ଲିଙ୍ଗରାଜଙ୍କ ନୀତିକାନ୍ତି ବିଭ୍ରାଟର ଅବସାନ

Spread the love

ଭୁବନେଶ୍ବର:  ଦୁଇ ସେବାୟତ ଗୋଷ୍ଠୀ ଭିତରେ ବିବାଦରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ସୃଷ୍ଟ ବଡ଼ ବିଭ୍ରାଟର ଅବସାନ ହୋଇଛି। ପ୍ରଶାସନର ହସ୍ତକ୍ଷେପ ପରେ ଯଦିଓ ବିବାଦ ତୁଟିଛି। କିନ୍ତୁ ପ୍ରଭୁଙ୍କୁ କାହିଁକି ଓପାସ ରଖାଗଲା, ତାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷର ବହ୍ନି ଲାଗିଥିଲା। ନୀତିକାନ୍ତି ବିଭ୍ରାଟ ଲାଗି କାହିଁକି ବିଶୃଙ୍ଖଳିତ ସେବାୟତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନି କହି ସେବା ପ୍ରତିନିଧି ଦଳ ଧାରଣା ଦେଇଥିଲା ମନ୍ଦିର ଆଗରେ।

ଯାହାଙ୍କ ଦର୍ଶନ ପାଇଁ ଧାଇଁ ଆସିଥିଲେ ଶ୍ରଦ୍ଧାଳୁ, ସେ ନିଜେ ଉପାସରେ। ବିନା ନୀତିକାନ୍ତିରେ ରହିଥିଲେ ପ୍ରାୟ ଅଢେଇ ଦିନ। ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବର୍ଷ ଆରମ୍ଭରୁ ବିଭ୍ରାଟକୁ ନେଇ ଶ୍ରଦ୍ଧାଳୁ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି। ମନ୍ଦିର ଭୋଗ ମଣ୍ଡପରେ ଅଣସେବାୟତ ପଶିଥିଲେ କାହିଁକି। ଭୋଗ ମାରା ପରେ ଏହାକୁ ପୋତିବା ଓ ବିକ୍ରି କରିବାର ଆରୋପ ପ୍ରତ୍ୟାରୋପରେ ମାତିଥିବା ଦୁଇ ସେବାୟତ ଗୋଷ୍ଠୀ ବିବାଦରୁ କାହିଁକି ପ୍ରଭୁ ଓ ତାଙ୍କ ଭକ୍ତଙ୍କୁ କଷ୍ଟ ଦିଆଗଲା। ଏଭଳି ବିଶୃଙ୍ଖଳିତ ସେବାୟତଙ୍କ ବିରୁଦ୍ଧରେ କାହିଁକି କଡ଼ା କାର୍ଯ୍ୟାନୁଷ୍ଠାନ ହେଉନି। ମନ୍ଦିର ପରିଚାଳନାରେ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ୍ ଅଭିଯୋଗ ଆଣି ପ୍ରଭୁଙ୍କ ନୀତି ନ ହେବା ଯାଏ ମନ୍ଦିର ଆଗରେ ଧାରଣା ଦେଇଥିଲା ସେବା ପ୍ରତିନିଧି ଦଳ।

ସେପଟେ ନୀତିକାନ୍ତି ବନ୍ଦ ଲାଗି ପ୍ରଭୁଙ୍କୁ କେବଳ ଆଡ଼କାଠରୁ ଦର୍ଶନ କରି ଫେରୁଥିବା ଶ୍ରଦ୍ଧାଳୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। କେତେ ଆଶା ନେଇ ପ୍ରଭୁଙ୍କ ଦର୍ଶନ ସହ ପୂଜାକାନ୍ତି କରିବାକୁ ଆସିଥିଲେ। ହେଲେ ଶୂନ୍ୟ ହାତରେ ଫେରିଯାଉଥିବାରୁ ଅବଶୋଷ ଜାହିର କରିଥିଲେ। ଭଗବାନ ଓ ଭକ୍ତ ଭିତରେ ପାଚେରୀ ଛିଡ଼ା କରୁଥିବା ବିଭ୍ରାଟକାରୀ ଓ ବିଶୃଙ୍ଖଳିତଙ୍କ ବିରୁଦ୍ଧରେ କଡ଼ା ଆକ୍ସନ ହେବା କଥା ବୋଲି କହିଛନ୍ତି।

ଅବଶ୍ୟ ଭକ୍ତଙ୍କ ଉଦବେଗକୁ ଦେଖି ପ୍ରଶାସନ ବି ତ୍ୱରିତ ହସ୍ତକ୍ଷେପ ନ କଲେ ସ୍ଥିତି ଅଧିକ ବିଗିଡ଼ିବ ବୋଲି ଆଭାସ ପାଇସାରିଥିଲା। ଆଉ ଶେଷରେ ସର୍କିଟ ହାଉସରେ ଜିଲ୍ଲାପ୍ରଶାସନ ସହ ସମସ୍ତ ନିଯୋଗର ଆଲୋଚନା ପରେ ପ୍ରଭୁଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଥିଲା। ସବୁ ପକ୍ଷର ଦାବି ଓ ଅଭିଯୋଗର ସମାଧାନ ହେବ ବୋଲି ପ୍ରଶାସନ କଥା ଦେଇଛି। ପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଅଧ୍ୟାୟର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିଲାଗି ଯତ୍ନବାନ୍ ହେବାକୁ ସମସ୍ତଙ୍କୁ ନିବେଦନ କରିଛି।

୩ ଦିନ ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି। ପ୍ରଭୁଙ୍କୁ ଠିକରେ ଦର୍ଶନ କରିଲେ ଶ୍ରଦ୍ଧାଳୁ। ଭୋଗ ବି ପାଇଲେ। କିନ୍ତୁ ନୀତିକାନ୍ତିରେ ବିଭ୍ରାଟ ଲାଗି ଏଭଳି ଅଚଳାବସ୍ଥା ତିଆରି କରି ପ୍ରଶାସନକୁ ନାକରେ କନ୍ଦାଇଦେଇଥିବା ସେବାୟତ ଗୋଷ୍ଠୀ ବି ସମାନ୍ତରାଳ ଯତ୍ନବାନ୍ ହେବା ଜରୁରୀ।

Leave a Reply

Your email address will not be published. Required fields are marked *