ଚାଷୀଙ୍କ ନିଦ ହଜାଇଛି ହାତୀ

ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ହାତୀ । ଏକର ଏକର ଫସଲ ନଷ୍ଟ କରୁଛନ୍ତି ହାତୀ ।

ରାତିର କିଟ୍ କିଟ୍ ଅନ୍ଧାର ଭିତରେ ଶୀତ କାକରକୁ ଖାତିର ନ କରି ଜୀବନକୁ ପାଣି ଛଡାଇ ମଞ୍ଚା ଉପରେ ଜଗି ବସୁଛି ଚାଷୀ । ଝାଳବୁହା ଫସଲକୁ ବଞ୍ଚାଇବା ପାଇଁ ଗଛରେ ଦିନ ରାତି ଜଗି ବସୁଛନ୍ତି ଚାଷୀ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଏବଂ ଚମ୍ପୁଆ ରେଞ୍ଜରୁ ଆସିଛି ଏଭଳି ଚିତ୍ର । ବଡ଼ବିଲ ରେଞ୍ଜ, କଣ୍ଡରା ପଞ୍ଚାୟତର ଦାମପୁର ଏବଂ କାହ୍ନୁପୁରର ଚାଷ ଏବେ ହାତୀଙ୍କ ମୁହଁରେ। ହାତୀପଲ ଏକର ଏକର ଧାନ ଚାଷ ନଷ୍ଟ କରୁଛନ୍ତି । ତା’ସହିତ ଉଜାଡ଼ି ଦେଉଛନ୍ତି ପରିବା ଫସଲ । ଫୁଲକୋବି, ବନ୍ଧାକୋବି, ବ୍ରୋକୋଲୀ, କନ୍ଦମୂଳ, ଟମାଟୋ, ଶାଗ କିଛି ବି ଛାଡ଼ୁ ନାହାନ୍ତି । ମନଇଚ୍ଛା ଖାଇବାପରେ ଦଳି ଚକଟି ନଷ୍ଟ କରୁଛନ୍ତି । ସେହିପରି ଚମ୍ପୁଆ ରେଞ୍ଜ ମିରିଗିସିଙ୍ଗା, ଜାମୁଦଲକ୍, ମଙ୍ଗଳପୁର, ରଜିଆ, ପତଳା ଆଦି ଗାଁରେ ମଧ୍ୟ ହାତୀ ଉପଦ୍ରବ ଲୋକଙ୍କୁ ଅତିଷ୍ଠ କରିଛି ।

ପ୍ରତିଦିନ ବେଳ ନଇଁଲେ ହାତୀପଲ ଗାଁ ମୁହାଁ ହୋଇ ତାଣ୍ଡବ ରଚାଉଛନ୍ତି । ଖବର ପାଇ ବନ କର୍ମଚାରୀ ଆସି ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ବୋଲ ମାନୁନାହାନ୍ତି ବଣୁଆ ହାତୀ । ଏମିତିରେ ସୁନାର ଫସଲକୁ ହାତୀ ଦାଉରୁ ସୁରକ୍ଷିତ ରଖିବା ପାଇଁ ନିଜେ ଉଦ୍ୟମ ଚଳାଇଛନ୍ତି ଚାଷୀ । ବର୍ଷକର ଆହାର ଉଜୁଡ଼ି ଯିବାର ଆଶଙ୍କାକରି ନିଜ ଜୀବନକୁ ବାଜି ଲଗାଇ ଗଛ ଉପରେ ମଞ୍ଚା ବାନ୍ଧି ରହୁଛନ୍ତି । ଏଠାକାର ଲୋକଙ୍କ ପାଇଁ ଏବେ ହାତୀ ମୁହଁରୁ ନିଜ ଫସଲ ବଞ୍ଚାଇବା କାଠିକର ପାଠ ହୋଇଛି । ଗାଁର ଏକର ଏକର ଚାଷ ଏବେ ହାତୀଙ୍କ ପାଦ ତଳେ ନଷ୍ଟ ହେଉଛି । ଘର ବି ଭାଙ୍ଗୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ, ଗତ ୩ ମାସ ହେବ ପ୍ରତିଦିନ ଗ୍ରାମବାସୀ ଓ ଚାଷୀମାନେ ଏଭଳି ହଇରାଣ ହେଉଛନ୍ତି । ଦିନରେ ପେଟ ପୋଷିବା ପାଇଁ ସଂଘର୍ଷ ଆଉ ରାତି ହେଲେ ଫସଲ ବଞ୍ଚାଇବାକୁ ଆଖିର ନିଦ ହଜାଇବାକୁ ପଡୁଛି । ହେଲେ ବନ ବିଭାଗ ହାତୀ ଘଉଡାଇବା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ବନ ବିଭାଗ କ୍ଷତିପୂରଣ ଦେଉଛି କିନ୍ତୁ ବହୁ ବିଳମ୍ବରେ । ଯେତିକି ଦିଆଯାଉଛି, ତାହା ଯଥେଷ୍ଟ ନୁହେଁ । ଏମିତିରେ କ୍ଷତିପୂରଣ ରାଶିକୁ ବଢ଼ାଇବା ପାଇଁ ଚାଷୀ ଦାବି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *