନାର ମୁଖ୍ୟ ଡା. ଥାନେଶ୍ୱର ସୋରେନଙ୍କ ପ୍ରତିକ୍ରିୟା ନେବାରୁ ସେ ଅଂଚଳରେ ମଶା ବଂଶ ବିସ୍ତାର ହୋଇଛି ବୋଲି ଗ୍ରହଣ କରିବା ସହିତ ବଲାଣି ଅଂଚଳର ବିଭିନ୍ନ କ୍ଷେତ୍ରରେ ମଶା ଡିମ୍ବ ମାରିବା ତେଲ ଓ ମଶା ଧୂଆଁ ଦିଆଯିବା ପ୍ରଣାଳୀକୁ ତୀବ୍ର କରାଯିବା ସହିତ ଖଣିର ସିଭିଲ ବିଭାଗ ସହ ମିଳିତ ଭାବରେ ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ଏହା ବ୍ୟତୀତ ଆଗାମୀ ମୌସୁମୀ ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଲୋକ ପ୍ରତିନିଧି, ସ୍ୱାସ୍ଥ୍ୟ କର୍ମୀ ଓ ଜନ ସାଧାରଣଙ୍କୁ ନେଇ ବିଭିନ୍ନ ବୈଠକ ଜରିଆରେ ଲୋକ ସଚେତନତା କାର୍ଯ୍ୟକ୍ରମ ନେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *